ପେଗାସସ୍ ମାମଲା: ତଦନ୍ତ କମିଟି ଗଠନ କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପେଗାସସ୍ କେଳେଙ୍କେରୀର ତଦନ୍ତ ପାଇଁ ସୁପ୍ରିମକୋର୍ଟ ଏକ ବିଶେଷଜ୍ଞ କମିଟି ଗଠନ କରିବେ । ଆସନ୍ତା ସପ୍ତାହରେ ଏହି ନିର୍ଦ୍ଦେଶ ଜାରି କରାଯିବ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। ଆଜି ଏହି ମାମଲାର ଶୁଣାଣି ବେଳେ ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନା କହିଛନ୍ତି ଯେ ଆମେ ଏହି ସପ୍ତାହରେ ଆଦେଶ ଦେବାକୁ ଚାହୁଁଛୁ। ସେମାନେ (କେନ୍ଦ୍ର) ଏକ ବିଶେଷଜ୍ଞ କମିଟି ଗଠନ କରୁଛନ୍ତି, କିନ୍ତୁ କିଛି ସଦସ୍ୟ ବ୍ୟକ୍ତିଗତ କାରଣରୁ ଯୋଗଦେବାକୁ ମନା କରି ଦେଇଛନ୍ତି, ତେଣୁ ମାମଲା ବିଳମ୍ବ ହେଉଛି। ଜଷ୍ଟିସ ରମନ୍ନା ବରିଷ୍ଠ ଓକିଲ ସିୟୁ ସିଂଙ୍କୁ ଏହା କହିଛନ୍ତି । ପେଗାସସ୍ ମାମଲାରେ ଆବେଦନକାରୀଙ୍କ ପାଇଁ ସିୟୁ ସିଂ ମଧ୍ୟ ମାମଲା ପରିଚାଳନା କରୁଛନ୍ତି। ସେପ୍ଟେମ୍ବର ୧୩ ରେ ସୁପ୍ରିମକୋର୍ଟ ଏହି ମାମଲାର ରାୟ ସଂରକ୍ଷିତ ରଖିଥିଲେ। ପେଗାସସ୍ କେଳେଙ୍କେରୀର ସ୍ବତନ୍ତ୍ର ତଦନ୍ତ ଦାବି କରି ୧୨ ଟି ଆବେଦନ ସୁପ୍ରିମକୋର୍ଟରେ ଦାୟର ହୋଇଥିଲା। ଜନସାଧାରଣଙ୍କ ସ୍ୱାର୍ଥ ଏବଂ ଦେଶର ନିରାପତ୍ତାକୁ ଦର୍ଶାଇ କେନ୍ଦ୍ର ସରକାର ଏହି ମାମଲାରେ ବିସ୍ତୃତ ସତ୍ୟପାଠ ଦାଖଲ କରିବାକୁ ମନା କରିଦେଇଥିଲେ। ଆବେଦନକାରୀଙ୍କ ମଧ୍ୟରେ ଆଇନଜୀବୀ ଏମଏଲ ଶର୍ମା, ସିପିଆଇ (ଏମ) ସାଂସଦ ଜନ୍ ବ୍ରିଟାସ୍, ସାମ୍ବାଦିକ ଏନ୍ ରାମ, ପୂର୍ବତନ ଆଇଆଇଏମ୍ ପ୍ରଫେସର ଜଗଦୀପ ଚକ୍କର, ନରେନ୍ଦ୍ର ମିଶ୍ର, ପରଞ୍ଜୟ ଗୁହା ଠାକୁରତା, ରୂପେଶ କୁମାର ସିଂ, ଏସ୍ଏନ୍ଏମ୍ ଅବଦୀ, ପୂର୍ବତନ ଅର୍ଥମନ୍ତ୍ରୀ ଯଶୱନ୍ତ ସିହ୍ନା ଏବଂ ‘ଏଡିଟର୍ସ ଗିଲ୍ଡ ଅଫ୍ ଇଣ୍ଡିଆ’ ପ୍ରମୁଖ ଅଛନ୍ତି ।

Comments are closed.