‘ଦେଶରେ ଗଣତନ୍ତ୍ରକୁ ହତ୍ୟା କରାଯାଉଛି’, କେନ୍ଦ୍ର ସରକାରଙ୍କୁ ରାହୁଲଙ୍କ ଜୋରଦାର ଆକ୍ରମଣ

ନୂଆଦିଲ୍ଲୀ: ଦରବୃଦ୍ଧି ଓ ବେକାରୀ ସମସ୍ୟା ବିରୋଧରେ କଂଗ୍ରେସ ଆଜି ଦେଶବ୍ୟାପୀ ଆନ୍ଦୋଳନ ଡ଼ାକରା ଦେଇଛି । ସେପଟେ ଦଳୀୟ ନେତା ରାହୁଲ ଗାନ୍ଧୀ କେନ୍ଦ୍ର ସରକାର ଉପରେ ଜୋରଦାର ଆକ୍ରମଣ କରିଛନ୍ତି । ରାହୁଲ କହିଛନ୍ତି, ଦେଶରେ ଗଣତନ୍ତ୍ରକୁ ହତ୍ୟା କରାଯାଉଛି ଏବଂ ୭୦ ବର୍ଷରେ ଏହି ଦେଶ ଯାହା ନିର୍ମାଣ କରିଛି ତାହା ୮ ବର୍ଷରେ ନଷ୍ଟ ହୋଇଯାଇଛି।

ରାହୁଲ ଶୁକ୍ରବାର କଂଗ୍ରେସ ମୁଖ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରି ମୁଦ୍ରାସ୍ଫୀତି, ବେକାରୀ ଏବଂ ବିରୋଧୀ ଦଳଙ୍କୁ ଟାର୍ଗେଟ କରିବା ନେଇ କେନ୍ଦ୍ର ସରକାରଙ୍କୁ ଭର୍ତ୍ସନା କରିଛନ୍ତି।

ରାହୁଲ କହିଛନ୍ତି, ଦେଶରେ ଗଣତନ୍ତ୍ରର ମୃତ୍ୟୁ ହେବାରେ ଲାଗିଛି । ୭୦ ବର୍ଷରେ ଏହି ଦେଶ ଯାହା ନିର୍ମାଣ କରିଥିଲା ​​ତାହା ଆଠ ବର୍ଷରେ ନଷ୍ଟ ହୋଇଯାଇଛି |

ଆଜି ଭାରତରେ ଗଣତନ୍ତ୍ର ନାହିଁ, ଆଜି ଚାରି ଜଣଙ୍କର ଏକଛତ୍ରବାଦୀ ଶାସନ ଚାଲିଛି। ଆମେ ବେକାରୀ, ମୁଦ୍ରାସ୍ଫୀତି ପ୍ରସଙ୍ଗ ଉଠାଇବାକୁ ଚାହୁଁଛୁ। ଲୋକଙ୍କୁ ଧର୍ମ ଆଧାରରେ ବାଣ୍ଟିବା ଉପରେ କହିବାକୁ ଚାହୁଁଛୁ, ସଂସଦରେ ଏହି ସବୁ ପ୍ରସଙ୍ଗ ଉଠାଇବାକୁ ଚାହୁଁଛୁ।

ଗଣତନ୍ତ୍ରର ଅନୁଷ୍ଠାନର ଶକ୍ତି ଉପରେ ବିରୋଧୀ ଲଢନ୍ତି। ବିରୋଧୀ ଦେଶର ଆଇନ, ନ୍ୟାୟିକ, ନିର୍ବାଚନ ଅନୁଷ୍ଠାନ ଏବଂ ଗଣମାଧ୍ୟମର ଶକ୍ତି ଉପରେ ଛିଡ଼ା ହୋଇଥାନ୍ତି । କିନ୍ତୁ ଏହି ସମସ୍ତ ଅନୁଷ୍ଠାନ ସରକାରଙ୍କୁ ପୂର୍ଣ୍ଣ ସମର୍ଥନ ଦେଉଛନ୍ତି। ସରକାର ନିଜ ଲୋକଙ୍କୁ ଏହି ସବୁ ଅନୁଷ୍ଠାନ ଭିତରେ ବସାଇଛନ୍ତି । ଏବେ ଦେଶରେ କୌଣସି ସଂସ୍ଥା ଆଉ ସ୍ୱାଧୀନ ନୁହେଁ | ଏହି ସବୁ ସଂସ୍ଥା ଏବେ ଆରଏସସର ନିୟନ୍ତ୍ରଣରେ ରହିଛନ୍ତି | ସେମାନଙ୍କ ଭିତରେ ଜଣେ ଜଣେ ଆରଏସଏସ୍ ଲୋକ ବସିଛନ୍ତି | ଆମେ ପୂରା ସିଷ୍ଟମ ବିରୋଧରେ ଲଢୁଛୁ ବୋଲି ରାହୁଲ କହିଛନ୍ତି।

