ଏବେ ସଂସଦରେ ପୋଷ୍ଟର, ପ୍ଲାକାର୍ଡ ଉପରେ ବି କଟକଣା, ବିରୋଧୀ କହିଲେ ଗଣତନ୍ତ୍ରର କଣ୍ଠରୋଧ ପାଇଁ ଉଦ୍ୟମ

ନୂଆଦିଲ୍ଲୀ: ଜୁଲାଇ ୧୮ରୁ ଆରମ୍ଭ ହେଉଥିବା ସଂସଦର ମୌସୁମୀ ଅଧିବେଶନ ସରଗରମ ହେବା ସମ୍ଭାବନା ରହିଛି। ପ୍ରଥମେ ଅଣସଂସଦୀୟ ଶବ୍ଦର ଏକ ନୂଆ ତାଲିକା ପ୍ରକାଶ କରାଯିବା ପରେ ସଂସଦ ପରିସରରେ ବିରୋଧ ପ୍ରଦର୍ଶନ, ଅନଶନ ଉପରେ କଟକଣା ଲଗାଯାଇଥିଲା । ଏବେ ଲୋକସଭାରେ ପାମ୍ପଲେଟ୍, ପୋଷ୍ଟର ଏବଂ ପ୍ଲାକାର୍ଡ ଉପରେ ନିଷେଧାଦେଶ ଜାରି କରାଯାଇଛି। ଏହାକୁ ନେଇ ବିରୋଧୀ ସରକାରଙ୍କ ଉପରେ ବର୍ଷିଛନ୍ତି ।

ଲୋକସଭା ସଚିବାଳୟ ଶୁକ୍ରବାର ଏକ ଆଡଭାଇଜରୀ ଜାରି କରି ମୌସୁମୀ ଅଧିବେଶନ ବେଳେ ଗୃହରେ କୌଣସି ପ୍ରକାରର ପାମ୍ପଲେଟ୍, ପୋଷ୍ଟର ଏବଂ ପ୍ଲାକାର୍ଡ ବଣ୍ଟନକୁ ବାରଣ କରିଛି। ସଂସଦ ପରିସରରେ ବିକ୍ଷୋଭ ପ୍ରଦର୍ଶନ ଉପରେ କଟକଣା ପରେ ଗୃହରେ ହଙ୍ଗାମା ସୃଷ୍ଟି ହେବା ସମ୍ଭାବନା ଦୃଷ୍ଟିରୁ ଏହି ପଦକ୍ଷେପ ନିଆଯାଇଛି ବୋଲି ମନେ କରାଯାଉଛି।

ସଂସଦ ଅଧିବେଶନ ବେଳେ ସାଧାରଣତଃ ବିରୋଧୀ ସଦସ୍ୟମାନେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଏକାଠି ହେଉଥିବା ଦେଖିବାକୁ ମିଳିଥିଲା। କିନ୍ତୁ ଶୁକ୍ରବାର ଜାରି ଏକ ନୋଟିସରେ ସଂସଦ ପରିସରରେ ଧାରଣା ଏବଂ ବିରୋଧ ପ୍ରଦର୍ଶନ ମନା ବୋଲି କୁହାଯାଇଛି । ଏହାପୂର୍ବରୁ ଗୁରୁବାର ଉଭୟ ଗୃହରେ ଅସଭ୍ୟ ବା ଅଣସଂସଦୀୟ ଶବ୍ଦ ବିବେଚିତ ଶବ୍ଦର ଏକ ନୂଆ ତାଲିକା ଜାରି କରାଯାଇଥିଲା। ଏହାକୁ ନେଇ ବିରୋଧୀ ଦଳର ନେତାମାନେ କେନ୍ଦ୍ର ଉପରେ ଖପା ହୋଇଥିଲେ । ବର୍ତ୍ତମାନ ବ୍ୟାନର, ପ୍ଲାକାର୍ଡ ଏବଂ ପାମ୍ପଲେଟ୍ ଉପରେ କଟକଣା ନେଇ ବିରୋଧୀ ସରକାରଙ୍କୁ ଭର୍ତ୍ସନା କରିଛନ୍ତି ।

ସିପିଆଇ (ଏମ୍) ନେତା ସୀତାରାମ ୟେଚୁରୀ ଏଥିରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ ଟୁଇଟ୍ କରି କହିଛନ୍ତି, ‘ଏହା କ’ଣ ତମାସା ଚାଲିଛି । ଭାରତର ପ୍ରାଣ, ଏହାର ଗଣତନ୍ତ୍ର ଏବଂ କଣ୍ଠରୋଧ କରିବାକୁ ଉଦ୍ୟମ ବିଫଳ ହେବ। ସଂସଦ ପରିସରରେ ବିରୋଧ ପ୍ରଦର୍ଶନ ଉପରେ କଟକଣା ସମ୍ପର୍କରେ ଗତକାଲି କଂଗ୍ରେସ ସାଂସଦ ଜୟରାମ ରମେଶ ପ୍ରଥମେ ସୂଚନା ଦେଇଥିଲେ। ଏହାକୁ ସମାଲୋଚନା କରି ସେ କଟାକ୍ଷ କରି କହିଥିଲେ ଯେ ‘ବିଷ(ଶ୍ୱ)ଗୁରୁଙ୍କର ଆଉ ଏକ କାମ, ଧାରଣା ମନା ହୈ ।’

Comments are closed.