ସିନ୍ଦେ ଟିମର ପୁଣି ଏକ ବିଜୟ, ବିଜେପି ପ୍ରାର୍ଥୀ ରାହୁଲ ନର୍ଭେକର ମହାରାଷ୍ଟ୍ର ବିଧାନସଭାର ନୂଆ ବାଚସ୍ପତି ନିର୍ବାଚିତ

ମୁମ୍ବାଇ: ମହାରାଷ୍ଟ୍ରରେ ଶିବସେନାର ଉଦ୍ଧବ ଠାକରେ ଗୋଷ୍ଠୀକୁ ଆଉ ଏକ ବଡ଼ ଝଟକା ଲାଗିଛି । ଆସ୍ଥା ଭୋଟ୍ ପୂର୍ବରୁ ସିନ୍ଦେ ଟିମର ପୁଣି ଏକ ବିଜୟ ହୋଇଛି । ବିଜେପି ପ୍ରାର୍ଥୀ ରାହୁଲ ନର୍ଭେକର ମହାରାଷ୍ଟ୍ର ବିଧାନସଭାର ନୂଆ ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି । ବିଧାନସଭାର ସ୍ୱତନ୍ତ୍ର ଅଧିବେଶନର ପ୍ରଥମ ଦିନରେ ବାଚସ୍ପତି ନିର୍ବାଚନ ପାଇଁ ମତଦାନ ହୋଇଥିଲା। ଏଥିରେ ସିନ୍ଦେ ଗୋଷ୍ଠୀ ‘ମହାବିକାଶ ଅଘାଡି (ଏମଭିଏ)’ ମିଳିତ ମଞ୍ଚକୁ ବହୁତ ପଛରେ ପକାଇ ଦେଇଥିଲା | ଏହି ବିଜୟ ପରେ ସୋମବାର ତଥା ଜୁଲାଇ ୪ରେ ଏକନାଥ ସିନ୍ଦେ ସରକାର ବିଧାନସଭାରେ ସଂଖ୍ୟାଗରିଷ୍ଠତା ସାବ୍ୟସ୍ତ କରିବାକୁ ଅଣ୍ଟା ଭିଡିଛି ।

ମହାରାଷ୍ଟ୍ର ବିଧାନସଭାରେ ଯେତେବେଳେ ବାଚସ୍ପତି ନିର୍ବାଚନ ପାଇଁ ମତଦାନ ହୋଇଥିଲା, ଆରମ୍ଭରୁ ବିଜେପିର ରାହୁଲ ନର୍ଭେକର ଆଗୁଆ ରହିଥିଲେ। ସେ ମୋଟ ୧୬୪ ଭୋଟ୍ ପାଇ ଜିତିଥିଲେ | ଅନ୍ୟପକ୍ଷରେ ଏମଭିଏ ପକ୍ଷରୁ ମନୋନୀତ ହୋଇଥିବା ରାଜନ ସାଲଭିଙ୍କୁ ମୋଟ ୧୦୭ ଖଣ୍ଡ ଭୋଟ୍ ମିଳିଥିଲା। ବଡ଼ କଥା ହେଉଛି ବିଜେପି ପ୍ରାର୍ଥୀଙ୍କୁ ଏମଏନଏସର ସମର୍ଥନ ମଧ୍ୟ ମିଳିଥିଲା । ଏଥିସହିତ ଏସପିର ଦୁଇଜଣ ବିଧାୟକ ଏବଂ ଏଆଇଏମ୍ଆଇଏମ୍ ର ବିଧାୟକ ଭୋଟ୍ ଦେବାକୁ ମନା କରି ଦେଇଥିଲେ। ସିପିଆଇ ବିଧାୟକ ବିନୋଦ ନିକୋଲାଇ ଏମଭିଏ ସପକ୍ଷରେ ଭୋଟ୍ ଦେଇଥିଲେ ।

Comments are closed.