ରାଜ୍ୟସଭାରେ ରାଜନାଥଙ୍କ ବିବୃତି : ଏଲଏସିରେ ଯଥାସ୍ଥିତି ପରିବର୍ତନ ପାଇଁ ଉଦ୍ୟମ ଗ୍ରହଣୀୟ ନୁହେଁ , ଲଦାଖରେ ଭାରତର ୩୮ ହଜାର ବର୍ଗ କିଲୋମିଟର ଅଂଚଳ ବେଆଇନ ଭାବେ କବଜା କରିଛି ଚୀନ୍

ନୂଆଦିଲ୍ଲୀ- ଏଲଏସିରେ ଯଥାସ୍ଥିତିକୁ ଏକତରଫା ଭାବେ ପରିବର୍ତନ ପାଇଁ ହେଉଥିବା ଉଦ୍ୟମ ଭାରତ ପାଇଁ ଗ୍ରହଣୀୟ ହେବ ନାହିଁ । ଏ କଥା ଚୀନକୁ ଜଣାଇଦିଆଯାଇଛି । ରାଜ୍ୟସଭାରେ ଭାରତ-ଚୀନ ସୀମା ବିବାଦକୁ ନେଇ ବିବୃତି ରଖି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହା କହିଛନ୍ତି । ପୂର୍ବ ଲଦାଖରେ ଭାରତ ଆହ୍ୱାନର ସାମନା କରୁଛି । ବିବାଦକୁ ଶାନ୍ତିପୂର୍ଣ୍ଣ ଭାବେ ସମାଧାନ କରିବାକୁ ଭାରତ ଚାହେଁ । କିନ୍ତୁ ଆମର ସଶସ୍ତ୍ର ବାହିନୀ ଦେଶର ଅଖଣ୍ଡତା ଓ ସାର୍ବଭୌମତା ବଜାୟ ରଖିବା ପାଇଁ ବଦ୍ଧ ପରିକର ବୋଲି ରାଜନାଥ କହିଛନ୍ତି ।

ଚୀନ ସହ ଭାରତର ସୀମା ସମସ୍ୟାର ସମାଧାନ ହୋଇ ନାହିଁ । ଏଲଏସିରେ ଯଦି ଉତେଜନା ଲାଗି ରହେ, ତାହା ହେଲେ ଏହା ସଂପର୍କ ମଧୁର ରହିବ ନାହିଁ । ଚୀନ୍ ଲଦାଖରେ ଭାରତର ୩୮ ହଜାର ବର୍ଗ କିଲୋମିଟର ଜମି ଅବୈଧ ଭାବେ କବଜା କରିଛି ବୋଲି ସୂଚନା ଦେଇଥିଲେ ରାଜନାଥ । ଏ ଯାଏଁ ଭାରତ-ଚୀନ ସୀମାବର୍ତି ଅଂଚଳରେ ଏଲଏସି ନାହିଁ । ଏଲଏସି ବାବଦରେ ଦୁଇ ଦେଶର ଆଭିମୁଖ୍ୟ ଅଲଗା ଅଲଗା ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଥିଲେ । ତେଣୁ ଶାନ୍ତି ବଜାୟ ରଖିବା ପାଇଁ ଦୁଇ ଦେଶ ମଧ୍ୟରେ ଏକାଧିକ ବୁଝାମଣା ଓ ପ୍ରୋଟକଲ ରହିଛ ବୋଲି ରାଜ୍ୟସଭାରେ କହିଛନ୍ତି ରାଜନାଥ । କିନ୍ତୁ ଚୀନର୍ କଥା ଓ କାମରେ ଫରକ ରହୁଛି ବୋଲି ସେ ଆକ୍ଷେପ କରି କହିଥିଲେ ।

Comments are closed.