‘ଓମିକ୍ରନ୍’ ନେଇ ଏକଘରିକିଆ ହୋଇଥିବା ଦକ୍ଷିଣ ଆଫ୍ରିକାର କ୍ଷୋଭ, କହିଲା ନୂଆ ଭାରିଆଣ୍ଟ୍ ଚିହ୍ନଟ ପାଇଁ ଆମକୁ ଦଣ୍ଡ ମିଳୁଛି

ଜୋହାନ୍ସବର୍ଗ: ଓମିକ୍ରନ୍ ଭାରିଆଣ୍ଟ ପାଇବା ପରେ ବିଶ୍ବର ସମସ୍ତ ଦେଶ ଦକ୍ଷିଣ ଆଫ୍ରିକା ଉପରେ ବିଭିନ୍ନ କଟକଣା ଲଗାଇବା ଆରମ୍ଭ କରିଛନ୍ତି | ପ୍ରଥମ ପର୍ଯ୍ୟାୟରେ ଅନେକ ୟୁରୋପୀୟ ଦେଶ ଦକ୍ଷିଣ ଆଫ୍ରିକା ଦେଶକୁ ବିମାନ ଉଡ଼ାଣ ସ୍ଥଗିତ ରଖିଛନ୍ତି। ନୂଆ ଭାରିଆଣ୍ଟ୍ ପାଇଁ ବିଶ୍ବରେ ଏଭଳି ଏକଘରିକିଆ ହେବା ନେଇ ଦକ୍ଷିଣ ଆଫ୍ରିକା ତୀବ୍ର

ଅସନ୍ତୋଷ ପ୍ରକାଶ କରିଛି । ଦକ୍ଷିଣ ଆଫ୍ରିକା ସରକାରଙ୍କ ଏକ ବିବୃତ୍ତି ମଧ୍ୟ ସାମ୍ନାକୁ ଆସିଛି। ଦେଶର ସ୍ୱାସ୍ଥ୍ୟମନ୍ତ୍ରୀ ଜୋ ଫାହଲା କହିଛନ୍ତି ଯେ ଦକ୍ଷିଣ ଆଫ୍ରିକାକୁ ଯେଉଁଭଳି ବ୍ୟବହାର କରାଯାଉଛି ତାହା ଭୁଲ୍। ଉନ୍ନତ ଜିନୋମ ସ୍ବିକ୍ବେନ୍ସି ମାଧ୍ୟମରେ ନୂଆ ଭାରିଆଣ୍ଟ୍ ଚିହ୍ନଟ କରିବା ପାଇଁ ଆମକୁ ଦଣ୍ଡ ଦିଆଯାଉଛି |

ଦକ୍ଷିଣ ଆଫ୍ରିକାର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଏକ ବିବୃତ୍ତିରେ କୁହାଯାଇଛି ଯେ ଆମେ କରୋନାର ଏକ ନୂଆ ଭାରିଆଣ୍ଟ ଶୀଘ୍ର ଆବିଷ୍କାର କରି ବିଶ୍ୱକୁ ସତର୍କ କରିଥିଲୁ। ଏହି ଭାରିଆଣ୍ଟ ଡେଲଟା ଅପେକ୍ଷା ଅଧିକ ବିପଜ୍ଜନକ | ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାକୁ ଏକ ଚିନ୍ତାଜନକ ଶ୍ରେଣୀଭୁକ୍ତ କରିଛି | ଆମର ଉତ୍ତମ ବୈଜ୍ଞାନିକ କୌଶଳକୁ ପ୍ରଶଂସା କରାଯିବା ଉଚିତ୍ । କିନ୍ତୁ ବିଶ୍ଵ ଆମ ପ୍ରତି ବୈମାତୃକ ମନୋଭାବ ପୋଷଣ କରୁଛି | ଦକ୍ଷିଣ ଆଫ୍ରିକାର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ କରୋନା ରୋକିବା ପାଇଁ ଆମେ ଅନ୍ୟ ଦେଶ ଭଳି ଉଦ୍ୟମ ଜାରି ରଖିଛୁ। ଏଥିପାଇଁ ଆମର ବିଶ୍ବସ୍ତରୀୟ ସମ୍ବଳ ଅଛି |

କରୋନାର ପ୍ରଥମ ଏବଂ ଦ୍ୱିତୀୟ ଲହର ସମୟରେ ପ୍ରାୟ ସମସ୍ତ ଦେଶ ସେମାନଙ୍କର ସୀମାକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଇଥିଲେ | ଆମଦାନୀ-ରପ୍ତାନି ଉପରେ ମଧ୍ୟ କଟକଣା ଲଗାଯାଇଥିଲା | ଯାହା ଫଳରେ ବିଶ୍ଵ ଅର୍ଥବ୍ୟବସ୍ଥା ପ୍ରଭାବିତ ହୋଇଥିଲା | ଉତ୍ପାଦନ ଏବଂ କଞ୍ଚାମାଲର ଘୋର ଅଭାବ ଦେଖାଦେଇଥିଲା | ଦେଶଗୁଡିକ ଏପର୍ଯ୍ୟନ୍ତ ଏହି କ୍ଷତିରୁ ମୁକୁଳି ନଥିବା ବେଳେ ଏବେ ଓମିକ୍ରନ୍ ପାଇଁ ଦକ୍ଷିଣ ଆଫ୍ରିକା ବିଭିନ୍ନ ଦେଶ ପକ୍ଷରୁ କଟକଣାର ସାମ୍ନା କରିବା ସମ୍ଭାବନା ରହିଛି । ନୂଆ ଭାରିଆଣ୍ଟ ନେଇ ଅନେକ ଦେଶ ମଧ୍ୟ ଦକ୍ଷିଣ ଆଫ୍ରିକାକୁ ଭ୍ରମଣ ଉପରେ କଟକଣା ଲଗାଇ ସାରିଲେଣି । ଆଗକୁ ଆହୁରି ଅନେକ ଦେଶ ଅନୁରୂପ ପଦକ୍ଷେପ ନେଇପାରନ୍ତି ।

Comments are closed.