ଘରୋଇ ହସ୍ପିଟାଲରେ ଅଗ୍ନିକାଣ୍ଡ, ଡାକ୍ତର ଦମ୍ପତିଙ୍କ ସହ ୬ ମୃତ

ଧାନବାଦ: ଝାଡଖଣ୍ଡର ଧାନବାଦରେ ଏକ ଘରୋଇ ହସ୍ପିଟାଲରେ ଅଗ୍ନିକାଣ୍ଡ ଯୋଗୁଁ ଡାକ୍ତର ଦମ୍ପତିଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ହୋଇଛି। ଶୁକ୍ରବାର ରାତି ପ୍ରାୟ ଗୋଟାଏରେ ସହରର ବ୍ୟାଙ୍କ ମୋଡ଼ ସ୍ଥିତ ହାଜ୍ରା ହସ୍ପିଟାଲରେ ଏହି ଅଘଟଣ ଘଟିଛି । ଅଗ୍ନିକାଣ୍ଡରେ ଡାକ୍ତର ଦମ୍ପତି ବିକାଶ ହାଜ୍ରା ଏବଂ ପ୍ରେମା ହଜ୍ରାଙ୍କ ସମେତ ୬ ଜଣ ପ୍ରାଣ ହରାଇଛନ୍ତି।

ସୂଚନା ଅନୁଯାୟୀ, ଧାନବାଦର ବ୍ୟାଙ୍କ ମୋଡ୍ ଥାନା ଅନ୍ତର୍ଗତ ଟେଲିଫୋନ୍ ଏକ୍ସଚେଞ୍ଜ୍ ରୋଡରେ ଥିବା ହାଜ୍ରା କ୍ଲିନିକ୍ ଓ ହସ୍ପିଟାଲର ରାତି ଗୋଟାଏ ବେଳେ ହଠାତ୍ ନିଆଁ ଲାଗିଯାଇଥିଲା । ସୂଚନା ପାଇ ଅଗ୍ନିଶମ ବାହିନୀ ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ବହୁ କଷ୍ଟରେ ନିଆଁକୁ ଆୟତ୍ତ କରାଯାଇଥିଲା ।

ଅଗ୍ନିଶମ କର୍ମଚାରୀ ହସ୍ପିଟାଲରୁ ୯ ଲୋକଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରିଥିଲେ। ଆହତମାନଙ୍କୁ ନିକଟସ୍ଥ ଘରୋଇ କ୍ଲିନିକରେ ଭର୍ତ୍ତି କରାଯାଇଛି। ଖବର ମୁତାବକ ଡାକ୍ତରଖାନାର ପରିଚାଳକ ଡାକ୍ତର ପ୍ରେମା ହାଜ୍ରା ଏବଂ ତାଙ୍କ ସ୍ୱାମୀ ଡକ୍ଟର ବିକାଶ ହାଜ୍ରାଙ୍କ ମଧ୍ୟ ଏହି ଅଗ୍ନିକାଣ୍ଡରେ ମୃତ୍ୟୁ ଘଟିଛି। ଅଗ୍ନିକାଣ୍ଡର କାରଣ ଜଣାପଡ଼ିନଥିଲେ ମଧ୍ୟ ସର୍ଟ ସର୍କିଟ ଯୋଗୁଁ ଏହା ଘଟିଥାଇ ପାରେ ବୋଲି ସନ୍ଦେହ କରାଯାଉଛି । ଘଟଣାର ତଦନ୍ତ ଜାରି ରହିଛି।

Comments are closed.