ପାଇଲଟ୍ ନେବେ କି ଗେହଲୋଟଙ୍କ ସ୍ଥାନ? ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ ଉପରେ ଆଜି ହୋଇପାରେ ନିଷ୍ପତ୍ତି

ନୂଆଦିଲ୍ଲୀ: କଂଗ୍ରେସର ସଭାପତି ପଦ ପାଇଁ ଅଶୋକ ଗେହଲୋଟ୍ ନାମାଙ୍କନ ଦାଖଲ ପୂର୍ବରୁ ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ ଚୟନ ପାଇଁ କସରତ ଆରମ୍ଭ ହୋଇଛି। ଆଜି ସନ୍ଧ୍ୟା ୭ଟାରେ ମୁଖ୍ୟମନ୍ତ୍ରୀ ଗେହଲୋଟଙ୍କ ବାସଭବନରେ କଂଗ୍ରେସ ବିଧାୟକ ଦଳର ଏକ ବୈଠକ ଡକାଯାଇଛି।

ଏହି ବୈଠକରେ କଂଗ୍ରେସର ରାଜସ୍ଥାନ ପ୍ରଭାରୀ ଅଜୟ ମାକେନ୍ ଏବଂ ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ ଉପସ୍ଥିତ ରହିବେ। ମାକେନ୍ ଏବଂ ଖଡଗେ ବିଧାୟକଙ୍କ ସହ ଆଲୋଚନା କରିବେ ଏବଂ ନୂଆ ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ ସେମାନଙ୍କ ମତାମତ ଜାଣିବେ। ମୁଖ୍ୟମନ୍ତ୍ରୀ ପଦ ପାଇଁ ସଚିନ ପାଇଲଟ୍ ଏବଂ ସିପି ଯୋଶୀଙ୍କ ନାମକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ତେବେ ବର୍ତ୍ତମାନ ସୁଦ୍ଧା ପାଇଲଟ୍ ଏହି ରେସରେ ଆଗରେ ରହିଥିବା ଜଣାପଡିଛି ।

କଂଗ୍ରେସ ସଭାପତି ନିର୍ବାଚନ ପାଇଁ ଗେହଲୋଟ୍ ସେପ୍ଟେମ୍ବର ୨୮ରେ ତାଙ୍କ ନାମାଙ୍କନପତ୍ର ଦାଖଲ କରିବେ। ଏହାପୂର୍ବରୁ ବିଧାୟକ ଦଳ ବୈଠକରେ ରାଜ୍ୟ ପ୍ରଭାରୀ ମାକେନ୍ ଏବଂ ଖଡଗେଙ୍କ ଉପସ୍ଥିତି ରାଜନୈତିକ ଚର୍ଚ୍ଚାକୁ ଇନ୍ଧନ ଯୋଗାଇଛି ।

ଗେହଲଟଙ୍କ ନାମାଙ୍କନ ପାଇଁ ଦଳୀୟ ବିଧାୟକ ତଥା ବରିଷ୍ଠ ନେତାମାନଙ୍କୁ ଦିଲ୍ଲୀରେ ପହଞ୍ଚିବାକୁ କୁହାଯାଇଛି। କଂଗ୍ରେସ ବିଧାୟକ ଓ ମନ୍ତ୍ରୀମାନେ ସେପ୍ଟେମ୍ବର ୨୭ରେ ହିଁ ଦିଲ୍ଲୀ ଯିବେ ।

ଯଦି ସେ ଦଳର ଜାତୀୟ ସଭାପତି ହୁଅନ୍ତି, ତେବେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ବୋଲି ଅଶୋକ ଗେହଲୋଟ୍ କହିଛନ୍ତି । ଗେହଲୋଟ୍ କହିଥିଲେ ଯେ ସଭାପତି ପଦ ସହିତ ମୁଖ୍ୟମନ୍ତ୍ରୀ ରହିବା ଏହି ଗୁରୁତ୍ୱପୂର୍ଣ୍ଣ ପଦ ପାଇଁ ନ୍ୟାୟ ହେବ ନାହିଁ। ଏଭଳି ସ୍ଥଳେ ଗେହଲୋଟ୍ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ବୋଲି ନିଷ୍ପତ୍ତି ହୋଇସାରିଥିବା ଆଭାସ ମିଳୁଛି । ତେବେ ଗେହଲୋଟ୍ କଂଗ୍ରେସ ସଭାପତି ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିବା ପରେ ନା ନିର୍ବାଚନ ଜିତିବା ପରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ସେନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଗେହଲୋଟ୍ ସମର୍ଥକ ମନ୍ତ୍ରୀ-ବିଧାୟକମାନେ ତାଙ୍କୁ ଉଭୟ ପଦରେ ରହିବା ଚାହୁଁଛନ୍ତି । କିନ୍ତୁ ରାହୁଲ ଗାନ୍ଧୀ ସ୍ପଷ୍ଟ କରିସାରିଛନ୍ତି ଯେ ଉଦୟପୁର ଚିନ୍ତନ ଶିବିରରେ ଗୃହୀତ ‘ଏକ ବ୍ୟକ୍ତି ଏକ ପଦ ‘ ସଂକଳ୍ପକୁ ତାଙ୍କ ଦଳ ଅକ୍ଷରେ ଅକ୍ଷରେ ପାଳନ କରିବ ।

Comments are closed.