ଭେଣ୍ଟିଲେଟରରେ ସଲମାନ ରୁଶଦୀ, ଗୋଟିଏ ଆଖି ହରାଇବା ଆଶଙ୍କା, ଆକ୍ରମଣକାରୀ ଚିହ୍ନଟ

ନ୍ୟୁୟର୍କ: ଆମେରିକାର ନ୍ୟୁୟର୍କରେ ଶୁକ୍ରବାର ଛୁରା ମାଡ଼ ପରେ ଭାରତ ଜନ୍ମିତ ବ୍ରିଟିଶ ଲେଖକ ସଲମାନ ରୁଶଦୀଙ୍କ ଅବସ୍ଥା ଗୁରୁତର ରହିଛି। ସେ ଭେଣ୍ଟିଲେଟରରେ ଅଛନ୍ତି।

ଏହି ଘାତକ ଆକ୍ରମଣ ଯୋଗୁଁ ସଲମାନ ରୁଶଦୀଙ୍କ ଲିଭରରେ ଆଘାତ ଲାଗିଛି ଏବଂ ତାଙ୍କୁ ଗୋଟିଏ ଆଖି ମଧ୍ୟ ହରାଇବାକୁ ପଡିପାରେ। ଶୁକ୍ରବାର ନ୍ୟୁୟର୍କର ଚୌତ୍ୱାଓକ୍ବା ଇନଷ୍ଟିଚ୍ୟୁଟରେ ଏକ କାର୍ଯ୍ୟକ୍ରମରେ ଭାଷଣ ଦେବାକୁ ଯାଉଥିବା ବେଳେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା।

ଅନ୍ୟପକ୍ଷରେ ନ୍ୟୁୟର୍କ ପୋଲିସ ରୁଶଦୀଙ୍କୁ ଆକ୍ରମଣ କରିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିଛି । ଆକ୍ରମଣକାରୀ ନ୍ୟୁ ଜର୍ସିର ୨୪ ବର୍ଷୀୟ ହାଦି ମାତାର ବୋଲି ଜଣାପଡ଼ିଛି । ତାଙ୍କୁ ଗିରଫ କରାଯାଇଛି। ଏହି ଆକ୍ରମଣ ପଛରେ କ’ଣ ଉଦ୍ଦେଶ୍ୟ ରହିଛି ସେ ସମ୍ପର୍କରେ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ସୂଚନା ନାହିଁ।

ମଞ୍ଚକୁ ଯିବାବେଳେ ହାଦି ମାତାର ରୁଶଦୀଙ୍କୁ ଏକ ଛୁରୀରେ ଅତର୍କିତ ଆକ୍ରମଣ କରିଥିଲା। ଏହି ସମୟରେ ସେଠାରେ ରୁଶଦୀଙ୍କ ସାକ୍ଷାତକାର ନେଉଥିବା ହେନେରୀ ରିଜଙ୍କୁ ମଧ୍ୟ ଆଘାତ ଲାଗିଥିଲା।

ନ୍ୟୁୟର୍କ ଷ୍ଟେଟ ପୋଲିସ କହିଛି ଯେ ଆକ୍ରମଣ ପରେ ରୁଶଦୀଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ରୁଶଦୀଙ୍କ ଉପରେ ଆକ୍ରମଣ ସମୟରେ ପ୍ରାୟ ଅଢେଇ ହଜାର ଲୋକ ସେଠାରେ ଉପସ୍ଥିତ ଥିଲେ, ଯାହାଙ୍କୁ ପରେ ନିରାପଦରେ ସ୍ଥାନାନ୍ତର କରାଯାଇଥିଲା।

ସଲମାନ ରୁଶଦୀଙ୍କୁ ତାଙ୍କ ପୁସ୍ତକ ‘ଦି ସାଟାନିକ ଭର୍ସେସ୍’ ପାଇଁ ଗତ କିଛି ବର୍ଷ ଧରି ହତ୍ୟା ଧମକ ମିଳୁଥିଲା ।

୧୯୮୧ ମସିହାରେ ପ୍ରକାଶିତ ‘ମିଡନାଇଟ୍ସ ଚିଲଡ୍ରେନ’ ସହ ଏହି ଭାରତୀୟ ବଂଶୋଦ୍ଭବ ଲେଖକ ପ୍ରସିଦ୍ଧି ହାସଲ କରିଥିଲେ । କେବଳ ବ୍ରିଟେନରେ ହିଁ ୧୦ ଲକ୍ଷରୁ ଉର୍ଦ୍ଧ୍ବ କପି ବିକ୍ରି କରିଥିଲା ​​| ଏହି ପୁସ୍ତକ ପାଇଁ ରୁଶଦୀଙ୍କୁ ସମ୍ମାନ ଜନକ ବୁକର ପୁରସ୍କାର ମିଳିଥିଲା ।

୧୯୮୮ରେ ସଲମାନ ରୁଶଦୀଙ୍କ ଚତୁର୍ଥ ପୁସ୍ତକ, ‘ଦି ସାଟାନିକ ଭର୍ସେସ୍’ ପ୍ରକାଶିତ ହୋଇଥିଲା | ତାଙ୍କର ଏହି ଉପନ୍ୟାସକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ବିଶେଷକରି ମୁସଲିମ ସମ୍ପ୍ରଦାୟ ରୁଶଦୀଙ୍କ ଏହି ପୁସ୍ତକକୁ ତୀବ୍ର ବିରୋଧ କରିଥିଲେ । ସେମାନେ ‘ଦି ସାଟାନିକ ଭର୍ସେସ୍’କୁ ଇସଲାମର ଅପମାନ ବୋଲି କହିଥିଲେ।

ସାରା ବିଶ୍ୱରେ ରୁଶଦୀଙ୍କ ଏହି ପୁସ୍ତକକୁ ବିରୋଧ ଆରମ୍ଭ ହୋଇଥିଲା ଏବଂ ଏହି ପୁସ୍ତକ ଉପରେ କଟକଣା ଲଗାଇବାକୁ ଦାବି ଉଠିଥିଲା ।

ଏହି ପୁସ୍ତକ ପ୍ରକାଶନର ଏକ ବର୍ଷ ପରେ ଇରାନର ସର୍ବୋଚ୍ଚ ନେତା ଆୟତୋଲ୍ଲା ଖୋମେନି ରୁଶଦୀଙ୍କ ବିରୋଧରେ ମୃତ୍ୟୁ ଫଟାୱା ଜାରି କରିଥିଲେ ।

ଖୋମିନିଙ୍କ ଫତୱା ପରେ ବିଶ୍ବରେ କୂଟନୈତିକ ସଙ୍କଟ ଦେଖାଦେଇଥିଲା।

ଏହି ପୁସ୍ତକ ପ୍ରକାଶନ ପରେ ଘଟିଥିବା ପ୍ରତିବାଦରେ ସାରା ବିଶ୍ୱରେ ୫୯ ଜଣଙ୍କର ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରେ ଏହି ଉପନ୍ୟାସର କିଛି ଅନୁବାଦକ ମଧ୍ୟ ଥିଲେ |

ହତ୍ୟା ଧମକ ଯୋଗୁଁ ସଲମାନ ରୁଶଦୀ ୯ ବର୍ଷ ଧରି ଆତ୍ମଗୋପନ କରିଥିଲେ ।

Comments are closed.