ଏପ୍ରିଲ ୧୭ ପର୍ଯ୍ୟନ୍ତ ବଢ଼ିଲା ସିସୋଦିଆଙ୍କ ହାଜତ ମିଆଦ

ନୂଆଦିଲ୍ଲୀ: ରାଉଜ୍ ଆଭେନ୍ୟୁ କୋର୍ଟ ଅବକାରୀ ଦୁର୍ନୀତି ସହ ଜଡ଼ିତ ସିବିଆଇ ମାମଲାରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ କୌଣସି ଆଶ୍ବସ୍ତି ଦେଇ ନାହାଁନ୍ତି । କୋର୍ଟ ତାଙ୍କ ବିଚାର ବିଭାଗୀୟ ହାଜତ ମିଆଦକୁ ଏପ୍ରିଲ ୧୭ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି ।

ଏହାପୂର୍ବରୁ ମାର୍ଚ୍ଚ ୩୧ରେ କୋର୍ଟ ସିସୋଦିଆଙ୍କ ଜାମିନ ଆବେଦନକୁ ଖାରଜ କରିଥିଲେ । ତାଙ୍କୁ ଖଲାସ କରାଗଲେ ତଦନ୍ତରେ ବାଧା ସୃଷ୍ଟି ହୋଇପାରେ ବୋଲି କୋର୍ଟ ଆଶଙ୍କା ପ୍ରକାଶ କରିଥିଲେ।

ଦିଲ୍ଲୀର ଅବକାରୀ ନୀତିରେ ଅନିୟମିତତା ଅଭିଯୋଗରେ ସିସୋଦିଆଙ୍କ ବିରୋଧରେ ସିବିଆଇ ଏକ ମାମଲା ରୁଜୁ କରିଥିଲା ।

ଏହି ମାମଲାରେ ସିସୋଦିଆଙ୍କୁ ୨୬ ଫେବୃଆରୀରେ ସିବିଆଇ ଗିରଫ କରିଥିଲା। ତାଙ୍କ ବିରୋଧରେ ବହୁ ମାସ ଧରି ତଦନ୍ତ ଚଳାଇଥିଲା କେନ୍ଦ୍ରୀୟ ଏଜେନ୍ସୀ ।

ଆମ୍ ଆଦମୀ ପାର୍ଟି ସିସୋଦିଆଙ୍କ ଗିରଫଦାରୀକୁ ଏକଛତ୍ରବାଦୀ ଶାସନ ଓ ଗଣତନ୍ତ୍ର ପାଇଁ କଳା ଦିନ ବୋଲି କହିଥିଲା । ଆକ୍ରୋଶମୂଳକ ରାଜନୈତିକ କାରଣରୁ ବିଜେପି ସିସୋଦିଆଙ୍କୁ ଗିରଫ କରିଛି ବୋଲି ଦଳ ଅଭିଯୋଗ କରିଥିଲା ।

ଅନ୍ୟପକ୍ଷରେ ବିଜେପି ସିସୋଦିଆଙ୍କ ଗିରଫକୁ ଯଥାର୍ଥ ବୋଲି କହିଥିଲା। କଂଗ୍ରେସ ମଧ୍ୟ ଅବକାରୀ ଦୁର୍ନୀତି ନେଇ ସିସୋଦିଆଙ୍କୁ ଟାର୍ଗେଟ କରିଥିଲା ।

Comments are closed.