ମୁଁ ଯେତେ ଲୋକଙ୍କ ସମସ୍ୟା ସାମ୍ନାକୁ ଆଣିବି, ମୁଁ ଯେତେ ସତ୍ୟ କହୁଛି, ମୋତେ ସେତେ ଅଧିକ ଆକ୍ରମଣ କରାଯିବ। ଗଣତନ୍ତ୍ର ପାଇଁ ଛିଡା ହେବା, ବେକାରୀ ସମସ୍ୟା, ମୁଦ୍ରାସ୍ଫୀତି ପ୍ରସଙ୍ଗ ଉଠାଇବା ପାଇଁ କାର୍ଯ୍ୟ କରିବି, ମୋ ଉପରେ ଅଧିକ ଆକ୍ରମଣ ହେବ ।

ଆଜି ଭାରତରେ ସର୍ବାଧିକ ବେକାର ଯୁବକ ଅଛନ୍ତି, ମୁଦ୍ରାସ୍ଫୀତି, ଗ୍ୟାସ-ସିଲିଣ୍ଡର ଦର ବଢ଼ି ଚାଲିଛି, ଅର୍ଥମନ୍ତ୍ରୀ ଏହି ଆକଳନ ଦେଖିପାରୁ ନାହାଁନ୍ତି କିମ୍ବା ତାଙ୍କୁ କୁହାଯାଇଛି ଯେ କେବଳ ଏମିତି କହିବା ଜାରି ରଖନ୍ତୁ ବୋଲି ରାହୁଲ କହିଛନ୍ତି।

ଅନ୍ୟପକ୍ଷରେ ରାହୁଲ ଗାନ୍ଧୀଙ୍କ ଆକ୍ରମଣର ଜବାବ ଦେଇଛି ବିଜେପି। ମୁଦ୍ରାସ୍ଫୀତି ଏବଂ ବେକାରୀ କେବଳ ଏକ ବାହାନା ବୋଲି ବିଜେପି କହିଛି। ପ୍ରକୃତ କାରଣ ଇଡିକୁ ଧମକ ଦେବା, ଭୟଭୀତ କରିବା ଏବଂ ଗୋଟିଏ ପରିବାରକୁ ବଞ୍ଚାଇବା | ଗଣତନ୍ତ୍ରର ବହୁଥର ହତ୍ୟା କଂଗ୍ରେସ ସରକାର ସମୟରେ ଘଟିଥିବା ବିଜେପି କହିଛି।

ଶୁକ୍ରବାର କଂଗ୍ରେସ ମୁଦ୍ରାସ୍ଫୀତି, ବେକାରୀ ଏବଂ ଜିଏସଟି ଭଳି ପ୍ରସଙ୍ଗରେ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିଛି।

ଦଳ ସଂସଦରୁ ରାଷ୍ଟ୍ରପତି ଭବନ ଏବଂ ପ୍ରଧାନମନ୍ତ୍ରୀଙ୍କ ବାସଭବନର ଘେରାଉ କରିବ ବୋଲି ଘୋଷଣା କରିଛି।

ତେବେ ଏଥିପାଇଁ ଦିଲ୍ଲୀ ପୋଲିସ କଂଗ୍ରେସକୁ ଅନୁମତି ଦେଇନାହିଁ। ଜନ୍ତର୍ ମନ୍ତର୍ ବ୍ୟତୀତ ଦିଲ୍ଲୀରେ ପୋଲିସ ଧାରା ୧୪୪ ଜାରି କରିଛି।

Comments are closed.