ଭାରତୀୟ ସେନାର ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ପାଇଲଟଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶରେ ଭାରତୀୟ ସେନାର ଏକ ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଜଣେ ସେନା ଅଧିକାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି। ନିୟମିତ ଉଡ଼ାଣ ସମୟରେ ସକାଳ ପ୍ରାୟ ୧୦ଟାରେ ହେଲିକପ୍ଟରଟି ଅରୁଣାଚଳର ତାୱାଙ୍ଗରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା |

ସେନା କହିଛି ଯେ ଚିତା ହେଲିକପ୍ଟରରେ ଦୁଇଜଣ ପାଇଲଟ୍ ଥିଲେ। ଦୁର୍ଘଟଣା ପରେ ଉଭୟଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ସେନା ଡାକ୍ତରଖାନାକୁ ନିଆଯାଇଥିଲା। କିନ୍ତୁ ଗୁରୁତର ଆହତ ଲେଫ୍ଟନାଣ୍ଟ କଲୋନେଲ ସୌରଭ ଯାଦବଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା।

ସେନା ଦ୍ଵାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ‘ଦୁର୍ଘଟଣାର କାରଣ ଜଣାପଡ଼ି ନାହିଁ। ଏହି ଘଟଣାର ତଦନ୍ତ ଜାରି ରହିଛି।

ଉଲ୍ଲେଖଯୋଗ୍ୟ ଯେ ସେନାର ଅନ୍ୟ ଏକ ଚିତା ହେଲିକପ୍ଟର ଚଳିତ ବର୍ଷ ମାର୍ଚ୍ଚରେ ଜାମ୍ମୁ କାଶ୍ମୀରର କଣ୍ଟ୍ରୋଲ୍ ଲାଇନ୍ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ମଧ୍ୟ ପାଇଲଟଙ୍କ ମୃତ୍ୟୁ ହୋଇଥିଲା ଓ ସହ-ପାଇଲଟ ଗୁରୁତର ଆହତ ହୋଇଥିଲେ।

Comments are closed.