କୋଭିଶିଲ୍ଡ ବୁଷ୍ଟର ଡୋଜ୍ ପ୍ରସ୍ତୁତ କରିବାକୁ ଅନୁମତି ଲୋଡ଼ିଲା ସେରମ୍ ଇନଷ୍ଟିଚ୍ୟୁଟ୍

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ରୋକିବା ପାଇଁ କୋଭିଶିଲ୍ଡକୁ ବୁଷ୍ଟର ଡୋଜ୍ ଭାବରେ ମଞ୍ଜୁରି ଦେବକୁ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଭାରତୀୟ ଔଷଧ ନିୟନ୍ତ୍ରକ( ଡିସିଜିଆଇ)ଙ୍କୁ ଅନୁରୋଧ କରିଛି। ଦେଶରେ ପର୍ଯ୍ୟାପ୍ତ ପରିମାଣର ଟିକା ଅଛି ଏବଂ ସଂକ୍ରମଣର ନୂଆ ଭାରିଆଣ୍ଟକୁ ଦୃଷ୍ଟିରେ ରଖି ଏକ ବୁଷ୍ଟର ଡୋଜ୍ ଆବଶ୍ୟକ ବୋଲି ସେରମ୍ କହିଛି।

ସେରମର ଜଣେ ଅଧିକାରୀ ପ୍ରକାଶ କୁମାର ସିଂ କହିଛନ୍ତି ଯେ ବ୍ରିଟେନର ଡ୍ରଗ୍ସ ଏବଂ ହେଲଥ କେୟାର ପ୍ରଡକ୍ଟ ରେଗୁଲେଟୋରୀ ଏଜେନ୍ସି ଆଷ୍ଟ୍ରା ଜେନେକାର ଏକ ବୁଷ୍ଟର ଡୋଜ ଅନୁମୋଦନ କରିସାରିଛି। ଏଭଳି ସ୍ଥିତିରେ କମ୍ପାନୀର ଟିକାକୁ ଭାରତରେ ମଧ୍ୟ ଅନୁମୋଦନ କରାଯିବା ଉଚିତ।

ଏହାପୂର୍ବରୁ ସେରମ୍ ସିଇଓ ଅଦର ପୁନାୱାଲା ମଙ୍ଗଳବାର ଦିନ କହିଥିଲେ ଯେ ଓମିକ୍ରନ୍ ଭାରିଆଣ୍ଟର ମୁକାବିଲା କରିବା ପାଇଁ କମ୍ପାନୀ କୋଭିଶିଲ୍ଡର ଏକ ବୁଷ୍ଟର୍ ଡୋଜ୍ ପ୍ରସ୍ତୁତ କରିପାରେ। ପୁନାୱାଲା କହିଥିଲେ ଯେ ଓମିକ୍ରନ୍ ଉପରେ ଗବେଷଣା ଚାଲିଛି। ଏହା ଉପରେ ଅଧିକ ସୂଚନା ପାଇବାକୁ ଦୁଇ ସପ୍ତାହ ଲାଗିବ |

କେନ୍ଦ୍ର ସରକାର ସଂସଦକୁ ସୂଚନା ଦେଇଛନ୍ତି ଯେ ଟିକାକରଣ ଉପରେ ଜାତୀୟ ବୈଷୟିକ ପରାମର୍ଶଦାତା ଗୋଷ୍ଠୀ ଏବଂ କୋଭିଡ୍-୧୯ ପାଇଁ ଭ୍ୟାକ୍ସିନ୍ ଆଡମିନିଷ୍ଟ୍ରେସନ୍ ଉପରେ ଜାତୀୟ ବିଶେଷଜ୍ଞ ଗୋଷ୍ଠୀ ଏକ ବୁଷ୍ଟର ଡୋଜର ଆବଶ୍ୟକତା ଏବଂ ଯଥାର୍ଥତା ନେଇ ବୈଜ୍ଞାନିକ ପ୍ରମାଣ ଉପରେ ବିଚାର କରୁଛନ୍ତି।

Comments are closed.