ପୁଟିନଙ୍କୁ ହତ୍ୟା ପାଇଁ ଷଡ଼ଯନ୍ତ୍ର ! ଭୟରେ ନିଜ ୧୦୦୦ ଷ୍ଟାଫଙ୍କୁ ବିଦା କଲେ

ମସ୍କୋ: ୟୁକ୍ରେନ ଉପରେ ଆକ୍ରମଣ ପରେ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବିଚଳିତ ହୋଇ ପଡିଛନ୍ତି। ଖବର ଅନୁଯାୟୀ, ପରମାଣୁ ଆକ୍ରମଣ ହେବାର ଆଶଙ୍କା ଥିବାରୁ ସେ ନିଜ ପରିବାରକୁ ଏକ ରହସ୍ୟମୟ ଅଣ୍ଡର ଗ୍ରାଉଣ୍ଡ ସହରରେ ଲୁଚାଇ ରଖିଛନ୍ତି। ପୁଟିନଙ୍କ ଭୟ ଏତେ ବଢ଼ିଯାଇଛି ଯେ ସେ ତାଙ୍କର ୧୦୦୦ ଜଣ ବ୍ୟକ୍ତିଗତ ଷ୍ଟାଫଙ୍କୁ ବରଖାସ୍ତ କରିଛନ୍ତି । କାରଣ ତାଙ୍କ ଆଶଙ୍କା ଯେ ସେମାନେ ତାଙ୍କୁ ବିଷ ଦେଇ ହତ୍ୟା କରିପାରନ୍ତି। ଏକ ରିପୋର୍ଟରେ କୁହାଯାଇଛି ଯେ ପୁଟିନ ଭୟଭୀତ ହୋଇ ନିଜର ଶହ ଶହ ବ୍ୟକ୍ତିଗତ କର୍ମଚାରୀଙ୍କୁ ବଦଳାଇ ଦେଇଛନ୍ତି।

ଡେଲିଷ୍ଟାର ରିପୋର୍ଟ ଅନୁଯାୟୀ ଏଥିରେ ପୁଟିନଙ୍କ ରୋଷେଇ, ସଚିବ, ଲଣ୍ଡ୍ରି କର୍ମଚାରୀ ଏବଂ ଅଙ୍ଗରକ୍ଷୀ ଅନ୍ତର୍ଭୁକ୍ତ। ରୁଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ୨୬ ଦିନରେ ପହଞ୍ଚିଛି । ରୁଷକୁ କଡ଼ା ଟକ୍କର ଦେଉଛି ୟୁକ୍ରେନ ଏବଂ ୟୁକ୍ରେନର ରାଜଧାନୀ କିଭ୍ ଏବେ ବି ଜେଲେନସ୍କି ସରକାରଙ୍କ ନିୟନ୍ତ୍ରଣରେ ଅଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଯୁଦ୍ଧରେ ରୁଷର ତିନି ଜଣ ଜେନେରାଲଙ୍କ ସହ ହଜାର ହଜାର ସୈନିକଙ୍କ ମୃତ୍ୟୁ ହୋଇଛି। ଏକ ଫରାସୀ ଏଜେଣ୍ଟ ଦାବି କରିଛନ୍ତି ଯେ କ୍ରେମଲିନର ଲୋକମାନେ ପୁଟିନଙ୍କୁ କ୍ଷମତା ଚ୍ୟୁତ କରିପାରନ୍ତି। ଏହାର ଗୋଟିଏ ଉପାୟ ମଧ୍ୟ ‘ପୁଟିନଙ୍କ ହତ୍ୟା’ ହୋଇପାରେ।

ଖବର ଅନୁଯାୟୀ, ରୁଷର ବରିଷ୍ଠ ରାଜନୈତିକ ବ୍ୟକ୍ତିବିଶେଷ ପୁଟିନଙ୍କ ନିକଟବର୍ତ୍ତୀ ଲୋକଙ୍କୁ ତାଙ୍କୁ ହତ୍ୟା କରିବା ପାଇଁ ଉସକାଇଛନ୍ତି। ତେଣୁ ପୁଟିନଙ୍କ ଭୟ ଅମୂଳକ ନୁହେଁ। ଦକ୍ଷିଣ କାରୋଲିନାର ସିନେଟର ଲିଣ୍ଡସେ ଗ୍ରାହାମ ଟୁଇଟ୍ କରି ପୁଟିନଙ୍କ ହତ୍ୟା କରିବାକୁ ଆହ୍ବାନ କରିଛନ୍ତି। ସେ କହିଥିଲେ, ‘ଏସବୁକୁ ଶେଷ କରିବାର ଏକମାତ୍ର ଉପାୟ ହେଉଛି ଏହି ବ୍ୟକ୍ତିଙ୍କୁ (ପୁଟିନ) ବାହାର କରିଦେବା’। ତୁମ ଦେଶ ପାଇଁ, ବିଶ୍ୱ ପାଇଁ ତୁମେ ଏହା କରିବା ଜରୁରୀ |

ପୁଟିନଙ୍କୁ ହତ୍ୟା କରାଗଲେ ବିଷ ଏକ ସମ୍ଭାବ୍ୟ ମାଧ୍ୟମ ହୋଇପାରେ ବୋଲି ଫ୍ରାନ୍ସର ଗୁପ୍ତଚର ଅଧିକାରୀ ଦାବି କରିଛନ୍ତି। ରୁଷିଆ ସରକାର ଏହାର ଶତ୍ରୁମାନଙ୍କ ବିରୁଦ୍ଧରେ ବିଷ ବ୍ୟବହାର କରୁଥିବା ଜଣା ପଡିଛି | ଫ୍ରାନ୍ସର ଏଜେଣ୍ଟ କହିଛନ୍ତି ଯେ ଏହି ପ୍ରୟାସ କେବଳ ରୁଷର ହିଁ କେହି କରିପାରେ | ସେ କହିଛନ୍ତି ଯେ ରୁଷର ଗୁପ୍ତଚର ଏଜେନ୍ସି ହେଉଛି ଦୁନିଆର ଏକମାତ୍ର ଏଜେନ୍ସି ଯାହା ନିଜ ଶତ୍ରୁଙ୍କୁ ମାରିବା ପାଇଁ ବିଷ ବ୍ୟବହାର କରେ।

Comments are closed.