ଶାହରୁଖ ଖାନଙ୍କ ଘର ଆଗରେ ବିରୋଧ ପ୍ରଦର୍ଶନ, ସୁରକ୍ଷା ବଢ଼ାଇଲା ପୋଲିସ

ମୁମ୍ବାଇ: ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନଙ୍କ ବଙ୍ଗଳା ‘ମନ୍ନତ’ ସମ୍ମୁଖରେ ଏକ ସଂଗଠନ ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଛି । ଏହା ପରେ ମୁମ୍ବାଇ ପୋଲିସ ତାଙ୍କ ଘର ବାହାରେ ସୁରକ୍ଷା ବଢ଼ାଇଛି । ଅନଲାଇନ୍ ଜୁଆ ଏବଂ ଗେମିଂ ଆପ୍ ପାଇଁ ବିଜ୍ଞାପନ କରିବା ପ୍ରତିବାଦରେ ଶାହରୁଖଙ୍କ ବଙ୍ଗଳା ଆଗରେ ଏକ ଘରୋଇ ସଂସ୍ଥା ‘ଅନଟଚ୍ ୟୁଥ୍ ଇଣ୍ଡିଆ ଫାଉଣ୍ଡେସନ୍’ ପକ୍ଷରୁ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା |

ଅନ୍‌ଟୁଚ୍ ୟୁଥ୍ ଇଣ୍ଡିଆ ଫାଉଣ୍ଡେସନର ମୁଖ୍ୟ କୃଷ୍ଣଚନ୍ଦ୍ର ଅଦାଲ ଗଣମାଧ୍ୟମକୁ କହିଛନ୍ତି ଯେ “ଅନଲାଇନ୍ ଗେମିଂ ଆପ୍ ଏବଂ ଜୁଆ ମାଧ୍ୟମରେ ଦେଶର ଯୁବବର୍ଗ ଜୁଆ ଖେଳ ପ୍ରତି ଆକର୍ଷିତ ହୋଇ ପଥଭ୍ରଷ୍ଟ ହେବାରେ ଲାଗିଛନ୍ତି । ଅନଲାଇନ ଗେମିଂ ଓ ଜୁଆ ବେଆଇନ୍ | ଏହି କାରଣରୁ ଲୋକମାନେ ଡିପ୍ରେସନର ଶିକାର ହେଉଛନ୍ତି, ଆତ୍ମହତ୍ୟା କରୁଛନ୍ତି | କିନ୍ତୁ ଶାହରୁଖ ଖାନ୍ ଏଭଳି ଅନଲାଇନ ଗେମିଂ ଓ ଜୁଆ ସପକ୍ଷରେ ପ୍ରଚାର କରୁଛନ୍ତି। ତେଣୁ ଆମେ ତାଙ୍କ ବିରୋଧରେ ଏହି ପ୍ରଦର୍ଶନ କରିଥିଲୁ |

ତେବେ ଅନ୍ୟ ଅଭିନେତାମାନେ ମଧ୍ୟ ଏଭଳି ବିଜ୍ଞାପନ କରୁଥିବା ବେଳେ କେବଳ ଶାହାରୁଖ ଖାନଙ୍କ ଘର ବାହାରେ କାହିଁକି ଏପରି ପ୍ରଦର୍ଶନ କରାଯାଉଛି ? ଏହି ପ୍ରଶ୍ନର ଉତ୍ତରରେ କୃଷ୍ଣାନନ୍ଦ କହିଛନ୍ତି, ଶାହାରୁଖ ଖାନ ଫିଲ୍ମ ଜଗତର ଜଣେ ବଡ଼ ଷ୍ଟାର । ଯେତେବେଳେ ସେ ଏଭଳି କମ୍ପାନୀଙ୍କୁ ପ୍ରମୋଟ୍ କରିବା ବନ୍ଦ କରିଦେବେ ଅନ୍ୟ ଷ୍ଟାରମାନେ ମଧ୍ୟ ତାଙ୍କୁ ଅନୁକରଣ କରି ଆଗକୁ ବଢିବେ ।

ଉଲ୍ଲେଖଯୋଗ୍ୟ, ଶାହାରୁଖ ଖାନଙ୍କ ଫିଲ୍ମ ‘ପଠାନ’ ରିଲିଜ ସମୟରେ ତାଙ୍କୁ ଓ ଏହି ଫିଲ୍ମକୁ କିଛି ହିନ୍ଦୁ ସଂଗଠନ ତରଫରୁ ତୀବ୍ର ବିରୋଧ କରାଯାଇଥିଲା ‌ । ଏବେ ତାଙ୍କ ଆଉ ଏକ ଚଳଚ୍ଚିତ୍ର ‘ଯବାନ’ ଖୁବ୍ ଶୀଘ୍ର ରିଲିଜ୍ ହେବାକୁ ଯାଉଥିବା ବେଳେ ପୁଣି ଏହି ଅଭିନେତାଙ୍କ ବିରୋଧରେ ଏପରି ପ୍ରଦର୍ଶନ ଖବର ସାମ୍ନାକୁ ଆସିବାରେ ଲାଗିଛି ।

Comments are closed.