ରାଉରକେଲାରେ ସ୍ୱାୟତ ଶାସନ ଦିବସ : କୋରୋନା ଯୋଦ୍ଧା ଓ ସଫେଇ କର୍ମଚାରୀ ସମ୍ମାନିତ, ଏସଏଚଜିଙ୍କୁ ୩୮ଟି ଗୋଷ୍ଠୀ ଶୌଚାଳୟର ପରିଚାଳନା ଦାୟିତ୍ୱ

ରାଉରକେଲା: ସ୍ୱାୟତ୍ତ ଶାସନ ଦିବସ ୨୦୨୦ ଆଜି ରାଉରକେଲା ମହାନଗର ନିଗମ ପକ୍ଷରୁ ସୁଚାରୁ ରୂପେ ପାଳିତ ହୋଇଯାଇଛି। ଆଜି ବଡି ଭୋରରୁ ନିଗମ ପକ୍ଷରୁ ସହରରେ ଥିବା ବରପୂତ୍ର ମାନଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲା। ପରେ କମିଶନର ଶ୍ରୀ ଦିବ୍ୟଜ୍ୟୋତି ପରିଡା କାର୍ଯ୍ୟାଳୟ ପରିସରରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ପରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା। କରୋନା ମହାମାରୀ ସମୟରେ ଲୋକଙ୍କ ସେବା କରି ପ୍ରାଣବଳି ଦେଇଥିବା ସମସ୍ତ କରୋନା ଯୋଦ୍ଧାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ନିରବ ପ୍ରାର୍ଥନା କରାଯାଇଥିଲା। ଆଜି ସ୍ୱାୟତ୍ତ ଶାସନ ଦିବସ ଅବସରରେ ମହାନଗର ନିଗମର ଯେଉଁ କର୍ମଚାରୀ ମାନେ ଲୋକଙ୍କୁ ବିଭିନ୍ନ ସେବା ଯୋଗାଇ ଦେଇ କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହେବା ପରେ ପୁଣି କାର୍ଯ୍ୟରେ ଯୋଗ ଦେଇଛନ୍ତି, ସେମାନଙ୍କୁ ସମ୍ମାନିତ କରାଯାଇଥିଲା। ଏଥିସହିତ କରୋନା ମୁକାବିଲା ସମୟରେ ସଫେଇ ସମେତ ଅନ୍ୟାନ୍ୟ କ୍ଷେତ୍ରରେ ଉତ୍ତମ ସେବା ପ୍ରଦାନ କରିଥିବା ମହାନଗର ନିଗମର ବିଭିନ୍ନ ବର୍ଗର ୧୫ ଜଣ କର୍ମଚାରୀଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା।

ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ ନିମନ୍ତେ ସ୍ଥାପିତ ୭ଟି ମାଇକ୍ରୋ କଂପୋଷ୍ଟିଂ ସେଣ୍ଟର ଆଜି ଲୋକାର୍ପିତ ହୋଇଥିବା ବେଳେ ଏହାର ପରିଚାଳନା ଭାର ଆଜି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ହାତରେ ଅର୍ପଣ କରାଯାଇଥିଲା। ସେହିପରି ୩୮ଟି ଗୋଷ୍ଠୀ ଶୌଚାଳୟର ପରିଚାଳନା ଦାୟିତ୍ୱମଧ୍ୟ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ହାତରେ ଅର୍ପଣ କରାଯାଇଥିଲା। ଏହିସବୁ ପଦକ୍ଷେପ ମାଧ୍ୟମରେ ମହିଳା ସଶକ୍ତିକରଣକୁ ସୁନିଶ୍ଚିତ କରାଯିବା ସହ ଗୋଷ୍ଠୀ ଭାଗିଦାରୀତା ଏବଂ ଉତ୍ତମ ପରିଚାଳନା ମଧ୍ୟ ସୁଚାରୁ ରୁପେ ହୋଇପାରିବ ବୋଲି କମିଶନର ଶ୍ରୀ ଦିବ୍ୟଜ୍ୟୋତି ପରିଡା ମତବ୍ୟକ୍ତ କରିଛନ୍ତି।
ସେହିପରି ବାଲୁଘାଟ ଠାରେ ଥିବା ମଳ ପରିଚାଳନା କେନ୍ଦ୍ରର ଦାୟିତ୍ବ ମଧ୍ୟ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ହାତରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଏକ ରାଜ୍ୟସ୍ତରୀୟ ଭିଡ଼ିଓ କନଫେରେନ୍ସିଂ ଉତ୍ସବ ମାଧ୍ୟମରେ ପ୍ରଦାନ କରାଯାଇଛି।

ରାଉରକେଲା ବାସୀଙ୍କୁ ସର୍ବୋତ୍ତମ ସେବା ଯୋଗାଇଦେବା ଆମ ଲକ୍ଷ। ଏହି ଲକ୍ଷ ପୂରଣ କରିବା ଦିଗରେ ସମସ୍ତ କର୍ମଚାରୀ ଆହୁରି ଅଧିକ ପ୍ରୟାସ କରିବା ଲାଗି ଆଜି ଶପଥ ନେବା ଉଚିତ ବୋଲି କମିଶନର ଶ୍ରୀ ପରିଡା କହିଛନ୍ତି। ଏଥିସହିତ ସହରର ବିକାଶ ନିମନ୍ତେ ଜନସାଧାରଣଙ୍କ ସହଯୋଗ ନିତାନ୍ତ ଆବଶ୍ୟକ। ତେଣୁ ମହାନଗର ନିଗମର ସମସ୍ତ କାର୍ଯ୍ୟରେ ଜନସାଧାରଣ ବିଭିନ୍ନ ମାଧ୍ୟମରେ ପରାମର୍ଶ ଦେବା ସହ ସହଯୋଗ କରିବା ଲାଗି ଶ୍ରୀ ପରିଡା ମତବ୍ୟକ୍ତ କରିଛନ୍ତି। କରୋନା ମୁକାବିଲା ଦିଗରେ ମହାନଗର ନିଗମ ଯଥାସାଧ୍ୟ ଉଦ୍ୟମ କରି ଆସୁଛି। ସମସ୍ତ ଜନସାଧାରଣ କୋଭିଡ ଗାଇଡ଼ ଲାଇନ କୁ ମାନି ଚଳ ନ୍ତୁ। ସର୍ବଦା ମାସ୍କ ବ୍ୟବହାର କରନ୍ତୁ ଏବଂ ସାମାଜିକ ଦୂରତା ବଜାୟ ରଖିବା ଲାଗି କମିଶନର ନିବେଦନ କରିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ, ପୂର୍ବରୁ ମହାନଗର ନିଗମ ପକ୍ଷରୁ ୬ଟି ଗୋଷ୍ଠୀ ଶୌଚାଳୟର ପରିଚାଳନା ଦାୟିତ୍ବ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ପ୍ରଦାନ କରାଯାଇଛି।

Comments are closed.