ନଓ୍ବାବ ମଲିକଙ୍କ ବିରୋଧରେ ମାନହାନି ମାମଲା ଦାୟର କଲେ ସମୀର ୱାଙ୍ଖେଡେଙ୍କ ବାପା

ମୁମ୍ବାଇ: ଏନସିବି ଅଧିକାରୀ ସମୀର ୱାଙ୍ଖେଡେଙ୍କ ବାପା ଧ୍ୟାନଦେବ ୱାଙ୍ଖେଡେ ମହାରାଷ୍ଟ୍ର କ୍ୟାବିନେଟ ମନ୍ତ୍ରୀ ନଓ୍ବାବ ମଲିକଙ୍କ ବିରୋଧରେ ବମ୍ବେ ହାଇକୋର୍ଟରେ ମାନହାନି ମକଦ୍ଦମା ଦାୟର କରିଛନ୍ତି। ଗତ ମାସରେ ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ମାମଲା ସାମ୍ନାକୁ ଆସିବା ପରଠାରୁ ଏନସିବି ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖେଡେଙ୍କୁ ମଲିକ ଟାର୍ଗେଟ କରିଆସିଛନ୍ତି । ୱାଙ୍ଖେଡେଙ୍କ ବିରୋଧରେ ଅନେକ ସଙ୍ଗୀନ୍ ଅଭିଯୋଗ ଆଣିଛନ୍ତି ମଲିକ । ଏପରିକି ୱାଙ୍ଖେଡେ ଜାତିଗତ ସାର୍ଟିଫିକେଟ୍ ଜାଲିଆତି କରି ଚାକିରି ପାଇଥିବା ଅଭିଯୋଗ କରିଛନ୍ତି ମଲିକ।

ୱାନକେଡେଙ୍କ ଓକିଲ ଆର୍ଶାଦ ଶେଖ୍ ଗଣମାଧ୍ୟମକୁ କହିଛନ୍ତି, ମଲିକ କ୍ରମାଗତ ଭାବରେ ୱାଙ୍ଖେଡେ ପରିବାରକୁ ଟାର୍ଗେଟ କରୁଛନ୍ତି । ସେମାନଙ୍କୁ ମୁସଲମାନ ବୋଲି କହି ସେମାନଙ୍କର ଧାର୍ମିକ ବିଶ୍ୱାସ ଉପରେ ପ୍ରଶ୍ନ ଉଠାଇଛନ୍ତି। ଏଭଳି ବ୍ୟକ୍ତିଗତ ଆକ୍ଷେପ ଧ୍ୟାନଦେବ ୱାଙ୍ଖେଡେଙ୍କ ଝିଅ ଯସ୍ମିନଙ୍କ କ୍ୟାରିୟର ଉପରେ ମଧ୍ୟ ପ୍ରଭାବ ପକାଉଛି। ଯସ୍ମିନ୍ ପେଶାରେ ଜଣେ ଓକିଲ ।

ଅନ୍ତରୀଣ ରିଲିଫ୍ ଭାବେ ଧ୍ୟାନଦେବ ତାଙ୍କ ଏବଂ ତାଙ୍କ ପରିବାର ବିରୋଧରେ ପ୍ରକାଶିତ ଲେଖା , ଟ୍ୱିଟ୍, ସାକ୍ଷାତକାର ହଟାଇବା ପାଇଁ ଦାବି କରିଛନ୍ତି। ଏହି ଆବେଦନରେ ମଧ୍ୟ କୁହାଯାଇଛି ଯେ, ଚଳିତ ବର୍ଷ ଜାନୁଆରୀରେ ମଲିକଙ୍କ ଜ୍ବାଇଁ ଏନସିବି ଦ୍ବାରା ଗିରଫ ହେବା ପରେ ୱାଙ୍ଖେଡେ ପରିବାରକୁ ବଦନାମ୍ କରିବା ପାଇଁ ଜାଣିଶୁଣି ଭିତ୍ତିହୀନ ଅଭିଯୋଗ କରାଯାଉଛି।
ମଲିକଙ୍କ ଠାରୁ ସମୀର ୱାଙ୍ଖେଡେଙ୍କ ବାପା ଧ୍ୟାନଦେବ ୧.୨୫ କୋଟି ଟଙ୍କା କ୍ଷତିପୂରଣ ଦାବି କରିଛନ୍ତି। ସୋମବାର ଏହି ପିଟିସନର ଶୁଣାଣି ହେବ। ଆଜି ନଓ୍ବାବ ମଲିକ ମଧ୍ୟ ଏକ ସାମ୍ବାଦିକ ସମ୍ମିଳନୀ କରିବାକୁ ଘୋଷଣା କରିଛନ୍ତି।
ଉଲ୍ଲେଖଯୋଗ୍ୟ, କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାର ତଦନ୍ତ ଦାୟିତ୍ବରୁ ସମୀର ୱାଙ୍ଖେଡେଙ୍କୁ ଦୁଇ ଦିନ ତଳେ ହଟାଇ ଦିଆଯାଇଥିଲା ।

Comments are closed.