ସୁପ୍ରିମକୋର୍ଟରେ ପହଞ୍ଚିଲା କାଶ୍ମୀରରେ ହିନ୍ଦୁ, ଶିଖ ନାଗରିକଙ୍କ ହତ୍ୟା ମାମଲା, ମୃତକଙ୍କୁ କୋଟିଏ ଟଙ୍କା କ୍ଷତିପୂରଣ ଦାବି

ନୂଆଦିଲ୍ଲୀ: କାଶ୍ମୀରରେ ସଂଖ୍ୟାଲଘୁ ହିନ୍ଦୁ ଓ ଶିଖମାନଙ୍କୁ ହତ୍ୟା ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି। ଦିଲ୍ଲୀର ଓକିଲ ଭିନୀତ ଜିନ୍ଦଲ ଦେଶର ପ୍ରଧାନ ବିଚାରପତି ଜଷ୍ଟିସ ଏନ.ଭି ରାମନାଙ୍କୁ ଏକ ଚିଠି ଲେଖି ଏହି ମାମଲାରେ ନିଜ ଆଡ଼ୁ ହସ୍ତକ୍ଷେପ କରିବାକୁ ନିବେଦନ କରିଛନ୍ତି।

ଓକିଲ ଭିନୀତ ଜିନ୍ଦଲ ତାଙ୍କ ଚିଠିରେ କାଶ୍ମୀରରେ ରହୁଥିବା ଶିଖ ଏବଂ ହିନ୍ଦୁମାନଙ୍କୁ ସୁରକ୍ଷା ଯୋଗାଇବାକୁ ଦାବି କରିଛନ୍ତି। ଏହା ସହିତ ସେ ଜାତୀୟ ତଦନ୍ତ ସଂସ୍ଥା (ଏନ୍ଆଇଏ) ଦ୍ୱାରା ହିନ୍ଦୁ ଓ ଶିଖ ମାନଙ୍କ ହତ୍ୟା ଘଟଣାର ତଦନ୍ତ ଦାବି କରିଛନ୍ତି। ଜିନ୍ଦଲ ତାଙ୍କ ଚିଠିରେ ମୃତକଙ୍କ ପରିବାରକୁ ଏକ କୋଟି ଟଙ୍କା ଲେଖାଏଁ କ୍ଷତିପୂରଣ ଏବଂ ପରିବାରର ଜଣେ ସଦସ୍ୟଙ୍କ ପାଇଁ ସରକାରୀ ଚାକିରି ଦାବି କରିଛନ୍ତି।

ଗତ ପାଞ୍ଚ ଦିନ ମଧ୍ୟରେ କାଶ୍ମୀର ଉପତ୍ୟକାରେ ଆତଙ୍କବାଦୀ ଆକ୍ରମଣରେ ସାତ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି ଯେଉଁଥିରୁ ଶ୍ରୀନଗରରେ ହିଁ ୬ ଜଣଙ୍କୁ ହତ୍ୟା କରାଯାଇଛି । ମୃତକଙ୍କ ମଧ୍ୟରୁ ଚାରିଜଣ ସଂଖ୍ୟାଲଘୁ (ହିନ୍ଦୁ ଏବଂ ଶିଖ) ସମ୍ପ୍ରଦାୟର ଥିଲେ। ଆତଙ୍କବାଦୀମାନେ ଗୁରୁବାର ଦିନ ଶ୍ରୀନଗରର ଇଦଗାହ ଅଞ୍ଚଳରେ ଜଣେ ଶିଖ୍ ପ୍ରିନ୍ସିପାଲଙ୍କ ସମେତ ସରକାରୀ ସ୍କୁଲର ଦୁଇଜଣ ଶିକ୍ଷକଙ୍କୁ ହତ୍ୟା କରିଥିଲେ।

Comments are closed.