ଟି-୨୦ ବିଶ୍ୱକପ୍: ଆଜି ଆଫଗାନିସ୍ତାନ-ନ୍ୟୁଜିଲାଣ୍ଡ ମ୍ୟାଚ୍ ନିର୍ଦ୍ଧାରଣ କରିବ ଭାରତର ଭାଗ୍ୟ

ଆବୁଧାବି: ଟି୨୦ ବିଶ୍ୱକପରେ ରବିବାର ଏଠାରେ ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଆଫଗାନିସ୍ତାନ ଓ ନ୍ୟୁଜିଲାଣ୍ଡ ମୁହାଁମୁହିଁ ହେବେ । ଏହି ଦୁଇ ମ୍ୟାଚ୍ ଉଭୟ ଦଳ ପାଇଁ ଯେତିକି ଗୁରୁତ୍ୱପୂର୍ଣ୍ଣ, ଭାରତ ପାଇଁ ମଧ୍ୟ ଅଧିକ ଗୁରୁତ୍ୱ ବହନ କରୁଛି । କାରଣ ଏହି ମ୍ୟାଚ ଉପରେ ଭାରତର ସେମିଫାଇନାଲ ଭାଗ୍ୟ ନିର୍ଭର କରୁଛି । ଯଦି ନ୍ୟୁଜିଲାଣ୍ଡ ବିଜୟୀ ହୁଏ ତେବେ ଭାରତର ସେମି ଆଶା ଧୂଳିସାତ ହେବ । ଆଉ ଯଦି ଆଫଗାନିସ୍ତାନ ଜିତେ, ତେବେ ଭାରତର ଆଶା ବଢିବ । ଆଫଗାନିସ୍ତାନ ଯଦି ନ୍ୟୁଜିଲାଣ୍ଡକୁ ହରାଇଦିଏ, ତେବେ ନାମିବ୍ୟା ବିପକ୍ଷ ନିଜ ଶେଷ ଲିଗ ମ୍ୟାଚରେ ଭାରତକୁ ବଡ ବ୍ୟବଧାନରେ ଜିତିବାକୁ ହେବ । ଏଭଳି ସ୍ଥିତି ସୃଷ୍ଟି ହେଲେ ଭାରତ, ଆଫଗାନିସ୍ତାନ ଓ ନ୍ୟୁଜିଲାଣ୍ଡ ପାଖରେ ୬ ପଏଣ୍ଟ ରହିବ । ଏଭଳି ସ୍ଥଳେ ଏହି ତିନି ଦଳଙ୍କ ମଧ୍ୟରୁ ଉନ୍ନତ ନେଟ୍ ରନ୍ ରେଟ୍ ଥିବା ଦଳ ସେମିଫାଇନାଲକୁ ଉନ୍ନୀତ ହେବ ।

ଶୁକ୍ରବାର ସ୍କଟଲାଣ୍ଡ ବିପକ୍ଷ ମ୍ୟାଚକୁ ୬.୩ ଓଭରରେ ଜିତି ଭାରତ ନେଟ୍ ରନ୍ ରେଟରେ ଆଫଗାନିସ୍ତାନ ଓ ନ୍ୟୁଜିଲାଣ୍ଡକୁ ଟପିଯାଇଛି । କିନ୍ତୁ ପଏଣ୍ଟ ଦୃଷ୍ଟିରୁ ଭାରତ ଏବେ ତୃତୀୟ ସ୍ଥାନରେ ଅଛି । କ୍ରମାଗତ ଚାରିଟି ବିଜୟ ସହ ଗ୍ରୁପ-୨ରୁ ପାକିସ୍ତାନ ସେମିରେ ସ୍ଥାନ ନିଶ୍ଚିତ କରିସାରିଛି । ଏବେ ନ୍ୟୁଜିଲାଣ୍ଡ, ଆଫଗାନିସ୍ତାନ ଓ ଭାରତ ମଧ୍ୟରୁ କିଏ ସେମିରେ ପହଞ୍ଚିବ ଆସନ୍ତାକାଲିର ଏହି ମ୍ୟାଚ ନିର୍ଣ୍ଣୟ କରିବ । ସ୍କଟଲାଣ୍ଡ ବିପକ୍ଷ ବୃହତ ବିଜୟ ପରେ ଭାରତର ପଏଣ୍ଟ ସଂଖ୍ୟା ୪ ହୋଇଥିବା ବେଳେ ଦଳର ନେଟ୍ ରନ୍ ରେଟ୍ (୧.୬୧୯) ଉନ୍ନତ ହୋଇଛି । ନାମିବ୍ୟା ବିପକ୍ଷରେ ୫୨ ରନରେ ବିଜୟ ସହ ନ୍ୟୁଜିଲାଣ୍ଡ ୬ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ଅଛି । ତେବେ ନ୍ୟୁଜିଲାଣ୍ଡର ରନ୍ ରେଟ୍ ଭାରତ ଠାରୁ କମ୍ ଅଛି । ନ୍ୟୁଜିଲାଣ୍ଡର ନେଟ୍ ରନ୍ ରେଟ୍ ହେଉଛି ୧.୨୭୭ । ଆଫଗାନିସ୍ତାନର ସମ୍ପ୍ରତି ନେଟ୍ ରନ୍ ରେଟ୍ ୧.୪୮୧ ରହିଛି ।

