ରାହୁଲଙ୍କ ସହ କଂଗ୍ରେସର ବହୁ ନେତା ପ୍ରୋଫାଇଲ୍ ଫଟୋ ବଦଳାଇଲେ, ତ୍ରିରଙ୍ଗା ଧରିଥିବା ନେହରୁଙ୍କ ଫଟୋ ରଖିଲେ

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଏବଂ ଦଳର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସମେତ ଦଳର ଅନେକ ନେତା ବୁଧବାର ନିଜ ସୋସିଆଲ ମିଡିଆ ପ୍ରୋଫାଇଲ୍ ଡିପି (ଡିସପ୍ଲେ ପିକଚର୍) ଭାବେ ତ୍ରିରଙ୍ଗା ଧରିଥିବା ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହରୁଙ୍କ ଫଟୋ ରଖିଛନ୍ତି ।

କଂଗ୍ରେସ ନିଜ ଡିପି ବଦଳାଇବା ପରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ (ଆରଏସଏସ)କୁ ଟାର୍ଗେଟ କରିଛି । ଯେଉଁମାନେ ସ୍ୱାଧୀନତାର ୫୨ ବର୍ଷ ପର୍ଯ୍ୟନ୍ତ ନିଜ ମୁଖ୍ୟାଳୟରେ ତ୍ରିରଙ୍ଗା ଲଗାଇ ନଥିଲେ, ସେମାନେ କଣ ପ୍ରଧାନମନ୍ତ୍ରୀଙ୍କ କଥା ମାନିବେ କି ବୋଲି କଂଗ୍ରେସ ପ୍ରଶ୍ନ କରିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିକଟରେ ନିଜର ସବୁ ସୋସିଆଲ ମିଡିଆରେ ପ୍ରୋଫାଇଲ୍ ଫଟୋ ଭାବେ ତ୍ରିରଙ୍ଗା ରଖିଥିଲେ ଏବଂ ଲୋକଙ୍କୁ ମଧ୍ୟ ଏପରି କରିବାକୁ ଆହ୍ବାନ କରିଥିଲେ ।

ନେହେରୁଙ୍କ ଫଟୋ ସହିତ ଡିପି ପୋଷ୍ଟ କରିବା ପରେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଟୁଇଟ୍ କରି କହିଛନ୍ତି ଯେ “ଦେଶକି ଶାନ୍ ହୈ ହମାରା ତିରଙ୍ଗା, ହର୍ ହିନ୍ଦୁସ୍ତାନୀକି ଦିଲମେଁ ହୈ, ହମାରା ତିରଙ୍ଗା।”

ପାର୍ଟିର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ସମାନ ଫଟୋକୁ ଡିପି ଭାବେ ପୋଷ୍ଟ କରି କହିଛନ୍ତି ଯେ, “ବିଜୟୀ ବିଶ୍ବ ତିରଙ୍ଗା ପ୍ୟାରା, ଝଣ୍ଡା ଉଁଚ୍ଚା ରହେ ହମାରା।”

କଂଗ୍ରେସ ଏହାର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ବି ଡିପି ଭାବେ ଏହି ଫଟୋ ହିଁ ରଖିଛି।

Comments are closed.