ଶଙ୍କର ମହାଦେବନ ଓ ଜାକିର ହୁସେନଙ୍କୁ ଗ୍ରାମି ପୁରସ୍କାର

ନୂଆଦିଲ୍ଲୀ: ଭାରତୀୟ ଗାୟକ ତଥା ସଙ୍ଗୀତକାର ଶଙ୍କର ମହାଦେବନ ଓ ପ୍ରସିଦ୍ଧ ତବଲା ବାଦକ ଜାକିର ହୁସେନଙ୍କୁ ମିଳିଛି ସମ୍ମାନଜନକ ଗ୍ରାମି ପୁରସ୍କାର । ଉଭୟଙ୍କ ବ୍ୟାଣ୍ଡ୍ ‘ଶକ୍ତି’ ଦ୍ଵାରା ପ୍ରସ୍ତୁତ ଆଲବମ୍ ‘ଦିସ୍ ମୋମେଣ୍ଟ’ ଶ୍ରେଷ୍ଠ ଗ୍ଲୋବାଲ୍ ମ୍ୟୁଜିକ୍ ଆଲବମ୍ ବର୍ଗରେ ଗ୍ରାମି ପୁରସ୍କାର ଜିତିଛି । ଏହି ଆଲବମରେ ମୋଟ ୮ଟି ଗୀତ ରହିଛି ।

ଏହି ବ୍ୟାଣ୍ଡରେ ଶଙ୍କର ମହାଦେବନ୍, ଜନ୍ ମ୍ୟାକଲଫଲିନ୍, ଜାକିର ହୁସେନ୍, ଭି ସେଲଭାଗଣେଶ ଏବଂ ଗଣେଶ ରାଜଗୋପାଲାନ୍ ଭଳି କଳାକାର ଅଛନ୍ତି | ଏହି ବ୍ୟାଣ୍ଡ୍ ବ୍ୟତୀତ ବଂଶୀ ବାଦକ ରାକେଶ ଚୌରାସିଆ ମଧ୍ୟ ଦୁଇଟି ଗ୍ରାମି ପୁରସ୍କାର ଜିତିଛନ୍ତି ।

ଫ୍ୟୁଜନ୍ ବ୍ୟାଣ୍ଡ ‘ଶକ୍ତି’ ୪୫ ବର୍ଷ ପରେ ନିଜ ପ୍ରଥମ ଆଲବମ୍ ରିଲିଜ୍ କରିଥିବାବେଳେ ସିଧାସଳଖ ଗ୍ରାମି ପୁରସ୍କାର ଜିତିଛି | ଇଂଲିଶ୍ ଗିଟାରିଷ୍ଟ ଜନ୍ ମ୍ୟାକଲଫଲିନ୍ ଭାରତୀୟ ଭାୟଲିନ୍ ବାଦକ ଏଲ୍ ଶଙ୍କର, ତବଲା ବାଦକ ଜାକିର ହୁସେନ୍ ଏବଂ ଟିଏଚ୍ ‘ବିକ୍କୁ’ ବିନୟକରାମ ସହିତ ଫ୍ୟୁଜନ୍ ବ୍ୟାଣ୍ଡ ‘ଶକ୍ତି’ ଆରମ୍ଭ କରିଥିଲେ | ତେବେ ୧୯୭୭ ପରେ ଏହି ବ୍ୟାଣ୍ଡ୍ ସେଭଳି ସକ୍ରିୟ ନଥିଲା |

ପ୍ରସିଦ୍ଧ ଭାରତୀୟ ତବଲା ବାଦକ ଖେଳାଳି ଜାକିର ହୁସେନଙ୍କ ଏହା ହେଉଛି ତୃତୀୟ ଗ୍ରାମି ପୁରସ୍କାର | ଏହାପୂର୍ବରୁ ସେ ‘ପ୍ଲାନେଟ୍ ଡ୍ରମ୍ସ’ ଆଲବମ୍ ପାଇଁ ଟିଏଚ୍ ‘ବିକ୍କୁ’ ବିନାୟକରାମ ସହିତ ଗ୍ରାମି ଜିତିଥିଲେ | ୨୦୦୮ରେ ସେ ‘ଗ୍ଲୋବାଲ୍ ଡ୍ରମ୍ ପ୍ରୋଜେକ୍ଟ’ ପାଇଁ ମଧ୍ୟ ଏକ ଗ୍ରାମି ପାଇଥିଲେ | ୨୦୨୨ରେ ମଧ୍ୟ ଭାରତ ଦୁଇଟି ଗ୍ରାମୀ ଜିତିଥିଲା | ସେହିବର୍ଷ ପିଏ ଦୀପକ, ରିକି କେଜ୍ ‘ଡିଭାଇନ୍ ଟାଇଡସ୍’ ପାଇଁ ‘ବେଷ୍ଟ ନ୍ୟୁ ଏଜ୍ ଆଲବମ୍’ ବର୍ଗରେ ଗ୍ରାମି ପୁରସ୍କାର ଜିତିଥିଲେ ।

ଗ୍ରାମି ପୁରସ୍କାର ହେଉଛି ସଙ୍ଗୀତ ଜଗତର ସବୁଠୁ ବଡ଼ ସମ୍ମାନ। ଆମେରିକାରେ ଲସ୍ ଆଞ୍ଜେଲସର କ୍ରିପ୍ଟୋ.କମ୍ ଏରେନାରେ ଗ୍ରାମି ପୁରସ୍କାର ୨୦୨୪ ପ୍ରଦାନ କରାଯାଇଛି ।

Comments are closed.