‘ପେନ୍ କିଙ୍ଗ୍’ ଭାବେ ବିଖ୍ୟାତ ରୋଟୋମ୍ୟାକ୍ ଗ୍ରୁପର ମାଲିକ ବିକ୍ରମ କୋଠାରିଙ୍କ ପରଲୋକ

ନୂଆଦିଲ୍ଲୀ: ଅନେକ ଦିନ ଧରି ଅସୁସ୍ଥ ଥିବା ବିଶିଷ୍ଟ ଉଦ୍ୟୋଗପତି ତଥା ରୋଟୋମ୍ୟାକ୍ ଗ୍ରୁପ୍‌ର ଚେୟାରମ୍ୟାନ୍ ବିକ୍ରମ କୋଠାରିଙ୍କ ମଙ୍ଗଳବାର ସକାଳେ ପରଲୋକ ହୋଇଯାଇଛି। ୩୭୦୦ କୋଟି ବ୍ୟାଙ୍କ ଠକେଇ ମାମଲାରେ କୋଠାରି ଅଭିଯୁକ୍ତ ଥିଲେ । ଦୁଇ ବର୍ଷ ଜେଲରେ ରହିବା ପରେ ଅସୁସ୍ଥତା ଯୋଗୁଁ ତାଙ୍କୁ ଜାମିନ ମିଳିଥିଲା। ସମାନ ମାମଲାରେ ଗିରଫ ହୋଇଥିବା ତାଙ୍କ ପୁଅ ରାହୁଲ କୋଠାରି ଏବେ ମଧ୍ୟ ଜେଲରେ ଅଛନ୍ତି।

ରୋଟୋମ୍ୟାକ୍ ପେନ୍ ର ନିର୍ମାତା ତଥା ରୋଟୋମ୍ୟାକ୍ ଗ୍ରୁପ୍‌ର ଚେୟାରମ୍ୟାନ୍ କୋଠାରିଙ୍କ ବିରୋଧରେ ୩୭୦୦ କୋଟି ଟଙ୍କା ଠକେଇ ଅଭିଯୋଗ ହୋଇଥିଲା। ଏହି ମାମଲାରେ ସିବିଆଇ ତାଙ୍କୁ ୨୦୧୮ରେ ଗିରଫ କରିଥିଲା। ଅସୁସ୍ଥତା କାରଣରୁ ୬ ମାସ ପୂର୍ବେ ସେ ଜାମିନରେ ଜେଲରୁ ମୁକୁଳିଥିଲେ। ଏଥିସହିତ ସିବିଆଇ ବ୍ୟତୀତ ଇଡି ମଧ୍ୟ ତାଙ୍କ ମାମଲାର ତଦନ୍ତ କରୁଛି। ଫେବୃଆରୀ ୧୮ରେ ସିବିଆଇ ତାଙ୍କ ଘର ଓ ଅଫିସ୍ ଉପରେ ଚଢ଼ାଉ କରିବା ପରେ ସେ ଚର୍ଚ୍ଚାକୁ ଆସିଥିଲେ ଏବଂ ସେତେବେଳେ ତାଙ୍କୁ ଗିରଫ କରାଯାଇଥିଲା।

ବିକ୍ରମ କୋଠାରି ୯୦ ଦଶକରେ ପେନ୍ କିଙ୍ଗ ନାମରେ ବ୍ୟବସାୟ ଜଗତରେ ବିଖ୍ୟାତ ଥିଲେ | ବିଶ୍ବର ୩୮ଟି ଦେଶରେ ସେ ନିଜର କଲମ ବ୍ୟବସାୟକୁ ବିସ୍ତାର କରିଥିଲେ। ସଲମାନ ଖାନ ଏବଂ ରବୀନା ଟଣ୍ଡନଙ୍କ ଭଳି ବଲିଉଡ୍ ସେଲିବ୍ରିଟି ଏକଦା ରୋଟୋମ୍ୟାକ୍ କଲମର ବ୍ରାଣ୍ଡ ଆମ୍ବାସାଡର ଥିଲେ। ରୋଟୋମ୍ୟାକ୍ ବ୍ରାଣ୍ଡ ଏକଦା ବହୁ ବଡ ଆନ୍ତର୍ଜାତୀୟ ପେନ୍ କମ୍ପାନୀ ଗୁଡ଼ିକୁ ପଛରେ ପକାଇ ଦେଇଥିଲା ।

Comments are closed.