ଚହଳ ପକାଇଛି ନେଟଫ୍ଲିକ୍ସର ‘ସ୍କ୍ୱିଡ୍ ଗେମ୍’, ରିଲିଜ୍ ହେବାର ମାସେ ମଧ୍ୟରେ ଭାଙ୍ଗିଲା ସବୁ ରେକର୍ଡ

ନୂଆଦିଲ୍ଲୀ: ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରେ ଏକାଧିକ ୱେବ୍ ସିରିଜ୍ ରିଲିଜ୍ ହୋଇଛି | ତେବେ ପ୍ରାୟ ମାସେ ତଳେ ରିଲିଜ୍ ହୋଇଥିବା ‘ସ୍କ୍ୱିଡ୍ ଗେମ୍’ ନାମକ ୱେବ୍ ସିରିଜ୍ ବେଶ୍ ଆଦୃତ ହେବାରେ ଲାଗିଛି | ଏହି ସିରିଜ୍ କେବଳ ଗୋଟିଏ ମାସ ମଧ୍ୟରେ ଅନେକ ରେକର୍ଡ ଭାଙ୍ଗିଛି | ସାରା ବିଶ୍ୱରେ ‘ସ୍କ୍ୱିଡ୍ ଗେମ୍’ ଲୋକପ୍ରିୟତା ହାସଲ କରିଛି | ସର୍ବାଧିକ ଥର ଦେଖାଯାଇଥିବା ସିରିଜ୍ ମଧ୍ୟରେ ବି ‘ସ୍କ୍ୱିଡ୍ ଗେମ୍’ ନୂଆ ରେକର୍ଡ କରିଛି ।

ଶୋ’କୁ ପ୍ରଶଂସା କରି ନେଟଫ୍ଲିକ୍ସ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଲେଖିଛି ଯେ, ଦକ୍ଷିଣ କୋରିଆର ‘ସ୍କ୍ୱିଡ୍ ଗେମ୍’ ସବୁଠୁ ବଡ ସିରିଜ୍ ଲଞ୍ଚ୍ ହୋଇପାରିଛି। ଲୋକପ୍ରିୟତା ଦୃଷ୍ଟିରୁ ‘ସ୍କ୍ୱିଡ୍ ଗେମ୍’ ବଡ଼ ବଡ଼ ୱେବ୍ ସିରିଜକୁ ପଛରେ ପକାଇ ଏକ ନମ୍ବର ସ୍ଥାନ ଅଧିକାର କରିଛି | ସ୍କ୍ୱିଡ୍ ଗେମ୍ ଆଡକୁ ଲୋକଙ୍କ ମଧ୍ୟରେ ଅନେକ କ୍ରେଜ୍ ଦେଖିବାକୁ ମିଳୁଛି | କେବଳ ଏତିକି ନୁହେଁ, ଏହି ୱେବ୍ ସିରିଜ୍ ଉପରେ ଆଧାରିତ ଏକ ଆଲାର୍ମ ଘଣ୍ଟା ମଧ୍ୟ ଲଞ୍ଚ୍ ହେବାକୁ ଯାଉଛି। ସବୁଠାରୁ ମଜା କଥା ହେଉଛି ନିକଟରେ ମୁମ୍ବାଇ ପୋଲିସ ସ୍କ୍ୱିଡ୍ ଗେମର ଏକ ସର୍ଟ କ୍ଲିପ୍ ମାଧ୍ୟମରେ ଲୋକଙ୍କୁ ଟ୍ରାଫିକ୍ ନିୟମ ସମ୍ପର୍କରେ ଲୋକଙ୍କୁ ସଚେତନ କରିଥିଲା ।

ଏହି କୋରିଆ ୱେବ୍ ସିରିଜକୁ ରିଲିଜ୍ ହେବାର ଚାରି ସପ୍ତାହ ମଧ୍ୟରେ ୧୧ କୋଟିରୁ ଅଧିକ ଭିୟୁ ମିଳିଛି, ଯାହା ଏକ ସର୍ବକାଳୀନ ରେକର୍ଡ ବୋଲି କୁହାଯାଉଛି | ଏହି ଶୋ’ ନେଟଫ୍ଲିକ୍ସର ଆଉ ଏକ ଲୋକପ୍ରିୟ ୱେବ୍ ସିରିଜ୍ ବ୍ରିଜର୍ଟନକୁ ମଧ୍ୟ ପଛରେ ପକାଇ ଦେଇଛି | ବ୍ରିଜର୍ଟନକୁ ୨୮ ଦିନରେ ୮୨ ମିଲିୟନ୍ ଭିୟୁ ମିଳିଥିଲା | ଯଦି ଏହି ୱେବ୍ ସିରିଜର କୌଣସି ଏପିସୋଡ୍ ୨୧ ମିନିଟରୁ ଅଧିକ ସମୟ ପାଇଁ ଦେଖାଯାଉଛି, ତେବେ ନେଟଫ୍ଲିକ୍ସ ଏହାକୁ ‘ଭିୟୁ’ ଭାବେ ଗଣନା କରୁଛି | ନେଟଫ୍ଲିକ୍ସ ଏହାର ଅଫିସିଆଲ୍ ଟ୍ୱିଟର ପୃଷ୍ଠାରେ ସେୟାର କରି କହିଛି ଯେ ସ୍କ୍ୱିଡ୍ ଗେମ୍ ସିରିଜକୁ ଏପର୍ଯ୍ୟନ୍ତ ୧୧ କୋଟି ୧୦ ଲକ୍ଷ ଲୋକ ଦେଖିଛନ୍ତି।

Comments are closed.