ସେରମ୍ ଇନଷ୍ଟିଚ୍ୟୁଟ୍ ସିଇଓଙ୍କ ସୂଚନା: ଦେଶରେ ଜାନୁୟାରୀରୁ ଆରମ୍ଭ ହୋଇପାରେ ଟିକାକରଣ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ – ଦେଶରେ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ନେଇ ଦିଲ୍ଲୀରୁ ପଲ୍ଲୀ ଯାଏଁ ପ୍ରାକ୍ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ଟିକାକରଣ କାର୍ଯ୍ୟ ଶୀଘ୍ର ଆରମ୍ଭ ହେବ ବୋଲି କେନ୍ଦ୍ର ସରକାର ମଧ୍ୟ କିଛିଦିନ ତଳେ ସଙ୍କେତ ଦେଇଥିଲେ । ଲୋକମାନଙ୍କୁ କରୋନା ପ୍ରତିଷେଧକ ଜାନୁୟାରୀରୁ ଆରମ୍ଭ ହୋଇପାରେ ବୋଲି ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସ୍‌ଆଇଆଇ) ସିଇଓ ଅଦାର ପୁନାୱାଲା ସୂଚନା ଦେଇଛନ୍ତି । ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକାର କରୋନା ଟିକା ‘କୋଭିସିଲ୍ଡ’ ର ଭାରତରେ ଉତ୍ପାଦନ ଓ ବିତରଣ ଦାୟିତ୍ୱରେ ଥିବା ଏସ୍‌ଆଇଆଇ ଏହି ଟିକାର ଜରୁରୀ ବ୍ୟବହାର ପାଇଁ ମଧ୍ୟ ନିକଟରେ ଆବେଦନ କରିଥିଲା । ଖୁବ୍ ଶୀଘ୍ର ଏହି ଟିକାର ବ୍ୟବହାର ପାଇଁ ଚଳିତ ମାସ ଶେଷ ସୁଦ୍ଧା ସବୁଜ ସଙ୍କେତ ମିଳିବ ବୋଲି କମ୍ପାନୀ ଆଶାବାଦୀ ଅଛି ।
ଆସନ୍ତାବର୍ଷ ଅକ୍ଟୋବର ସୁଦ୍ଧା ଭାରତର ସବୁ ଲୋକଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରହିଛି ବୋଲି ପୁନାୱାଲା କହିଛନ୍ତି । ‘କୋଭିସିଲ୍ଡ’ର ଜରୁରୀ ବ୍ୟବହାର ପାଇଁ ଆଗାମୀ କିଛିଦିନ ମଧ୍ୟରେ ଆମକୁ ଅନୁମତି ମିଳିବା ସମ୍ଭାବନା ରହିିଛି । କିନ୍ତୁ ଟିକାର ବ୍ୟାପକ ବ୍ୟବହାର ପାଇଁ ଅନୁମତିରେ ବିଳମ୍ବ ହୋଇପାରେ । ଜରୁରୀ ବ୍ୟବହାର ପାଇଁ ଅନୁମତି ମିଳିବା ପରେ ଜାନୁୟାରୀରୁ ହିଁ ଆମେ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରିଦେବୁ ବୋଲି ପୁନାୱାଲା କହିଛନ୍ତି । ଭାରତରେ ଜରୁରୀ ବ୍ୟବହାର ପାଇଁ ନିକଟରେ ଫାଇଜର ସମେତ ଏସ୍‌ଆଇଆଇ ଓ ଭାରତ ବୟୋଟେକ୍ ଡିସିଜିଆଇ ଠାରେ ଆବେଦନ କରିଥିଲେ ।

Comments are closed.