ବେକାରୀ ଓ ଦରଦାମ୍ ବୃଦ୍ଧି ବିରୋଧରେ କଂଗ୍ରେସର ବିକ୍ଷୋଭ, ରାହୁଲ ଗାନ୍ଧୀ ଅଟକ

ନୂଆଦିଲ୍ଲୀ: ବେକାରୀ ଓ ଦରଦାମ୍ ବୃଦ୍ଧି ପ୍ରସଙ୍ଗରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପୋଲିସ ଅଟକ ରଖିଛି ।

ଅନ୍ୟପକ୍ଷରେ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ କଂଗ୍ରେସ ମୁଖ୍ୟାଳୟ ନିକଟରେ ସୁରକ୍ଷା କର୍ଡନ ଭାଙ୍ଗି ବ୍ୟାରିକେଡକୁ ଡେଇଁ ଆଗକୁ ବଢୁଥିବା ବେଳେ ତାଙ୍କୁ ପୋଲିସ ଅଟକାଇବାରୁ ସେ ରାସ୍ତାରେ ହିଁ ଧାରଣାରେ ବସିଥିଲେ।

ରାହୁଲ ଗାନ୍ଧୀଙ୍କୁ ଅଟକ ରଖାଯିବା ପରେ କଂଗ୍ରେସ ଏକ ଭିଡିଓ ସେୟାର କରିଛି। ଭିଡିଓରେ ରାହୁଲ ଗାନ୍ଧୀ ବସ୍‌ରେ ନଜର ଆସିଛନ୍ତି ଏବଂ ସାଂସଦ ଇମ୍ରାନ ପ୍ରତାପଗଢୀ ମଧ୍ୟ ତାଙ୍କ ସହ ଅଛନ୍ତି।

କଡ଼ା ସୁରକ୍ଷା ମଧ୍ୟରେ ପ୍ରିୟଙ୍କା ଗାନ୍ଧୀ କଂଗ୍ରେସ ମୁଖ୍ୟାଳୟ ବାହାରେ ରାସ୍ତାରେ ଧାରଣାରେ ବସିଛନ୍ତି ।

ସେପଟେ ପୋଲିସ ତାଙ୍କୁ ଅଟକ ରଖିବା ପୂର୍ବରୁ ରାହୁଲ ଗାନ୍ଧୀ ଅଭିଯୋଗ କରିଥିଲେ ଯେ କଂଗ୍ରେସର କିଛି ସାଂସଦଙ୍କୁ ଟଣା ଓଟରା କରାଯିବା ସହ ମାଡ଼ ମରାଯାଇଛି।

ଦରବୃଦ୍ଧି ଏବଂ ବେକାରୀ ସମସ୍ୟା ବିରୋଧରେ କଂଗ୍ରେସ ଆଜି (ଅଗଷ୍ଟ ୫)ରେ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବ ବୋଲି ଘୋଷଣା କରିଥିଲା। ଆଜି ଦଳର ବିକ୍ଷୋଭ ପୂର୍ବରୁ ରାହୁଲ ଗାନ୍ଧୀ ସକାଳେ ଏକ ସାମ୍ବାଦିକ ସମ୍ମିଳନୀ କରି ମୋଦୀ ସରକାରଙ୍କୁ ଆକ୍ରମଣ କରିଥିଲେ। ସେ କହିଥିଲେ ଯେ ଯେଉଁମାନେ ଭୟଭୀତ ହୋଇପଡ଼ିଛନ୍ତି ସେମାନେ ହିଁ ଧମକ ଦେଉଛନ୍ତି। ରାହୁଲ ଗାନ୍ଧୀ ଆହୁରି ମଧ୍ୟ କହିଛନ୍ତି ଯେ ଆଗାମୀ ସମୟରେ ତାଙ୍କ ଉପରେ ଆକ୍ରମଣ ବଢ଼ିବ କିନ୍ତୁ ଏହା ତାଙ୍କୁ ଆହୁରି ସଶକ୍ତ କରିବ ।

ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ସମସ୍ତ କଂଗ୍ରେସ ସାଂସଦ କଳା ପୋଷାକ ପିନ୍ଧି ସଂସଦରୁ ରାଷ୍ଟ୍ରପତି ଭବନ ଅଭିମୁଖେ ପଦଯାତ୍ରା କରିଥିଲେ । କିନ୍ତୁ ରାସ୍ତାରେ ହିଁ ଅଟକାଇ ଦିଆଯାଇଥିଲା ।

Comments are closed.