ରାନିଲ ବିକ୍ରମାସିଂଘେ ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି

କଲମ୍ବୋ: ଛ’ ଥରର ପୂର୍ବତନ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମାସିଂଘେ ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ରାନିଲ ୱିକ୍ରେମେସିଙ୍ଗେଙ୍କୁ ୧୩୪ ଭୋଟ୍ ମିଳିଥିବା ବେଳେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଡାଲାସ୍ ଆଲାପେରୁମା ୮୨ ଭୋଟ୍ ପାଇଛନ୍ତି। ପ୍ରଥମ ଥରପାଇଁ ଦେଶରେ ରାଷ୍ଟ୍ରପତି ସାଂସଦଙ୍କ ଦ୍ବାରା ନିର୍ବାଚିତ ହୋଇଛନ୍ତି ।

ଆଜି ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନରେ ମୋଟ ୨୨୩ ସାଂସଦ ଭୋଟ୍ ଦେଇଥିବାବେଳେ ଦୁଇ ଜଣ ସାଂସଦ ଅନୁପସ୍ଥିତ ଥିଲେ। ୨୨୩ ଭୋଟ୍ ମଧ୍ୟରୁ ୨୧୯ ଭୋଟ୍ ବୈଧ ବିବେଚନା ହୋଇଥିଲା ଏବଂ ଚାରିଟି ଭୋଟ୍ ଅବୈଧ ଘୋଷିତ ହୋଇଥିଲା।

ରାଷ୍ଟ୍ରପତି ନିର୍ବାଚନରେ ​​ଜିତିବା ପରେ ସଂସଦକୁ ସମ୍ବୋଧନ କରି ରାନିଲ ବିକ୍ରମାସିଂଘେ ସମସ୍ତ ଦଳଙ୍କୁ ମିଳିତ ଭାବେ କାର୍ଯ୍ୟ କରିବାକୁ ନିବେଦନ କରିଛନ୍ତି ଏବଂ ଶ୍ରୀଲଙ୍କାକୁ ଉତ୍କଟ ଅର୍ଥନୈତିକ ସମସ୍ୟାରୁ ମୁକ୍ତ କରିବାକୁ ଅପିଲ କରିଛନ୍ତି । ଏଥି ସହ ସେ ଗୁରୁବାର ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି ।

ଗୋଟାବାୟା ରାଜପାକସା ଦେଶ ଛାଡ଼ି ପଳାୟନ ସହ ଇସ୍ତଫା ଦେବା ପରେ ରାନିଲ ବିକ୍ରମାସିଂଘେଙ୍କୁ କାମଚଳା ରାଷ୍ଟ୍ରପତି କରାଯାଇଥିଲା।

ବିକ୍ରମାସିଂଘେଙ୍କ କାର୍ଯ୍ୟକାଳ ନଭେମ୍ବର ୨୦୨୪ ରେ ଶେଷ ହେବ। ଅର୍ଥାତ୍ ସେ ଗୋଟାବାୟା ରାଜପକ୍ଷେଙ୍କ ଅବଶିଷ୍ଟ କାର୍ଯ୍ୟକାଳ ପୂରଣ କରିବେ |

ଜୁଲାଇ ୧୩ରେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଦେଶ ଛାଡ଼ି ମାଲଦ୍ୱୀପ ପରେ ସିଙ୍ଗାପୁର ପଳାଇଥିଲେ। ରାଜପକ୍ଷେଙ୍କ ଅନୁପସ୍ଥିତିରେ ରାନିଲ ବିକ୍ରମାସିଂଘେ ଦେଶର କାମଚଳା ରାଷ୍ଟ୍ରପତି ଭାବେ ଦାୟିତ୍ୱ ତୁଲାଇଥିଲେ। ଏବେ ତାଙ୍କର ରାଷ୍ଟ୍ରପତି ହେବା ଉପରେ ସଂସଦ ମଧ୍ୟ ମୋହର ଲଗାଇଛି ।

ଏହାପୂର୍ବରୁ ପ୍ରବଳ ବିରୋଧ ପରେ ଗୋଟାବାୟାଙ୍କ ଭାଇ ମହିନ୍ଦା ରାଜପକ୍ଷେ ପ୍ରଧାନମନ୍ତ୍ରୀଙ୍କ ଚୌକି ଛାଡ଼ିଥିଲେ ଏବଂ ସେହି ଦିନଠାରୁ ସେ କେଉଁଠାରେ ଅଛନ୍ତି ସେ ସମ୍ପର୍କରେ କୌଣସି ସୂଚନା ନାହିଁ।

ଗତ ସପ୍ତାହରେ ହଜାର ହଜାର ବିକ୍ଷୋଭକାରୀ ରାଷ୍ଟ୍ରପତି ଭବନକୁ ଧଶେଇ ପଶି ଏହାକୁ କବଜାକୁ ନେଇଥିଲେ । ତେବେ ନବନିର୍ବାଚିତ ରାଷ୍ଟ୍ରପତି ରାନିଲ ବିକ୍ରମାସିଂଘେ ମଧ୍ୟ ଲୋକପ୍ରିୟ ନୁହଁନ୍ତି । ତାଙ୍କ ବ୍ୟକ୍ତିଗତ ବାସଭବନରେ ମଧ୍ୟ ଉତ୍ତ୍ୟକ୍ତ ଲୋକେ ନିଆଁ ଲଗାଇ ଦେଇଥିଲେ । ଗୋଟାବାୟାଙ୍କ ପରେ ଶ୍ରୀଲଙ୍କାର ଜନସାଧାରଣ ବିକ୍ରମାସିଂଘେଙ୍କ ମଧ୍ୟ ଇସ୍ତଫା ଦାବି କରିଥିଲେ ।

Comments are closed.