ସେମିଫାଇନାଲ ପୂର୍ବରୁ ୩୬ ଘଣ୍ଟା ଆଇସିୟୁରେ ଥିଲେ ରିଜଓ୍ବାନ୍, ତଥାପି ଖେଳିଲେ ଚମତ୍କାର ଇନିଂସ୍

ଦୁବାଇ: ପାକିସ୍ତାନ ଦଳ ଟି-୨୦ ବିଶ୍ୱକପ୍ ସେମିଫାଇନାଲରେ ଅଷ୍ଟ୍ରେଲିଆ ଠାରୁ ପରାସ୍ତ ହୋଇଥିଲେ ମଧ୍ୟ ନିଜ ଲଢୁଆ ପ୍ରଦର୍ଶନ ପାଇଁ ସମସ୍ତଙ୍କ ହୃଦୟ ଜିତିଛି । ଏହି ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ ଦଳ ଚମତ୍କାର ପ୍ରଦର୍ଶନ କରିଥିଲା। ଦଳର ଓପନର୍ ଯୋଡ଼ି ବାବର ଆଜାମ ଏବଂ ମହମ୍ମଦ ରିଜୱାନ ପ୍ରତି ମ୍ୟାଚରେ ଦଳକୁ ଚମତ୍କାର ଆରମ୍ଭ ଦେଇଥିଲେ। ଅଷ୍ଟ୍ରେଲିଆ ବିପକ୍ଷ ସେମିଫାଇନାଲରେ ମଧ୍ୟ ଉଭୟ ପୁଣି ପାକିସ୍ତାନକୁ ମଜବୁତ ଷ୍ଟାର୍ଟ ଦେଇଥିଲେ ।ରିଜୱାନ୍ ଦଳ ପକ୍ଷରୁ ଟପ୍ ସ୍କୋରର ହୋଇଥିଲେ । ହେଲେ କେହି ଜାଣିନଥିଲେ ଯେ ସେମିଫାଇନାଲ ମ୍ୟାଚ୍ ପୂର୍ବରୁ ରିଜୱାନ୍ ଦୁଇ ରାତି ଆଇସିୟୁରେ ଥିଲେ | ତାଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେଉଥିଲା । କିନ୍ତୁ ଅଷ୍ଟ୍ରେଲିଆ ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ସେ ଦଳକୁ ଫେରି ଏକ ଚିତ୍ତାକର୍ଷକ ଇନିଂସ ଖେଳିଥିଲେ।

ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ ପୂର୍ବରୁ ରିଜୱାନ୍ ଆଇସିୟୁରେ ପ୍ରାୟ ୩୬ ଘଣ୍ଟା ରହିଥିଲେ। ତାଙ୍କୁ ଦୁବାଇର ମିଡିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ରିଜୱାନ୍ ଫୁସଫୁସ୍ ସଂକ୍ରମଣରେ ପୀଡ଼ିତ ହୋଇଥିଲେ ଏବଂ ତାଙ୍କୁ ନିଶ୍ୱାସ ନେବାରେ କଷ୍ଟ ହେଉଥିଲା। ସେମିଫାଇନାଲ୍ ମ୍ୟାଚ୍ ପରେ ପାକିସ୍ତାନ ଦଳର ଡାକ୍ତର ଏହି ସୂଚନା ଦେଇଛନ୍ତି। ତେବେ ରିଜୱାନ ମ୍ୟାଚରେ ସଫଳ ପ୍ରତ୍ୟାବର୍ତ୍ତନ କରି ଚମତ୍କାର ୬୮ ରନ୍ କରିଥିଲେ। ଏଥିପାଇଁ ପାକିସ୍ତାନ ଦଳ ୧୭୬ ରନର ଚ୍ୟାଲେଞ୍ଜିଂ ସ୍କୋର୍ କରିବାକୁ ସମର୍ଥ ହୋଇଥିଲା।

ପାକ ଦଳର ଡାକ୍ତର ନଜିବୁଲ୍ଲା ସୋମ୍ରୋ କହିଛନ୍ତି – ନଭେମ୍ବର ୯ରେ ରିଜୱାନଙ୍କର ନିଶ୍ବାସ ନେବାରେ ସମସ୍ୟା ଦେଖାଦେଇଥିଲା। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ଯଥାଶୀଘ୍ର ନିଜକୁ ଫିଟ୍ କରିବା ଉପରେ ଧ୍ୟାନ ଦେଇଥିଲେ ଏବଂ ମ୍ୟାଚ୍ ପୂର୍ବରୁ ସୁସ୍ଥ ହୋଇଥିଲେ। ତଥାପି ମ୍ୟାଚ୍ ପୂର୍ବରୁ ଆମେ ତାଙ୍କୁ ଖେଳାଇ ରିସ୍କ ନେବୁ କି ନାହିଁ ଦ୍ବନ୍ଦ୍ବରେ ଥିଲୁ | ଶେଷରେ ଟିମ୍ ମ୍ୟାନେଜମେଣ୍ଟ ତାଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ କରିବାକୁ ନିଷ୍ପତ୍ତି ନେଇଥିଲା।

ରିଜୱାନଙ୍କ ସ୍ୱାସ୍ଥ୍ୟ ବିଷୟରେ କେହି ଜାଣି ନ ଥିଲେ। ସେମିଫାଇନାଲ ମ୍ୟାଚ ଆରମ୍ଭ ହେବା ପରେ ପାକିସ୍ତାନର ବ୍ୟାଟିଂ ପରାମର୍ଶଦାତା ମାଥ୍ୟୁ ହେଡେନ ତାଙ୍କ ବିଷୟରେ କହିଥିଲେ। ଫୁସଫୁସରେ ସମସ୍ୟା ଥିବା ସତ୍ତ୍ବେ ରିଜୱାନ୍ ଯେଭଳି ଏକ ହାଇ ପ୍ରେସର୍ ମ୍ୟାଚ୍ ଖେଳିବାକୁ ପ୍ରସ୍ତୁତ ହେଲେ ତାହା ଯେତିକି ଆଶ୍ଚର୍ଯ୍ୟଜନକ ସେତିକି ପ୍ରଶଂସନୀୟ ବୋଲି ହେଡେନ୍ କହିଛନ୍ତି ।

Comments are closed.