କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲା: ଶାହରୁଖ ଖାନଙ୍କ ପୁଅଙ୍କୁ ମିଳିଲାନି ଜାମିନ, ଅକ୍ଟୋବର ୭ ଯାଏଁ ଏନସିବି ରିମାଣ୍ଡରେ ଗଲେ

ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ଗିରଫ ହୋଇଥିବା ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କୁ ଜାମିନ ମିଳିନାହିଁ । ମୁମ୍ବାଇର ଏକ କୋର୍ଟ ତାଙ୍କୁ ଅକ୍ଟୋବର ୭ ପର୍ଯ୍ୟନ୍ତ ଏନସିବି ରିମାଣ୍ଡରେ ପଠାଇଛନ୍ତି। ଅନ୍ୟ ଦୁଇ ଅଭିଯୁକ୍ତ ଅରବାଜ ମର୍ଚାଣ୍ଟ ଏବଂ ମୁନମୁନ୍ ଧାମେଚା ମଧ୍ୟ ୭ ଯାଏଁ ଏନସିବି ରିମାଣ୍ଡରେ ରହିବେ।

ଦିନକର ରିମାଣ୍ଡ ଶେଷ ହେବା ପରେ ଆଜି କୋର୍ଟରେ ଆର୍ୟନ ଓ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ହାଜର କରାଯାଇଥିଲା । ଶୁଣାଣି ସମୟରେ ଏନସିବି ପକ୍ଷରୁ ମାମଲା ପରିଚାଳନା କରୁଥିବା ଅତିରିକ୍ତ ସଲିସିଟର ଜେନେରାଲ ଅନୀଲ ସିଂ କହିଥିଲେ ଯେ ଆର୍ୟନ ଖାନଙ୍କ ହ୍ବାଟସଆପ୍ ଚାଟ୍ ରୁ ଡ୍ରଗ୍ସ ପାଇଁ ନଗଦ କାରବାର ହୋଇଥିବା ଜଣାପଡିଛି। ସେ କହିଥିଲେ ଯେ ଆର୍ଯ୍ୟନ୍ ଖାନଙ୍କ ହ୍ବାଟସଆପ୍ ଚାଟରୁ ଅନେକ ସଙ୍ଗୀନ୍ ତଥ୍ୟ ମିଳିଛି, ଯାହାର ଯାଞ୍ଚ୍ ଜରୁରୀ ।

ଏନସିବିର ଓକିଲ କହିଥିଲେ ଯେ ଆର୍ୟନ ଖାନଙ୍କ ବ୍ୟତୀତ ଅନ୍ୟ ଅଭିଯୁକ୍ତମାନେ ମଧ୍ୟ ଏକ ଡ୍ରଗ୍ସ ରାକେଟ୍ର ର ଅଂଶ ଥିଲେ। ଆର୍ୟନ ବିଦେଶରେ ବି ଡ୍ରଗ୍ସ ନେଇଥିଲେ ତେଣୁ ଏନସିବି ଆନ୍ତର୍ଜାତୀୟ ଡ୍ରଗ୍ସ ରାକେଟ୍ ସମ୍ପର୍କରେ ଯାଞ୍ଚ୍ କରିବାକୁ ଚାହୁଁଛି। ସେଥିପାଇଁ ଆର୍ଯ୍ୟନ୍ ଏବଂ ଅନ୍ୟ ଅଭିଯୁକ୍ତଙ୍କ ରିମାଣ୍ଡରେ ନେବା ଜରୁରୀ।

ସମୁଦ୍ର ଉପକୂଳରେ ଏକ ବିଳାସପୂର୍ଣ୍ଣ କ୍ରୁଜ୍ ଜାହାଜରେ ଡ୍ରଗ୍ସ ପାର୍ଟି ଚାଲୁଥିବା ବେଳେ ରବିବାର ଏନସିବି ଚଢ଼ାଉ କରି ଆର୍ୟନଙ୍କ ବ୍ୟତୀତ ୮ ଜଣଙ୍କୁ ଅଟକ ରଖିଥିଲା। ପରେ ଏହି ମାମଲାରେ ଆର୍ୟନ ଖାନଙ୍କ ସହ ଅରବାଜ ମର୍ଚାଣ୍ଟ ଏବଂ ମୁନମୁନ୍ ଧାମେଚାଙ୍କୁ ଏନସିବି ଗିରଫ କରିଥିଲା ।

Comments are closed.