ବରିଷ୍ଠ ନାଗରିକଙ୍କୁ ପୁଣି ମିଳିପାରେ ଟ୍ରେନ୍ ଟିକେଟରେ ରିହାତି, ସଂସଦୀୟ କମିଟି କଲା ସୁପାରିସ

ନୂଆଦିଲ୍ଲୀ: ବରିଷ୍ଠ ନାଗରିକଙ୍କୁ ରେଳ ଯାତ୍ରାରେ ପୁଣି ମିଳିପାରେ ରିହାତି । ଟ୍ରେନ୍ ଟିକେଟରେ ବରିଷ୍ଠ ନାଗରିକଙ୍କୁ ରିହାତି ପାଇଁ ସଂସଦୀୟ ସ୍ଥାୟୀ କମିଟି ସୁପାରିସ କରିଛି। ବରିଷ୍ଠ ନାଗରିକଙ୍କ ପାଇଁ ଅନ୍ତତଃ ପକ୍ଷେ ସ୍ଲିପର କ୍ଲାସ୍ ଏବଂ ଏସି ୩ ଶ୍ରଣୀରେ (ମୋଟ ଭଡାର ୪୦% ରୁ ୫୦% ପର୍ଯ୍ୟନ୍ତ) ରିହାତି ସୁବିଧା ପୁନଃ ଲାଗୁ କରିବାକୁ କମିଟି ସୁପାରିସ କରିଛି । ଉଲ୍ଲେଖଯୋଗ୍ୟ, କୋଭିଡ୍ ଯୋଗୁଁ ୨୦ ମାର୍ଚ୍ଚ ୨୦୨୦ ଠାରୁ ବରିଷ୍ଠ ନାଗରିକଙ୍କ ପାଇଁ ରେଳ ଭଡାରେ ରିହାତି ସୁବିଧା ପ୍ରତ୍ୟାହାର କରାଯାଇଥିଲା। ନିକଟରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ସଂସଦରେ କହିଥିଲେ ଯେ ବରିଷ୍ଠ ନାଗରିକଙ୍କ ପାଇଁ ଏହି ରିହାତି ସୁବିଧା ପୁନଃ ଲାଗୁ କରିବାକୁ ସରକାରଙ୍କ ଯୋଜନା ନାହିଁ । ସରକାରଙ୍କ ଏପରି ନିଷ୍ପତ୍ତିକୁ ଚାରିଆଡୁ ସମାଲୋଚନା କରାଯାଇଥିଲା । ତେବେ ଅଗଷ୍ଟ ୪ରେ ସଂସଦରେ ଉପସ୍ଥାପିତ ନିଜ ସଦ୍ୟତମ ରିପୋର୍ଟରେ ସଂସଦୀୟ ସ୍ଥାୟୀ କମିଟି ବରିଷ୍ଠ ନାଗରିକଙ୍କ ପାଇଁ ଏହି ସୁବିଧା ପୁଣି ଲାଗୁ କରିବାକୁ ସୁପାରିସ କରିଛି ।

ସଂସଦୀୟ କମିଟି ମତ ରଖିଛି ଯେ “ରେଳବାଇ କାର୍ଯ୍ୟ ସ୍ୱାଭାବିକ ହେବାରେ ଲାଗିଛି, ତେଣୁ ସେମାନେ ବିଭିନ୍ନ ବର୍ଗର ଯାତ୍ରୀଙ୍କୁ ଦିଆଯାଇଥିବା ରିହାତି ଉପରେ ଆନ୍ତରିକ ଭାବେ ବିଚାର କରିବା ଉଚିତ୍। ବରିଷ୍ଠ ନାଗରିକଙ୍କୁ କୋଭିଡ୍ ପୂର୍ବରୁ ଯେଉଁ ରିହାତି ମିଳୁଥିଲା, ତା’ର ସମୀକ୍ଷା ହେବା ଆବଶ୍ୟକ ଏବଂ ଅନ୍ତତଃ ପକ୍ଷେ ସ୍ଲିପର କ୍ଲାସ୍ ଏବଂ ଏସି -୩ ରେ ଏପରି ସୁବିଧା ପୁନଃ ଲାଗୁ କରିବାକୁ ବିଚାର କରାଯିବା ଉଚିତ, ଯାହା ଦ୍ଵାରା ଦୁର୍ବଳ ଏବଂ ଅଭାବୀ ବରିଷ୍ଠ ନାଗରିକମାନେ ଏହି ସୁବିଧାର ସୁଯୋଗ ନେଇପାରିବେ।”

Comments are closed.