ଶିଖ ସମ୍ପ୍ରଦାୟ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ନେଇ କଙ୍ଗନାଙ୍କ ବିରୋଧରେ ଅଭିଯୋଗ

ନୂଆଦିଲ୍ଲୀ: ଇନଷ୍ଟାଗ୍ରାମରେ ଶିଖ ସମ୍ପ୍ରଦାୟ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ଦିଲ୍ଲୀ ଶିଖ ଗୁରୁଦ୍ୱାର ପରିଚାଳନା କମିଟି (ଡିଏସଜିଏମସି) ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ବିରୋଧରେ ପୋଲିସରେ ଅଭିଯୋଗ ଦାଖଲ କରିଛି। କମିଟି ଦ୍ବାରା ଜାରି ବିବୃତ୍ତି ଅନୁଯାୟୀ, କଙ୍ଗନାଙ୍କ ବିରୋଧରେ ମନ୍ଦିର ମାର୍ଗ ପୋଲିସ ଷ୍ଟେସନର ସାଇବର ସେଲରେ ଅଭିଯୋଗ କରାଯାଇଛି।

କମିଟି କହିଛି ଯେ ସୋସିଆଲ ମିଡିଆରେ ତାଙ୍କ ପୋଷ୍ଟରେ କଙ୍ଗନା ଜାଣିଶୁଣି ଚାଷୀଙ୍କ ଆନ୍ଦୋଳନକୁ ‘ଖଲିସ୍ତାନୀ ଆନ୍ଦୋଳନ’ ବୋଲି କହିଥିଲେ। “… କଙ୍ଗନା ଶିଖ୍ ସମ୍ପ୍ରଦାୟକୁ ଖାଲିସ୍ତାନୀ ଆତଙ୍କବାଦୀ ଭାବରେ ଅଭିହିତ କରିବା ସହ ୧୯୮୪ ତଥା ତା’ପୂର୍ବରୁ ଘଟିଥିବା ନର ସଂହାରକୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଏକ ଯୋଜନାବଦ୍ଧ ପଦକ୍ଷେପ ଭାବରେ ମନେ ପକାଇଥିଲେ।

କଙ୍ଗନା ଶିଖ୍ ସମ୍ପ୍ରଦାୟ ବିରୋଧରେ ଆପତ୍ତିଜନକ ତଥା ଅପମାନଜନକ ଭାଷା ବ୍ୟବହାର କରିଥିଲେ। ଏହି ପୋଷ୍ଟଟି ସୁଚିନ୍ତିତ ଭାବରେ ଶିଖ ସମ୍ପ୍ରଦାୟର ଭାବନାକୁ ଆଘାତ ଦେବା ପାଇଁ ଅପରାଧିକ ଉଦ୍ଦେଶ୍ୟରେ କରାଯାଇଥିଲା ଏବଂ ସେୟାର କରାଯାଇଥିଲା । ଏଥିପାଇଁ କଙ୍ଗନାଙ୍କ ବିରୋଧରେ କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଡିଏସଜିଏମସି ଦାବି କରିଛି ।

ଓକିଲ ଅମ୍ରିଶ ରଂଜନ ପାଣ୍ଡେ ଏବଂ ଅମ୍ବୁଜ ଦୀକ୍ଷିତଙ୍କ ମାଧ୍ୟମରେ ଭାରତୀୟ ଯୁବ କଂଗ୍ରେସର ଲିଗାଲ୍ ସେଲ୍ ମଧ୍ୟ ଶନିବାର ଦିନ ଇନଷ୍ଟାଗ୍ରାମରେ କଙ୍ଗନାଙ୍କ ବିରୋଧରେ ପୋଲିସ ଥାନାରେ ଅଭିଯୋଗ ରୁଜୁ କରିଛି। ଅଭିଯୋଗରେ କୁହାଯାଇଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦିନ ଘୋଷଣା କରିଥିଲେ ଯେ ତିନୋଟି କୃଷି ଆଇନକୁ ସରକାର ରଦ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। କୃଷି ଆଇନକୁ ରଦ୍ଦ କରିବାର ଏହି ନିଷ୍ପତ୍ତି ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଟେଲିଭିଜନରେ ଦେଶକୁ ସମ୍ବୋଧିତ କରାଯିବା ପରେ ପ୍ରଖ୍ୟାତ ଅଭିନେତ୍ରୀ ତଥା ନିକଟରେ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ କଙ୍ଗନା ରଣାୱତ ଇନଷ୍ଟାଗ୍ରାମରେ ଭାରତକୁ ଜିହାଦୀ ରାଷ୍ଟ୍ର ବୋଲି କହିଛନ୍ତି।

ଅଭିଯୋଗରେ ଦର୍ଶାଯାଇଛି ଯେ କଙ୍ଗନା ରଣାୱତ ଜଣେ ପ୍ରସିଦ୍ଧ ଅଭିନେତ୍ରୀ ଏବଂ ଇନଷ୍ଟାଗ୍ରାମରେ ତାଙ୍କର ୭.୮ ମିଲିୟନରୁ ଅଧିକ ଅନୁଗାମୀ ଅଛନ୍ତି। ତେଣୁ ତାଙ୍କର ମନମୁଖୀ, ଦାୟିତ୍ବହୀନ ତଥା ଦେଶଦ୍ରୋହୀ ମନ୍ତବ୍ୟ ଭାରତ ପ୍ରତି ଘୃଣା ଏବଂ ଅସନ୍ତୋଷ ସୃଷ୍ଟି କରିବାର କ୍ଷମତା ରଖିଛି।

Comments are closed.