ଆଦାନୀ-ହିଣ୍ଡେନବର୍ଗ ମାମଲା: ସେବି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲୁଚାଇଥିବା ଅଭିଯୋଗ

ନୂଆଦିଲ୍ଲୀ: ଆଦାନୀ-ହିଣ୍ଡେନବର୍ଗ ମାମଲାର ଜଣେ ଆବେଦନକାରୀ ଷ୍ଟକ୍ ବଜାର ନିୟନ୍ତ୍ରକ ସେବି ଉପରେ ଗମ୍ଭୀର ଆରୋପ ଲଗାଇଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ ସେବି ସୁପ୍ରିମକୋର୍ଟଙ୍କ ଠାରୁ ସମ୍ବେଦନଶୀଳ ତଥ୍ୟ ଲୁଚାଇଛି । ଏହାଛଡ଼ା ଆଦାନୀ ଗ୍ରୁପ୍ ପକ୍ଷରୁ ଷ୍ଟକ୍ ହେରଫେର ନେଇ ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ (ଡିଆଇଆର)ର ଏକ ଚିଠି ଉପରେ ମଧ୍ୟ ସେବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା । ଆବେଦନକାରୀ ଅନାମିକା ଜୈସୱାଲ ଏକ ସତ୍ୟପାଠ ମାଧ୍ୟମରେ ଏଭଳି ଅଭିଯୋଗ କରିଛନ୍ତି।

ଆଦାନୀ-ହିଣ୍ଡେନବର୍ଗ ବିବାଦ ନେଇ ସର୍ବୋଚ୍ଚ ନ୍ୟାୟାଳୟ ଚାରିଟି ଜନସ୍ବାର୍ଥ ମାମଲାର ଶୁଣାଣି କରୁଛନ୍ତି । ଓକିଲ ଏମ.ଏଲ୍ ଶର୍ମା ଏବଂ ବିଶାଲ ତିୱାରୀ, କଂଗ୍ରେସ ନେତା ଜୟା ଠାକୁର ଏବଂ ଆଇନ ଛାତ୍ର ଅନାମିକା ଜୈସୱାଲ ଏହି ମାମଲାର ଆବେଦନକାରୀ ଅଟନ୍ତି।

ସେବି ଅଗଷ୍ଟ ୨୫ରେ ସୁପ୍ରିମକୋର୍ଟଙ୍କୁ କହିଥିଲା ଯେ ଆଦାନୀ ଗ୍ରୁପ୍ ବିରୋଧରେ ଦୁଇଟି ଅଭିଯୋଗକୁ ଛାଡ଼ି ଅବଶିଷ୍ଟ ଅଭିଯୋଗର ତଦନ୍ତ ଶେଷ ହୋଇଛି । ଆଦାନୀ ଗ୍ରୁପରେ ନିବେଶ କରୁଥିବା ବିଦେଶୀ ସଂସ୍ଥାଗୁଡ଼ିକର ପ୍ରକୃତ ମାଲିକଙ୍କ ସମ୍ପର୍କରେ ପାଞ୍ଚଟି ଟ୍ୟାକ୍ସ ହାଭେନ୍ (କଳାଟଙ୍କା ରଖିବା ପାଇଁଁ ନିରାପଦ ସ୍ଥାନ) ସମ୍ପର୍କରେ ଯାଞ୍ଚ ଚାଲିଛି । ସୁପ୍ରିମକୋର୍ଟରେ ଦାଖଲ ଷ୍ଟାଟସ୍ ରିପୋର୍ଟରେ ସେବି କହିଥିଲା ଯେ ତଦନ୍ତ ପରିସରଭୁକ୍ତ ୨୪ଟି ମାମଲା ମଧ୍ୟରୁ ୨୨ଟିର ତଦନ୍ତ ଶେଷ ହୋଇଛି।

Comments are closed.