ବୁଷ୍ଟର ଡୋଜ୍ ଉପରେ ଅଧିକ ଗବେଷଣା କରିବାକୁ କହିଲା ସଂସଦୀୟ କମିଟି

ନୂଆଦିଲ୍ଲୀ: କୋଭିଡ -୧୯ ର ନୂଆ ଭାରିଆଣ୍ଟ ‘ଓମିକ୍ରନ୍’କୁ ନେଇ ଚିନ୍ତା ବଢୁଥିବା ବେଳେ ଏକ ସଂସଦୀୟ କମିଟି କୋଭିଡ ଟିକାଗୁଡ଼ିକର ପ୍ରଭାବ ଆକଳନ ଓ କରୋନାର ନୂଆ ଭାରିଆଣ୍ଟକୁ ନିୟନ୍ତ୍ରଣ କରିବା ପାଇଁ ବୁଷ୍ଟର ଡୋଜର ଆବଶ୍ୟକତା ଉପରେ ଅଧିକ ଗବେଷଣା କରିବାକୁ ପରାମର୍ଶ ଦେଇଛି । ସ୍ୱାସ୍ଥ୍ୟ ଉପରେ ସଂସଦୀୟ ଷ୍ଟାଣ୍ଡିଂ କମିଟି ଶୁକ୍ରବାର ଦିନ ଦେଇଥିବା ରିପୋର୍ଟରେ ଏହା ମଧ୍ୟ କହିଛି ଯେ ଟିକା ନିରୋଧି କ୍ଷମତା ବିକଶିତ କରୁଥିବା ନୂଆ ଷ୍ଟ୍ରେନ୍ ଗୁଡ଼ିକର ଗମ୍ଭୀରତାର ସହ ମୁକାବିଲା କରାଯିବା ଜରୁରୀ।

ଓମିକ୍ରନ୍ ଭୟ ମଧ୍ୟରେ ଗତକାଲି କୋଭିଡ୍-୧୯ ଉପରେ ଗଠିତ ଜେନୋମ୍ ବୈଜ୍ଞାନିକଙ୍କ ଏକ ପ୍ୟାନେଲ୍ ୪୦ ବର୍ଷରୁ ଊର୍ଦ୍ଧ୍ବ ବୟସ ଲୋକଙ୍କୁ ବୁଷ୍ଟର୍ ଡୋଜ୍ ଦେବାକୁ କେନ୍ଦ୍ର ସରକାରଙ୍କୁ ସୁପାରିସ କରିଥିଲା ।

କରୋନାର ନୂଆ ଷ୍ଟ୍ରେନ୍ ଓମିକ୍ରନ୍ ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି | ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ସୂଚନା ଅନୁଯାୟୀ ବର୍ତ୍ତମାନ ଏହି ଭାରିଆଣ୍ଟ ୩୮ଟି ଦେଶରେ ପହଞ୍ଚିଛି। ଆମେରିକା ଏବଂ ଅଷ୍ଟ୍ରେଲିଆରେ ସ୍ଥାନୀୟ ସକ୍ରମଣର ମାମଲା ମଧ୍ୟ ଦେଖିବାକୁ ମିଳିଛି | ଓମିକ୍ରନ୍ ଉପରେ ଟିକାର ପ୍ରଭାବ ସମ୍ପର୍କରେ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇନାହିଁ | ତେବେ ‘ହୁ’ କହିଛି ଯେ ଏପର୍ଯ୍ୟନ୍ତ ଏହି ଷ୍ଟ୍ରେନ୍‌ରେ କାହାର ମୃତ୍ୟୁ ହୋଇନାହିଁ ‌।

ଭାରତ ବିଷୟରେ କହିବାକୁ ଗଲେ, ଓମିକ୍ରନ୍ ର ତିନୋଟି ମାମଲା ରିପୋର୍ଟ ହୋଇଛି । ଏହି ଭାରିଆଣ୍ଟର ଅନେକ ସନ୍ଦିଗ୍ଧ ରୋଗୀ ଅଛନ୍ତି, ଯାହାଙ୍କ ଜିନୋମ୍ ସିକ୍ୱେନ୍ସିଂ ରିପୋର୍ଟ ଏପର୍ଯ୍ୟନ୍ତ ଆସିନାହିଁ | ଏହିପରି ୧୨ ଜଣ ରୋଗୀ ରାଜଧାନୀ ଦିଲ୍ଲୀରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଦେଶର ଅନେକ ସ୍ଥାନରେ କରୋନା ମାମଲା ବୃଦ୍ଧିକୁ ଦୃଷ୍ଟିରେ ରଖି ସରକାର ଅଧିକ ସତର୍କତା ଅବଲମ୍ବନ କରିବାକୁ କହିଛନ୍ତି।

Comments are closed.