ମହଙ୍ଗା ହେବ ଋଣ, ଆରବିଆଇ ପୁଣି ରେପୋ ରେଟ୍ ବଢ଼ାଇଲା

ମୁମ୍ବାଇ: ମୁଦ୍ରାସ୍ଫୀତି ରେକର୍ଡ ସ୍ତରରେ ପହଞ୍ଚିବା ଯୋଗୁଁ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପୁଣି ଥରେ ରେପୋ ରେଟ୍ ବଢ଼ାଇବାକୁ ଘୋଷଣା କରିଛି। ଆରବିଆଇ ବୁଧବାର ରେପୋ ରେଟ୍ ୦.୫୦ ପ୍ରତିଶତ ବୃଦ୍ଧି କରିଛି । ଏହା ଏବେ ୪.୯୦ ପ୍ରତିଶତରେ ପହଞ୍ଚିଛି | ପ୍ରାୟ ଏକ ମାସର ବ୍ୟବଧାନରେ ରେପୋ ରେଟରେ କ୍ରମାଗତ ଦ୍ୱିତୀୟ ଥର ବୃଦ୍ଧି ଘଟିଛି। ରେପୋ ରେଟ୍ ବଢ଼ିବା ଦ୍ବାରା ଋଣ ମହଙ୍ଗା ହୋଇପାରେ । ଆପଣଙ୍କ ଇଏମ୍ଆଇ ବଢ଼ିପାରେ ।

ମୁଦ୍ରା ନୀତି କମିଟିର ଜୁନ୍ ବୈଠକ ପରେ ଆଜି ରେପୋ ରେଟରେ ବୃଦ୍ଧି ନେଇ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି। ରିଜର୍ଭ ବ୍ୟାଙ୍କର ମୁଦ୍ରା ନୀତି କମିଟିର ଏହି ତିନି ଦିନିଆ ବୈଠକ ସୋମବାର ଠାରୁ ଆରମ୍ଭ ହୋଇଥିଲା ​​। ଏହା ଆଜି ଶେଷ ହୋଇଛି। ଏହି ଆର୍ଥିକ ବର୍ଷରେ ଆରବିଆଇ ମୁଦ୍ରା ନୀତି କମିଟିର ଏହା ତୃତୀୟ ବୈଠକ ଥିଲା | ଏହି ବୈଠକରେ କମିଟିର ପାଞ୍ଚଜଣ ସଦସ୍ୟ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ନେତୃତ୍ୱରେ ମୁଦ୍ରାସ୍ଫୀତି ଏବଂ ଅର୍ଥନୈତିକ ଅଭିବୃଦ୍ଧିର ସାମ୍ପ୍ରତିକ ସ୍ଥିତି ଉପରେ ଆଲୋଚନା କରିଥିଲେ । ବେକାବୁ ଦରଦାମ୍ ବୃଦ୍ଧିକୁ ନିୟନ୍ତ୍ରଣ କରିବା ରେପୋ ରେଟ୍ ବଢ଼ଇବା ଛଡ଼ା ବର୍ତ୍ତମାନ ଅନ୍ୟ କୌଣସି ବିକଳ୍ପ ନାହିଁ ବୋଲି ଆରବିଆଇ ମୁଦ୍ରା ନୀତି କମିଟିର ସଦସ୍ୟମାନେ ସହମତ ହୋଇଥିଲେ ।
ଏହାପୂର୍ବରୁ ଦୀର୍ଘ ବ୍ୟବଧାନ ପରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଗତ ମାସରେ ହଠାତ୍ ରେପୋ ରେଟ୍ ବୃଦ୍ଧି ଘୋଷଣା କରିଥିଲା।

ସରକାରୀ ତଥ୍ୟ ଅନୁଯାୟୀ, ଏପ୍ରିଲ୍ ୨୦୨୨ରେ ଖୁଚୁରା ମୁଦ୍ରାସ୍ଫୀତି ହାର ୭.୮ ପ୍ରତିଶତ ରେକର୍ଡ କରାଯାଇଥିଲା, ଯାହା ମେ ୨୦୧୪ ପରଠାରୁ ସର୍ବାଧିକ ଥିଲା। ସେହିପରି ଏପ୍ରିଲ୍ ୨୦୨୨ ରେ ପାଇକାରୀ ମୁଦ୍ରାସ୍ଫୀତି ହାର ୧୫.୦୮ ପ୍ରତିଶତକୁ ବୃଦ୍ଧି ପାଇଥିଲା, ଯାହା ଡିସେମ୍ବର ୧୯୯୮ ଠାରୁ ସର୍ବାଧିକ ଥିଲା | ଏପ୍ରିଲ ମାସରେ ରେକର୍ଡ ମୁଦ୍ରାସ୍ଫୀତି ପାଇଁ ଖାଦ୍ୟ ଏବଂ ଇନ୍ଧନ ଦର ବୃଦ୍ଧିକୁ ଦାୟୀ କରାଯାଇଥିଲା |

ଖାଦ୍ୟ ମୁଦ୍ରାସ୍ଫୀତି ବିଷୟରେ କହିବାକୁ ଗଲେ ଏହା ମାର୍ଚ୍ଚରେ ୭.୭୮ ପ୍ରତିଶତରୁ ଏପ୍ରିଲରେ ୮.୪୮ ପ୍ରତିଶତକୁ ବୃଦ୍ଧି ପାଇଥିଲା । ମେ ମାସ ପାଇଁ ମୁଦ୍ରାସ୍ଫୀତି ଆକଳନ ଏପର୍ଯ୍ୟନ୍ତ ପ୍ରକାଶ ପାଇନାହିଁ | ତେବେ ଏହି କିଛି ଦିନ ଧରି ଟମାଟୋ ଦର ଯେପରି ଭାବେ ବଢ଼ି ଚାଲିଛି, ମୁଦ୍ରାସ୍ଫୀତି ହାର ପୁଣି ଥରେ ଅଧିକ ରହିବ ବୋଲି ମନେ କରାଯାଉଛି | ଅନ୍ୟପକ୍ଷରେ ମୁଦ୍ରାସ୍ଫୀତି ନିୟନ୍ତ୍ରଣ ପାଇଁ ପେଟ୍ରୋଲ ଏବଂ ଡିଜେଲ ଉପରେ ଟିକସ ହ୍ରାସ କରିବା, ଅଶୋଧିତ ସୋୟାବିନ ଏବଂ ସନଫ୍ଲାଓ୍ବାର ତେଲ ଉପରେ ଆମଦାନୀ ଶୁଳ୍କ ହଟାଇବା ଏବଂ ବିମାନ ଇନ୍ଧନ (ଏଟିଏଫ) ମୂଲ୍ୟ ହ୍ରାସ କରିବା ଭଳି ପଦକ୍ଷେପ ସରକାର ନେଇଛନ୍ତି।

Comments are closed.