‘ଦୁଇଜଣ ଛାତ୍ରଙ୍କ ପାଇଁ ପୁଣିଥରେ ନିଟ୍-ୟୁଜି ପରୀକ୍ଷା ହୋଇପାରିବ ନାହିଁ..’ ବମ୍ବେ ହାଇକୋର୍ଟଙ୍କ ରାୟକୁ ରଦ୍ଦ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦୁଇ ଛାତ୍ରଙ୍କ ପାଇଁ ନିଟ୍-ୟୁଜି ପରୀକ୍ଷା ପୁଣିଥରେ କରିବାକୁ ମନା କରି ସୁପ୍ରିମକୋର୍ଟ ବମ୍ବେ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ରଦ୍ଦ କରିଦେଇଛନ୍ତି। ପରୀକ୍ଷା ବୁକଲେଟ୍ ଏବଂ ଉତ୍ତର ବୁକଲେଟ୍ ସହିତ ମେଳ ଖାଉ ନ ଥିବାରୁ ମହାରାଷ୍ଟ୍ରର ଦୁଇ ଛାତ୍ରଙ୍କ ପିଟିସନ ଉପରେ ବମ୍ବେ ହାଇକୋର୍ଟ ପୁଣିଥରେ ପରୀକ୍ଷା କରିବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଥିଲେ ।

ଏହି ପ୍ରସଙ୍ଗରେ ଶୁଣାଣି ସମୟରେ କେନ୍ଦ୍ର ପକ୍ଷରୁ ମାମଲା ପରିଚାଳନା କରୁଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ଯେ ୧୬ ଲକ୍ଷ ପିଲା ନିଟ୍-ୟୁଜି ପରୀକ୍ଷା ଦେଇଥିଲେ। ଯଦି ଏହି ଦୁଇ ଛାତ୍ର ପାଇଁ ଅନୁମତି ଦିଆଯାଏ ତେବେ ଏପରି‌ ବହୁ ମାମଲା ଆସିବା ଆରମ୍ଭ ହେବ । ପ୍ରତିବର୍ଷ ଛାତ୍ରମାନେ ସମାନ ଢଙ୍ଗରେ ପୁନର୍ବାର ପରୀକ୍ଷା ପାଇଁ ଦାବି କରିବେ |

ଏହାପୂର୍ବରୁ ଅକ୍ଟୋବର ୨୮ରେ ସୁପ୍ରିମକୋର୍ଟ ନିଟ୍-ୟୁଜିର ଫଳାଫଳ ଘୋଷଣା କରିବାକୁ ସବୁଜ ସଙ୍କେତ ଦେଇଥିଲେ। ୧୬ ଲକ୍ଷ ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା ଫଳ ଘୋଷଣା କରିବାକୁ କୋର୍ଟ ଅନୁମତି ଦେଇଥିଲେ। ଉଲ୍ଲେଖଯୋଗ୍ୟ ଯେ, ନିଟ୍-ୟୁଜି ପରୀକ୍ଷା ନେଇ ବମ୍ବେ ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ସୁପ୍ରିମକୋର୍ଟଙ୍କ ରୋକ୍ ଲଗାଇଥିଲେ । ଦୁଇଜଣ ଛାତ୍ରଙ୍କ ପାଇଁ ବମ୍ବେ ହାଇକୋର୍ଟ ନିଟ୍-ୟୁଜି ପରୀକ୍ଷା ଫଳାଫଳକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ବିରୋଧରେ କେନ୍ଦ୍ର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା ।

Comments are closed.