ସେକ୍ସ୍ ସ୍କାଣ୍ଡାଲ ଝଡ଼ ପରେ ସାଂସଦ ପ୍ରଜ୍ଜ୍ବଳ ରେଭାନ୍ନା ଜେଡିଏସ୍ ରୁ ନିଲମ୍ବିତ

ବେଙ୍ଗାଲୁରୁ: ସେକ୍ସ୍ ସ୍କାଣ୍ଡାଲ ଝଡ଼ ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡାଙ୍କ ନାତି ତଥା ସାଂସଦ ପ୍ରଜ୍ଜ୍ବଳ ରେଭାନ୍ନାଙ୍କୁ ଜେଡି(ଏସ୍)ରୁ ନିଲମ୍ବିତ କରାଯାଇଛି। ମଙ୍ଗଳବାର ଜେଡିଏସ୍ କୋର୍ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଯୌନ କେଳେଙ୍କାରୀ ଅଭିଯୋଗରେ କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ ଏଚଡି ରେଭେନ୍ନା ଓ ତାଙ୍କ ପୁଅ ପ୍ରଜ୍ଜ୍ବଳ ରେଭାନ୍ନାଙ୍କ ବିରୋଧରେ ଏକ ପୃଥକ ଏଫଆଇଆର ମଧ୍ୟ ରୁଜୁ ହୋଇଛି। ସେକ୍ସ ସ୍କାଣ୍ଡାଲ୍ ଭିଡ଼ିଓ ସାମ୍ନାକୁ ଆସିବା ପରେ ପ୍ରଜ୍ଜ୍ବଳ ରେଭାନ୍ନା ଦେଶ ଛାଡ଼ି ପଳାଇଛନ୍ତି ।

ଏଚଡି ରେଭାନ୍ନା ହେଉଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜନତା ଦଳ (ସେକ୍ୟୁଲାର)ର ରାଷ୍ଟ୍ରୀୟ ସଭାପତି ଏଚଡି ଦେବଗୌଡାଙ୍କ ପୁଅ | ଏଚଡି ରେଭାନ୍ନାଙ୍କ ପୁଅ ପ୍ରଜ୍ଜ୍ବଳ ରେଭାନ୍ନା ବର୍ତ୍ତମାନ କର୍ଣ୍ଣାଟକର ହାସନରୁ ସାଂସଦ ଅଛନ୍ତି। ଏଥର ମଧ୍ୟ ୩୩ ବର୍ଷୀୟ ପ୍ରଜ୍ଜ୍ବଳ ଏହି ଲୋକସଭା ନିର୍ବାଚନମଣ୍ଡଳୀରୁ ଜେଡିଏସ୍-ବିଜେପି ମେଣ୍ଟର ପ୍ରାର୍ଥୀ ହୋଇଛନ୍ତି । ଏହି ଆସନରେ ଏପ୍ରିଲ ୨୬ରେ ମତଦାନ ହୋଇଥିଲା। ପ୍ରଜ୍ଜ୍ବଳ ରେଭାନ୍ନାଙ୍କ ଅନେକ ଅଶ୍ଲୀଳ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେବା ପରେ କର୍ଣ୍ଣାଟକ ରାଜନୀତିରେ ଝଡ଼ ସୃଷ୍ଟି ହୋଇଛି । ଭାଇରାଲ୍ ଭିଡ଼ିଓ ଗୁଡ଼ିକରେ ପ୍ରଜ୍ଜ୍ବଳ ଅନେକ ମହିଳା ଓ ଯୁବତୀମାନଙ୍କୁ ଯୌନ ନିର୍ଯାତନା ଦେଉଥିବା ଦେଖିବାକୁ ମିଳୁଛି ।

ଏହାଛଡ଼ା ନିକଟରେ ପ୍ରଜ୍ଜ୍ବଳ ରେଭାନ୍ନାଙ୍କ ଘରେ ସହାୟିକା ଭାବେ କାମ କରୁଥିବା ଜଣେ ମହିଳାଙ୍କ ଅଭିଯୋଗ ଆଧାରରେ ପ୍ରଜ୍ଜ୍ବଳ ଓ ତାଙ୍କ ବାପାଙ୍କ ବିରୋଧରେ ହାସନ‌ ଜିଲ୍ଲାର ହୋଲେନରାସିରପୁରରେ ଯୌନ ନିର୍ଯାତନା ମାମଲା ରୁଜୁ ହୋଇଛି ।

ମହିଳା ଜଣକ ଅଭିଯୋଗ କରିଛନ୍ତିି ଯେ ସେ ପ୍ରଜ୍ବଳ ରେଭାନ୍ନାଙ୍କ ପତ୍ନୀ ଭବାନୀଙ୍କର ସମ୍ପର୍କୀୟ । ତାଙ୍କ ଘରେ କାମ ଆରମ୍ଭ କରିବାର ୪ ମାସ ପରେ ପ୍ରଜ୍ବଳ ରେଭାନ୍ନା ତାଙ୍କୁ ଯୌନ ନିର୍ଯାତନା ଦେଇଥିଲେ । ପ୍ରଜ୍ଜ୍ବଳ ତାଙ୍କ ଝିଅକୁ ମଧ୍ୟ ଭିଡିଓ କଲ୍ କରି ଅଶ୍ଳୀଳ କଥା କହୁଥିଲେ। ତାଙ୍କ ଜୀବନ ତଥା ତାଙ୍କ ପରିବାରର ଅନ୍ୟ ସଦସ୍ୟଙ୍କ ଜୀବନ ବିପଦରେ ଥିବା ମହିଳା ଜଣକ ଅଭିଯୋଗ କରିଛନ୍ତି।

Comments are closed.