ଫ୍ରାନ୍ସରେ ୩୦୦ ଭାରତୀୟ ଯାତ୍ରୀଙ୍କ ସହ ଅଟକ ବିମାନକୁ ଉଡ଼ାଣ ପାଇଁ ଅନୁମତି

ନୂଆଦିଲ୍ଲୀ: ‘ମାନବ ଚାଲାଣ’ ସନ୍ଦେହରେ ପ୍ୟାରିସ ନିକଟ ଏକ ବିମାନ ବନ୍ଦରରେ ତିନି ଦିନ ଧରି ଅଟକ ରହିଥିବା ଏକ ଯାତ୍ରୀବାହୀ ବିମାନକୁ ଦେଶ ଛାଡ଼ିବାକୁ ଅନୁମତି ମିଳିଛି । ବିମାନରେ ୩୦୩ ଜଣ ଯାତ୍ରୀ ଅଛନ୍ତି । ସେମାନଙ୍କ ମଧ୍ୟରେ ଅଧିକାଂଶ ଭାରତୀୟ ରହିଛନ୍ତି। ପ୍ରକ୍ରିୟାରେ ଅନିୟମିତତା ଯୋଗୁଁ ଫ୍ରାନ୍ସ ବିଚାରପତିମାନେ ଏହି ଯାତ୍ରୀଙ୍କୁ ଅଟକ ରଖିବା ମାମଲାର ଶୁଣାଣି ବନ୍ଦ କରିଛନ୍ତିି ଓ ବିମାନକୁ ଯିବାକୁ ଅନୁମତି ଦେଇଛନ୍ତି ।

ନିକାରଗୁଆ ଯାଉଥିବା ରୋମାନିଆର ଲିଜେଣ୍ଡ ଏୟାରଲାଇନ୍ସର ଏହି ବିମାନକୁ ‘ମାନବ ଚାଲାଣ’ ସନ୍ଦେହରେ ପ୍ୟାରିସରୁ ୧୫୦ କିଲୋମିଟର ଦୂର ଭାଟ୍ରି ବିମାନ ବନ୍ଦରରେ ଫ୍ରାନ୍ସ କର୍ତ୍ତୃପକ୍ଷ ଅଟକ ରଖିଥିଲେ । ଫ୍ରାନ୍ସର ଚାରି ବିଚାରପତି ରବିବାର ଠାରୁ ୩୦୩ ଯାତ୍ରୀଙ୍କୁ ପଚରାଉଚରା ଆରମ୍ଭ କରିଥିଲେ। ତେବେ ସମସ୍ତ ଯାତ୍ରୀଙ୍କୁ ଯିବାକୁ ଅନୁମତି ମିଳିଛି ‌। ସୋମବାର ଏହି ବିମାନ ଉଡ଼ାଣ ଭରିବ ବୋଲି ଜଣାପଡିଛି। ଏହାର ଗନ୍ତବ୍ୟ ସ୍ଥଳ ଜଣାପଡ଼ି ନାହିଁ । ଅଧିକାଂଶ ଯାତ୍ରୀ ଭାରତର ହୋଇଥିବାରୁ ବିମାନ ଭାରତ ଆସିପାରେ କିମ୍ବା ନିକାରାଗୁଆ ଯାଇପାରେ, ଯାହା ଏହାର ମୂଳ ଗନ୍ତବ୍ୟ ସ୍ଥଳ ଥିଲା । ଏହି ବିମାନ ଦୁବାଇକୁ ମଧ୍ୟ ନିଆଯାଇପାରେ କାରଣ ଏଠାରୁ ଏହା ଉଡ଼ାଣ ଭରିଥିଲା।

ଫ୍ରାନ୍ସ ଗଣମାଧ୍ୟମ ଅନୁଯାୟୀ, କିଛି ଯାତ୍ରୀ ଟେଲିଫୋନ୍ ମାଧ୍ୟମରେ ସେମାନଙ୍କ ପରିବାର ସହ ଯୋଗାଯୋଗ କରିଛନ୍ତି। ଦଶ ଜଣ ଯାତ୍ରୀ ଫ୍ରାନ୍ସରେ ଶରଣାର୍ଥୀ ଭାବେ ଆଶ୍ରୟ ପାଇଁ ଆବେଦନ କରିଛନ୍ତିି । ଫ୍ରାନ୍ସର ଜଣେ ଓକିଲଙ୍କ ଅନୁଯାୟୀ, ବିମାନରେ ଥିବା ୧୧ ଜଣ ନାବାଳକ ଅଛନ୍ତି ଯେଉଁମାନେ ଅଭିଭାବକ ବିନା ଯାତ୍ରା କରୁଥିଲେ । ସେମାନେ ଶୁକ୍ରବାର ଠାରୁ ଜେଲରେ ଅଛନ୍ତି। ଏହାଛଡ଼ା ଶୁକ୍ରବାର ଠାରୁ ଦୁଇଜଣ ବୟସ୍କ ଯାତ୍ରୀ ମଧ୍ୟ ଜେଲରେ ଅଛନ୍ତି। ଏମାନଙ୍କ ହାଜତ ମିଆଦ ଶନିବାର ସନ୍ଧ୍ୟାରେ ପରବର୍ତ୍ତୀ ୪୮ ଘଣ୍ଟା ପାଇଁ ବୃଦ୍ଧି କରାଯାଇଥିଲା।

ବିମାନର ମାଲିକାନା ରୋମାନିଆର ଲିଜେଣ୍ଡ ଏୟାରଲାଇନ୍ସ ପାଖରେ ଅଛି। କମ୍ପାନୀର ଓକିଲ ଲିଲିୟାନା ବକାୟୋକୋ ‘ମାନବ ଚାଲାଣ’ରେ କୌଣସି ସମ୍ପୃକ୍ତିକୁ ଅସ୍ୱୀକାର କରିଛନ୍ତି।

Comments are closed.