ଆଜିଠାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆମେରିକା ଗସ୍ତ; ବାଇଡେନଙ୍କୁ ଭେଟିବେ, କ୍ବାଡ୍ ବୈଠକରେ ଯୋଗ ଦେବେ

ନୂଆଦିଲ୍ଲୀ: ଆଜିଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାଞ୍ଚ ଦିନିଆ ଆମେରିକା ଗସ୍ତରେ ଯିବେ। କରୋନା ସଙ୍କଟ କାରଣରୁ ୬ ମାସ ପରେ ପିଏମ ମୋଦିଙ୍କ ଏହି ବିଦେଶ ଗସ୍ତ ଅତ୍ୟନ୍ତ ଗୁରୁତ୍ବ ବହନ କରୁଛି। ପ୍ରଧାନମନ୍ତ୍ରୀ ମୋଦି ବୁଧବାର ସକାଳେ ଆମେରିକା ଅଭିମୁଖେ ଯାତ୍ରା କରିବେ ଏବଂ ସେପ୍ଟେମ୍ବର ୨୬ରେ ଭାରତ ଫେରିବେ। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କର ପ୍ରଥମ ବ୍ୟକ୍ତିଗତ ବୈଠକ କରିବେ। ବାଇଡେନଙ୍କ ବୈଠକ ସହିତ ପ୍ରଧାନମନ୍ତ୍ରୀ ମୋଦି କ୍ୱାଡ୍ ନେତାଙ୍କ ସହ ଆଲୋଚନା କରିବା ସହ ମିଳିତ ଜାତିସଂଘର ସାଧାରଣ ସଭା ଅଧିବେଶନକୁ ସମ୍ବୋଧିତ କରିବେ। ବୈଦେଶିକ ସଚିବ ହର୍ଷ ବର୍ଦ୍ଧନ ଶ୍ରୀଙ୍ଗଲା ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ବୁଧବାର ଆମେରିକାର ରାଷ୍ଟ୍ରପତି ବାଇଡେନଙ୍କ ଦ୍ୱାରା ଆୟୋଜିତ କୋଭିଡ୍-୧୯ ଗ୍ଲୋବାଲ ସମ୍ମିଳନୀରେ ପିଏମ ମୋଦି ଯୋଗଦେବେ।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହ ଏକ ଉଚ୍ଚ ସ୍ତରୀୟ ପ୍ରତିନିଧୀ ମଧ୍ୟ ଆମେରିକା ଯିବେ।

ଶ୍ରୀଙ୍ଗଲା କହିଛନ୍ତି ଯେ ସେପ୍ଟେମ୍ବର ୨୪ରେ ଦ୍ୱିପାକ୍ଷିକ ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଆମେରିକା ରାଷ୍ଟ୍ରପତି ବାଇଡେନ ଭାରତ-ଆମେରିକା ସମ୍ପର୍କର ସମୀକ୍ଷା କରିବେ। ଦୁଇ ଦେଶ ମଧ୍ୟରେ ବିଶ୍ୱ ଭାଗିଦାରୀକୁ ଆଗକୁ ବଢାଇବା, ବାଣିଜ୍ୟ, ପ୍ରତିରକ୍ଷା ଏବଂ ସୁରକ୍ଷା ସହଯୋଗକୁ ମଜବୁତ କରିବା ଉପରେ ଆଲୋଚନା ହେବ ବୋଲି ଆଶା କରାଯାଉଛି। ଭାରତରେ ପୁଞ୍ଜି ବିନିଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଆମେରିକାର କିଛି ବଡ କମ୍ପାନୀର ସିଇଓଙ୍କ ସହ ମଧ୍ୟ ଆଲୋଚନା କରିବେ।

Comments are closed.