ତୈଳଦର ବେଲଗାମ, ମୁମ୍ବାଇରେ ପେଟ୍ରୋଲ ୧୧୧ ଟପିଲା

ନୂଆଦିଲ୍ଲୀ: ଦେଶରେ ବେଲଗାମ ହୋଇପଡିଛି ପେଟ୍ରୋଲ-ଡିଜେଲ୍ ଦର । ତୈଳ ଦର କ୍ରମାଗତ ବୃଦ୍ଧି ଯୋଗୁଁ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ଆକାଶଛୁଆଁ ହୋଇଛି । ମହଙ୍ଗା ମାଡ଼ରେ ସାଧାରଣ ଜନତା ହନ୍ତସନ୍ତ ହେଉଛନ୍ତି।

ଆଜି ପୁଣି ଉଭୟ ପେଟ୍ରୋଲ ଏବଂ ଡିଜେଲ ଲିଟର ପିଛା ୩୫ ପଇସା ମହଙ୍ଗା ହୋଇଛି। ଗତ କିଛି ଦିନ ହେବ ପେଟ୍ରୋଲ ଏବଂ ଡିଜେଲ ଦର କ୍ରମାଗତ ବୃଦ୍ଧି ପାଉଛି। ସଦ୍ୟତମ ଦର ବୃଦ୍ଧି ସହ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୦୫.୮୪ ଟଙ୍କାରେ ପହଞ୍ଚିଛି। ଏଥି ସହିତ ଡିଜେଲର ମୂଲ୍ୟ ବର୍ତ୍ତମାନ ଲିଟର ପିଛା ୯୪.୫୭ ଟଙ୍କାକୁ ବୃଦ୍ଧି ପାଇଛି। ସେପଟେ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ପେଟ୍ରୋଲ ୧୧୧ ଟଙ୍କା ଛୁଇଁଛି ‌‌। ମୁମ୍ବାଇରେ ପେଟ୍ରୋଲ ଏବେ ଲିଟର ପିଛା ୧୧୧.୭୭ ଟଙ୍କାକୁ ବୃଦ୍ଧି ପାଇଥିବା ବେଳେ ଡିଜେଲ୍ ୧୦୨.୫୨ ଟଙ୍କାରେ ପହଞ୍ଚିଛି ।

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ସହିତ ବୈଦେଶିକ ମୁଦ୍ରା ବିନିମୟ ମୂଲ୍ୟ ଅନୁସାରେ ପେଟ୍ରୋଲ ଏବଂ ଡିଜେଲର ଦର ନିର୍ଦ୍ଧାରଣ କରାଯାଉଛି। ତୈଳ କମ୍ପାନୀଗୁଡିକ ମୂଲ୍ୟ ସମୀକ୍ଷା କରିବା ପରେ ପ୍ରତିଦିନ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ସ୍ଥିର କରନ୍ତି | ପେଟ୍ରୋଲର ମୂଲ୍ୟ ବୃଦ୍ଧି ସହିତ ସମସ୍ତ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ବୃଦ୍ଧି ପାଇଛି |

ସୂଚନାଯୋଗ୍ୟ ଯେ ଗତ ବର୍ଷ ଅନ୍ତର୍ଜାତୀୟ ସ୍ତରରେ ଅଶୋଧିତ ତୈଳ ମୂଲ୍ୟରେ ତୀବ୍ର ହ୍ରାସ ଘଟିବା ପରେ ଭାରତ ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଟିକସ ବହୁଗୁଣ ବଢ଼ାଇ ଦେଇଥିଲେ। ଏହି କାରଣରୁ ସରକାରଙ୍କ ରାଜସ୍ୱ ସଂଗ୍ରହ ଯଥେଷ୍ଟ ବୃଦ୍ଧି ପାଇଛି। ବର୍ତ୍ତମାନ ଦେଶରେ ପେଟ୍ରୋଲ ୧୦୦ ଟଙ୍କା ଟପିଛି। ଏହାଛଡ଼ା ଡିଜେଲ ମଧ୍ୟ ଅନେକ ରାଜ୍ୟରେ ସେଞ୍ଚୁରି ମାରିଲାଣି ।

Comments are closed.