ନ୍ୟୁଜିଲାଣ୍ଡ-ଆଫଗାନିସ୍ତାନ ମୁକାବିଲା ଉପରେ ପୂରା ଭାରତୀୟ ଦଳ ଓ ପ୍ରଶଂସକଙ୍କ ନଜର ରହିବ । ଆଫଗାନିସ୍ତାନର ବିଜୟ କାମନା କରିବ ଭାରତ । ଆଫଗାନିସ୍ତାନର ବିଜୟ ହିଁ ଭାରତକୁ ସେମିରେ ପହଞ୍ଚିବା ସୁଯୋଗ ସୃଷ୍ଟି କରିବ । ତେବେ ନାମିବ୍ୟା ବିପକ୍ଷ ବୃହତ ବିଜୟ ପରେ ନ୍ୟୁଜିଲାଣ୍ଡର ମନୋବଳ ଦୃଢ ରହିଛି । ସେମିଫାଇନାଲଠୁ ଦଳ ମାତ୍ର ଗୋଟିଏ ବିଜୟ ଦୂରରେ ଅଛି । ଆଫଗାନିସ୍ତାନକୁ ହରାଇ ନ୍ୟୁଜିଲାଣ୍ଡ ଭାରତର ବିଦାୟ ନିଶ୍ଚିତ କରିବା ସହ ସେମିରେ ସ୍ଥାନ ପକ୍କା କରିବାକୁ ଅଣ୍ଟା ଭିଡିଛି । ନାମିବ୍ୟା ବିପକ୍ଷରେ ଦଳର ଟପ ଅର୍ଡର ଫେଲ ମାରିଥିଲେ ମଧ୍ୟ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍ ଗ୍ଲେନ୍ ଫିଲିପ୍ସ ଓ ଜିମ୍ମି ନିଶମ ଲଢୁଆ ପାଳି ଖେଳି ଦଳକୁ ଏକ ଚ୍ୟାଲେଞ୍ଜିଂ ସ୍କୋରରେ ପହଞ୍ଚାଇଥିଲେ । ଆଫଗାନିସ୍ତାନ ବିପକ୍ଷ ନିର୍ଣ୍ଣାୟକ ମ୍ୟାଚରେ କିନ୍ତୁ ଟପ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ଯେପରି ସଫଳ ହେବେ ତାହା ଚାହିଁବ ନ୍ୟୁଜିଲାଣ୍ଡ ।
ଅନ୍ୟପକ୍ଷେ ଆଫଗାନିସ୍ତାନ ଏହି ବିଶ୍ୱକପରେ ଲଢୁଆ ପ୍ରଦର୍ଶନ କରିଛି । ବ୍ୟାଟ୍‌ସମ୍ୟାନ ସ୍ଥିିର ପ୍ରଦର୍ଶନ ଦେଇଥିବା ବେଳେ ଦଳର ସ୍ପିନରମାନେ ପ୍ରତିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ ଅସୁବିଧାରେ ପକାଇଛନ୍ତି । ହେଲେ ଆଫଗାନିସ୍ତାନ ବ୍ୟାଟ୍ସମ୍ୟାନଙ୍କ ପାଇଁ ଆସନ୍ତାକାଲିର ମୁକାବିଲା ଚ୍ୟାଲେଞ୍ଜିଂ ହେବ । କାରଣ ଟ୍ରେଣ୍ଟ ବୋଲ୍ଟ, ଟିମ୍ ସାଉଦି ଓ ଆଡାମ ମିଲନେଙ୍କ ଭଳି ପେସ୍ ବୋଲରଙ୍କ ସହ ଇଶ ସୋଧୀ ଓ ମିଚେଲ ସାଣ୍ଟନରଙ୍କ ଭଳି ଅଭିଜ୍ଞ ସ୍ପିନରଙ୍କ ବିପକ୍ଷରେ ବଡ ସ୍କୋର କରିବା ଆଫଗାନିସ୍ତାନ ପାଇଁ ସହଜ ହେବ ନାହିଁ । ଯଦି ଆଫଗାନିସ୍ତାନ ବ୍ୟାଟ୍ସମ୍ୟାନ୍ ଏକ ଚ୍ୟାଲେଞ୍ଜିଂ ସ୍କୋର କରନ୍ତି ତେବେ ରସିଦ ଖାନଙ୍କ ନେତୃତ୍ୱାଧୀନ ଦଳର ବୋଲିଂ ଲାଇନ୍ ଅପ୍ ନ୍ୟୁଜିଲାଣ୍ଡକୁ ଅସୁବିଧାରେ ପକାଇପାରେ ।

Comments are closed.