ଆଇସିସି ବିଶ୍ବକପ ଦଳରେ ଭାରତର ସର୍ବାଧିକ ୬ ଖେଳାଳି ସାମିଲ, ରୋହିତ କ୍ୟାପଟେନ୍

ନୂଆଦିଲ୍ଲୀ: ବିଶ୍ଵକପ ଶେଷ ହେବା ପରେ ଟୁର୍ଣ୍ଣାମେଣ୍ଟର ବଛାବଛା ଖେଳାଳିଙ୍କୁ ନେଇ ଆଇସିସି ସୋମବାର ନିଜ ଟିମ୍ ଘୋଷଣା କରିଛି । ଏଥିରେ ପାଞ୍ଚଟି ଦେଶର ୧୨ ଖେଳାଳି ସ୍ଥାନ ପାଇଛନ୍ତି। ଆଇସିସି ଏହାକୁ ‘ଟିମ୍ ଅଫ୍ ଦି ଟୁର୍ଣ୍ଣାମେଣ୍ଟ’ କହିଛି।

ଆଇସିସି ବିଶ୍ୱକପ ଦଳରେ ଭାରତର ସର୍ବାଧିକ ୬ ଖେଳାଳି ଅଛନ୍ତି। ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କୁ ଏହି ଦଳର କ୍ୟାପଟେନ୍ କରାଯାଇଛି ।

ଗତକାଲି (ରବିବାର) ଅହମ୍ମଦାବାଦରେ ଖେଳାଯାଇଥିବା ଫାଇନାଲରେ ଭାରତ ୬ ଓ୍ବିକେଟରେ ଅଷ୍ଟ୍ରେଲିଆ ଠାରୁ ପରାସ୍ତ ହୋଇଥିଲା ।

ତେବେ ଅଷ୍ଟ୍ରେଲିଆକୁ ଚାମ୍ପିୟନ କରାଇଥିବା ଓ ଫାଇନାଲରେ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିବା ଟ୍ରାଭିସ୍ ହେଡ୍ ଆଇସିସି ଦଳରେ ସ୍ଥାନ ପାଇନାହାଁନ୍ତି | ଫାଇନାଲରେ ହେଡ୍ ୧୩୭ ରନର ମ୍ୟାଚ୍ ବିଜୟୀ ପାଳି ଖେଳିଥିଲେ |

ଆଇସିସି ଟିମ୍ ଅଫ୍ ଦି ଟୁର୍ଣ୍ଣାମେଣ୍ଟ ଦଳରେ ଚାମ୍ପିୟନ୍ ଅଷ୍ଟ୍ରେଲିଆର ମାତ୍ର ଦୁଇ ଖେଳାଳି ଗ୍ଲେନ୍ ମ୍ୟାକ୍ସୱେଲ (୪୦୦ ରନ୍) ଏବଂ ଆଡାମ ଜାମ୍ପା (୨୩ ୱିକେଟ୍) ସ୍ଥାନ ପାଇଛନ୍ତି।

ଦଳର ଭାରତର ସର୍ବାଧିକ ୬ ଜଣ ଖେଳାଳି ସ୍ଥାନ ପାଇଛନ୍ତି। ରୋହିତ ଶର୍ମା (୫୯୭ ରନ୍) ଦଳର ଅଧିନାୟକ ହୋଇଛନ୍ତି। ଏହାଛଡ଼ା ପ୍ଲେୟାର ଅଫ୍ ଦି ଟୁର୍ଣ୍ଣାମେଣ୍ଟ ବିରାଟ କୋହଲି (୭୬୫ ରନ୍)ଙ୍କ‌ ସହ କେଏଲ୍ ରାହୁଲ (୪୫୨ ରନ୍), ରବୀନ୍ଦ୍ର ଜାଡେଜା (୧୨୦ ରନ୍ ଏବଂ ୧୬ ୱିକେଟ୍), ଜସପ୍ରୀତ ବୁମରା (୨୦ ୱିକେଟ୍) ଏବଂ ମହମ୍ମଦ ଶାମି (୨୪ ୱିକେଟ୍)ଙ୍କୁ ଏହି ଦଳରେ ସ୍ଥାନ ଦିଆଯାଇଛି ।

ଆଇସିସି ମନୋନୀତ ଦଳରେ ଦକ୍ଷିଣ ଆଫ୍ରିକାର କ୍ୱିଣ୍ଟନ୍ ଡି କକ୍ (୫୯୪ ରନ୍) ଏବଂ ଜେରାଲ୍ଡ କୋଏଜେ (ଦ୍ୱାଦଶ ଖେଳାଳି), ନ୍ୟୁଜିଲ୍ୟାଣ୍ଡର ଡାରେଲ୍ ମିଚେଲ (୫୫୨ ରନ୍) ଏବଂ ଶ୍ରୀଲଙ୍କାର ଦିଲଶାନ ମଧୁଶଙ୍କା (୨୧ ୱିକେଟ୍) ଙ୍କୁ ସାମିଲ କରାଯାଇଛି।

ଆଇସିସି ‘ଟିମ୍ ଅଫ୍ ଦି ଟୁର୍ଣ୍ଣାମେଣ୍ଟ’ ଚୟନ କରିଥିବା ପ୍ୟାନେଲରେ ଇଆନ୍ ବିଶପଙ୍କ ସହ ତିନି ଜଣ ଭାଷ୍ୟକାର, ଜଣେ ସାମ୍ବାଦିକ ଏବଂ ଆଇସିସି ଜେନେରାଲ୍ ମ୍ୟାନେଜର ୱାସିମ୍ ଖାନ୍ ରହିଥିଲେ।

ଆଇସିସି ଟିମ୍ ଅଫ୍ ଦି ଟୁର୍ଣ୍ଣାମେଣ୍ଟ :

କ୍ୱିଣ୍ଟନ୍ ଡି’ କକ୍, ରୋହିତ ଶର୍ମା (ଅଧିନାୟକ), ବିରାଟ କୋହଲି, ଡାରିଲ୍ ମିଚେଲ୍, କେଏଲ୍ ରାହୁଲ,ଗ୍ଲେନ୍ ମ୍ୟାକ୍ସୱେଲ, ରବୀନ୍ଦ୍ର ଜାଡେଜା, ଯସପ୍ରୀତ ବୁମରା, ଦିଲଶାନ ମଧୁଶଙ୍କା, ଆଡାମ ଜାମ୍ପା, ମହମ୍ମଦ ଶାମି, ଜେରାଲ୍ଡ କୋଏଜେ (ଦ୍ବାଦଶ ଖେଳାଳି)।

Comments are closed.