୨୦୦୦ ଟଙ୍କିଆ ନୋଟ୍ ନେବାକୁ କେହି ମନା କଲେ କ’ଣ କରିବେ? ଜାଣନ୍ତୁ କ’ଣ ରହିଛି ଆରବିଆଇ ନିୟମ

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ (ଆରବିଆଇ) ମେ ୧୯ ତାରିଖରୁ ୨୦୦୦ ଟଙ୍କିଆ ନୋଟ୍ ପ୍ରଚଳନ ବନ୍ଦ କରିଦେଇଛି। ବ୍ୟାଙ୍କ ନିଜ ବିବୃତ୍ତିରେ କହିଛି ଯେ ଏହି ନୋଟଗୁଡିକ ବୈଧ ରହିବ । ଏହି ନୋଟ୍ ଗୁଡ଼ିକୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବ୍ୟାଙ୍କରେ ବଦଳାଇ ହେବ।

ବ୍ୟାଙ୍କର ଯେକୌଣସି ଶାଖା ଏବଂ ଆରବିଆଇର ୧୯ଟି ଆଞ୍ଚଳିକ କାର୍ଯ୍ୟାଳୟରେ ଏହି ନୋଟ୍ ଏକ୍ସଚେଞ୍ଜ କରାଯାଇପାରିବ ।

ଏକା ଥରକେ କେତେ ନୋଟ୍ ବଦଳାଯାଇପାରିବ?

ଆରବିଆଇ ସର୍କୁଲାର ଅନୁଯାୟୀ, ଆପଣ ନିଜ ବ୍ୟାଙ୍କକୁ ଯାଇ ୨୦୦୦ ଟଙ୍କିଆ ନୋଟ୍ ବଦଳାଇ ପାରିବେ । ଏହି ବିନିମୟ ସମ୍ବନ୍ଧରେ କୌଣସି ପ୍ରକାରର କଟକଣା ନାହିଁ । ତେବେ ଜଣେ ବ୍ୟକ୍ତି ଏକା ଥରକେ କେବଳ ୨୦,୦୦୦ ଟଙ୍କା ପର୍ଯ୍ୟନ୍ତ ୨୦୦୦ ଟଙ୍କିଆ ନୋଟ୍ ବଦଳାଇ ପାରିବେ ।

ନୋଟ୍ ଜମା କରିବାର ନିୟମ କ’ଣ?

ଲୋକମାନେ ସେମାନଙ୍କର ବ୍ୟାଙ୍କ ଆକାଉଣ୍ଟରେ ୨୦୦୦ ଟଙ୍କିଆ ନୋଟ୍ ଜମା କରିପାରିବେ । ନୋଟ୍ ବଦଳାଇବା ପ୍ରକ୍ରିୟା ମେ ୨୩, ୨୦୨୩ରୁ ଆରମ୍ଭ ହୋଇଛି ଓ ଏହା ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଚାଲିବ । ଥରକେ ୧୦ଟି ଦୁଇ ହଜାର ଟଙ୍କଆ ନୋଟ୍ ବଦଳାଇ ହେବ । ନୋଟ୍ ବିନିମୟ ପାଇଁ ବ୍ୟାଙ୍କ କୌଣସି ଅତିରିକ୍ତ ଶୁଳ୍କ ଆଦାୟ କରିବ ନାହିଁ। ଯଦି ଆପଣ କୌଣସି ନିର୍ଦ୍ଦିଷ୍ଟ ବ୍ୟାଙ୍କର ଗ୍ରାହକ ହୋଇନଥିଲେ ମଧ୍ୟ ଆପଣ ସେହି ବ୍ୟାଙ୍କକୁ ଯାଇ ନୋଟ୍ ବଦଳାଇ ପାରିବେ ।

ଯଦି କେହି ନୋଟ୍ ନେବାକୁ ମନା କରନ୍ତି ତେବେ କ’ଣ କରିବେ?

ଯଦି ଆପଣଙ୍କ ପାଖରେ ଥିବା ୨୦୦୦ ଟଙ୍କିଆ ନୋଟ୍ ନେବାକୁ କୌଣସି ଦୋକାନୀ ମନା କରିପାରିବେ ନାହିଁ | ପ୍ରଚଳନ ବନ୍ଦ ହୋଇଥିଲେ ମଧ୍ୟ ଏହି ନୋଟ୍ ବୈଧ ଅଟେ | ଯଦି କୌଣସି ବ୍ୟାଙ୍କ ଅଧିକାରୀ, ଦୋକାନୀ ୨୦୦୦ ଟଙ୍କିଆ ନୋଟ୍ ନେବାକୁ ମନା କରନ୍ତି, ତେବେ ଆପଣ ସେମାନଙ୍କ ବିରୋଧରେ ଅଭିଯୋଗ ରୁଜୁ କରିପାରିବେ |

ଆପଣ ବ୍ୟାଙ୍କକୁ ଯାଇ ଏନେଇ ଅଭିଯୋଗ କରିପାରିବେ | ବ୍ୟାଙ୍କ ୩୦ ଦିନ ମଧ୍ୟରେ ଆପଣଙ୍କ ଅଭିଯୋଗର ଜବାବ ଦେବ | ଯଦି ଆପଣ ବ୍ୟାଙ୍କର ଉତ୍ତରରେ ଖୁସି ନୁହଁନ୍ତି, ତେବେ ଆପଣ ଏହା ବିରୋଧରେ ଆରବିଆଇ ୱେବସାଇଟ୍ cms.rbi.org.in ରେ ଅଭିଯୋଗ ପଞ୍ଜିକରଣ କରିପାରିବେ ।

୨୦୦୦ ଟଙ୍କିଆ ନକଲି ନୋଟ୍ ମିଳିଲେ ବ୍ୟାଙ୍କ କ’ଣ କରିବ?

ଯଦି ବ୍ୟାଙ୍କକୁ ୨୦୦୦ ଟଙ୍କିଆ ନକଲି ନୋଟ୍ ପାଇଥାଏ, ତେବେ ବ୍ୟାଙ୍କ ସେହି ନୋଟକୁ ଜବତ କରିବ। ଏହାଛଡ଼ା ସମ୍ପୃକ୍ତ ଗ୍ରାହକଙ୍କୁ ସେହି ନକଲି ନୋଟ୍ ବଦଳରେ କୌଣସି ବିନିମୟ କରେନ୍ସି ମିଳିବ ନାହିଁ |

ଯଦି ୪ରୁ ଅଧିକ ନକଲି ନୋଟ୍ ମିଳେ ତେବେ ବ୍ୟାଙ୍କ ପୋଲିସକୁ ଜଣାଇବ। ଏହା ପରେ ସେହି ନୋଟର ପରୀକ୍ଷା କରାଯିବ | ଅନ୍ୟପକ୍ଷରେ ଯଦି ବ୍ୟାଙ୍କ ନକଲି ନୋଟ୍ ଫେରସ୍ତ କରେ, ତେବେ ନକଲି ନୋଟ୍ ସର୍କୁଲେସନ ନିରୋଧୀ ଆଇନ ଅନୁଯାୟୀ ବ୍ୟାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Comments are closed.