ପାଇଲଟଙ୍କ ଭୁଲ୍ ଯୋଗୁଁ କୋଜିକୋଡରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା: ରିପୋର୍ଟ

ନୂଆଦିଲ୍ଲୀ: ପାଇଲଟଙ୍କ ଭୁଲ୍ ଯୋଗୁଁ ଗତ ବର୍ଷ କେରଳର କୋଜିକୋଡ ବିମାନବନ୍ଦରରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବିମାନ ରନଓ୍ବେରେ ଅବତରଣ କଲାବେଳେ ପାଇଲଟ୍ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରସିଜର (ଏସ୍ଓପି) ପାଳନ କରିନଥିଲେ ବୋଲି ତଦନ୍ତ ରିପୋର୍ଟରେ କୁହାଯାଇଛି। ଉକ୍ତ ବିମାନ ଦୁର୍ଘଟଣାରେ ୨୧ ଜଣଙ୍କର ମୃତ୍ୟୁ ହୋଇଥିଲା ।

‘ବିମାନ ଦୁର୍ଘଟଣା ଅନୁସନ୍ଧାନ ବ୍ୟୁରୋ’ର ୨୫୭ ପୃଷ୍ଠାର ରିପୋର୍ଟରେ କୁହାଯାଇଛି ଯେ “ପାଇଲଟଙ୍କ ଦ୍ଵାରା ଏସ୍ଓପି ପାଳନ ନ କରାଯିବା ଦୁର୍ଘଟଣାର ସମ୍ଭାବ୍ୟ କାରଣ ଥିଲା। ପାଇଲଟ୍ ଏୟାର ଟ୍ରାଫିକ କଣ୍ଟ୍ରୋଲର କଥା ଶୁଣିନଥିଲେ ଏବଂ ‘ଗୋ ଏରାଉଣ୍ଡ’ ପାଇଁ କୁହାଯିବ ସତ୍ତ୍ୱେ ରନୱେର ବହୁ ଆଗରେ ଲ୍ୟାଣ୍ଡିଂ କରିବାରୁ ବିମାନ ସ୍ଲିପ୍ ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ‘ଗୋ ଏରାଉଣ୍ଡ’ ଏବଂ ମନିଟରିଂରେ ବିଫଳତା ଯୋଗୁଁ ପାଇଲଟ୍ ବିମାନ ଉପରୁ ନିୟନ୍ତ୍ରଣ ହରାଇଥିଲେ ବୋଲି ତଦନ୍ତ ରିପୋର୍ଟରେ କୁହାଯାଇଛି।

ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଏକ ବିଭାଗ ତଥା ବିମାନ ଦୁର୍ଘଟଣାର ଅନୁସନ୍ଧାନ କରୁଥିବା “ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ ବ୍ୟୁରୋ” ନିଜ ରିପୋର୍ଟରେ କହିଛି ଯେ ଦୁର୍ଘଟଣା ପାଇଁ ବ୍ୟବସ୍ଥାଗତ ବିଫଳତାକୁ ଅଣଦେଖା କରାଯାଇପାରିବ ନାହିଁ।

ଦୁବାଇରୁ କୋଜିକୋଡ ଆସୁଥିବା ଏୟାର ଇଣ୍ଡିଆ ବିମାନ ୧୩୪୪ ରେ ମୋଟ ୧୮୪ ଜଣ ଯାତ୍ରୀ ଏବଂ ୬ ଜଣ କ୍ରୁ ସଦସ୍ୟ ଥିଲେ। ଗତ ବର୍ଷ ଅଗଷ୍ଟ ୭ରେ କୋଜିକୋଡରେ ଅବତରଣ କରିବା ସମୟରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ୧୯ ଜଣ ଯାତ୍ରୀ ଏବଂ ଦୁଇଜଣ ପାଇଲଟ୍ ସମେତ ୨୧ ଜଣଙ୍କ ମୃତ୍ୟୁ ହୋଇଥିଲା।

Comments are closed.