ରୋଡ୍ ରେଜ୍ ମାମଲା: ପଟିଆଲା କୋର୍ଟରେ ଆତ୍ମସମର୍ପଣ କଲେ ସିଦ୍ଧୁ

ନୂଆଦିଲ୍ଲୀ: ୧୯୮୮ ମସିହାର ଏକ ରୋଡ୍ ରେଜ୍ ମାମଲାରେ ସୁପ୍ରିମକୋର୍ଟ ତାଙ୍କୁ ବର୍ଷେ ଜେଲ୍ ଦଣ୍ଡାଦେଶ କରିବାର ଦିନକ ପରେ କଂଗ୍ରେସ ନେତା ତଥା ପୂର୍ବତନ କ୍ରିକେଟର ନବଜୋତ ସିଂ ସିଦ୍ଧୁ ପଟିଆଲା କୋର୍ଟରେ ଆତ୍ମସମର୍ପଣ କରିଛନ୍ତି। ମୁଖ୍ୟ ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ ନିକଟରେ ଆତ୍ମସମର୍ପଣ କରିବା ପରେ ସିଦ୍ଧୁଙ୍କୁ ଜେଲ୍ ପଠାଇ ଦିଆଯାଇଛି। ସିଦ୍ଧୁ ପୋଷାକ ଭର୍ତ୍ତି ଏକ ବ୍ୟାଗ ନେଇ କୋର୍ଟରେ ପହଞ୍ଚିଥିଲେ। ସିଦ୍ଧୁ କୋର୍ଟକୁ ଯିବାବେଳେ କାହା ସହ କଥା ହୋଇନଥିଲେ।

ସିଦ୍ଧୁଙ୍କ ଗଣମାଧ୍ୟମ ପରାମର୍ଶଦାତା ସୁରିନ୍ଦର ଦଲ୍ଲା କହିଛନ୍ତି ଯେ ଆତ୍ମସମର୍ପଣ ପରେ ବର୍ତ୍ତମାନ ସିଦ୍ଧୁଙ୍କ ଡାକ୍ତରୀ ପରୀକ୍ଷା ଏବଂ ଅନ୍ୟାନ୍ୟ ଆଇନଗତ ପ୍ରକ୍ରିୟା ପାଳନ କରାଯିବ। ସୁପ୍ରିମକୋର୍ଟ ଗୁରୁବାର ନବଜୋତ ସିଂ ସିଦ୍ଧୁଙ୍କୁ ୧୯୮୮ ରୋଡ୍ ରେଜ୍ ମାମଲାରେ ଏକ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ୩୪ ବର୍ଷ ତଳେ ଘଟିଥିବା ଏହି ଘଟଣାରେ ସିଦ୍ଧୁଙ୍କ ଚାପୁଡ଼ାରେ ଗୁରନାମ ସିଂ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା ।

ସିଦ୍ଧୁ ସ୍ଵାସ୍ଥ୍ୟଗତ କାରଣ ଦର୍ଶାଇ ଆତ୍ମସମର୍ପଣ କରିବା ପାଇଁ ସୁପ୍ରିମକୋର୍ଟଙ୍କୁ ଆଉ କିଛି ସପ୍ତାହ ସମୟ ମାଗିଥିଲେ । ହେଲେ ସିଦ୍ଧୁଙ୍କ ଏହି ଆବେଦନ ଉପରେ ଜରୁରୀ ଶୁଣାଣି କରିବାକୁ କୋର୍ଟ ମନା କରି ଦେଇଥିଲେ ।

Comments are closed.