ପିଙ୍କ୍ ବଲ୍ ଟେଷ୍ଟ: ଭାରତର ୨୫୨ ରନ୍ ଜବାବରେ ଶ୍ରୀଲଙ୍କା ୮୬/୬

ବେଙ୍ଗାଲୁରୁ: ଏମ୍.ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଶନିବାର ଠାରୁ ଆରମ୍ଭ ହୋଇଥିବା ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ତଥା ପିଙ୍କ୍ ବଲ୍ ଟେଷ୍ଟର ପ୍ରଥମ ଦିନରେ ବୋଲରମାନେ ପ୍ରାଧାନ୍ୟ ଜାହିର କରିଛନ୍ତି । ପ୍ରଥମ ଦିନରେ ୧୬ ୱିକେଟ ପତନ ହୋଇଛି । ଶ୍ରେୟସ ଆୟରଙ୍କ ଆକ୍ରମଣାତ୍ମକ ଅର୍ଦ୍ଧଶତକ ସହାୟତାରେ ଭାରତ ବିପର୍ଯ୍ୟୟରୁ ମୁକୁଳି ୨୫୨ ରନରେ ଅଲ୍ଆଉଟ୍ ହୋଇଛି । ଏହାର ଜବାବରେ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଶ୍ରୀଲଙ୍କା ୮୬ ରନରେ ୬ଟି ୱିକେଟ୍ ହରାଇ ସଂଘର୍ଷ କରୁଛି । ଷ୍ଟମ୍ପ ଅପସାରଣ ବେଳକୁ ନିରୋଶାନ ଡିକୱେଲା ୧୩ ରନରେ ବ୍ୟାଟିଂ କରୁଥିବା ବେଳେ ତାଙ୍କ ସହ ଲସିଥ ଏମ୍ବୁଲଡେନିୟା କୌଣସିି ରନ୍ ନ କରି ଅପରାଜିତ ଅଛନ୍ତି । ଭାରତ ପକ୍ଷରୁ ଦୁଇ ଷ୍ଟାର ଦ୍ରୁତ ବୋଲର ଯଶପ୍ରୀତ ବୁମରା ଓ ମହମ୍ମଦ ସାମି ଶ୍ରୀଲଙ୍କାର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଛନ୍ତି । ବୁମରା ୩ଟ ଓ ସାମି ୨ଟି ୱିକେଟ୍ ନେଇଥିବା ବେଳେ ଜୟନ୍ତ ଯାଦବଙ୍କ ସ୍ଥାନରେ ଖେଳୁଥିବା ବାମହାତୀ ସ୍ପିନର ଅକ୍ଷର ପଟେଲ୍ ଗୋଟିଏ ୱିକେଟ୍ ପାଇଛନ୍ତି । ହାତରେ ମାତ୍ର ୪ ୱିକେଟ୍ ବାକି ଥାଇ ଶ୍ରୀଲଙ୍କା ଆହୁରି ୧୬୬ ରନ୍ ପଛରେ ରହିଛି ।

ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଟିମ୍ ଇଣ୍ଡିଆକୁ ଦ୍ୱିତୀୟ ଓଭରରେ ହିଁ ଲାଗିଥିଲା ପ୍ରଥମ ଝଟକା। ରନ୍ ଆଉଟ୍ ହୋଇଥିଲେ ଓପନର ମୟଙ୍କ ଅଗ୍ରୱାଲ୍। ସେ ମାତ୍ର ୪ ରନ୍ କରିଥିଲେ। ଏହା ପରେ ଇନିଂସକୁ ସମ୍ଭାଳିବାକୁ ପ୍ରୟାସ କରିଥିଲେ ଅଧିନାୟକ ରୋହିତ ଶର୍ମା ଓ ହନୁମା ବିହାରୀ। କିନ୍ତୁ ଏଥର ବି ଫେଲ୍ ମାରିଲେ ଅଧିନାୟକ ରୋହିତ ଶର୍ମା। ୧୦ମ ଓଭରରେ ସେ କ୍ୟାଚ୍ ଆଉଟ୍ ହୋଇଥିଲେ। ସେ ୨୫ଟି ବଲ୍ରୁ ୧୫ ରନ୍ କରିଥିବା ବେଳେ ଲସିଥ ଏମ୍ବୁଲଡେନିୟାଙ୍କ ବଲ୍ରେ ଧନଞ୍ଜୟ ଡି’ସିଲ୍ଭାଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ।
ତିନି ନମ୍ବରରେ ଆସିଥିବା ହନୁମା ବିହାରୀ ଓ ପୂର୍ବତନ ଅଧିନାୟକ ବିରାଟ କୋହଲି ବେଶ୍ କିଛି ସମୟ ଧରି କ୍ରିଜ୍ରେ ରହିଥିଲେ। କିନ୍ତୁ ୨୬.୨ ଓଭରରେ ଭାରତ ହରାଇଥିଲା ତା’ର ତୃତୀୟ ୱିକେଟ୍। ଆଉଟ୍ ହୋଇଯାଇଥିଲେ ହନୁମା ବିହାରୀ। ସେ ୮୧ଟି ବଲ୍ରୁ ୩୧ ରନ୍ କରିଥିବା ବେଳେ ପ୍ରବୀଣ ଜୟବିକ୍ରମାଙ୍କ ବଲ୍ରେ ନିରୋଶାନ ଡିକୱେଲାଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ। ସେ ଆଉଟ୍ ହେବା ପରେ ପରବର୍ତ୍ତୀ ଓଭରରେ ଭାରତକୁ ଲାଗିଥିଲା ପୁଣି ଏକ ଝଟକା। ଦୁଇ ବର୍ଷରୁ ଅଧିକ ସମୟ ହେଲା ଶତକ ମାରି ନଥିବା ବିରାଟ କୋହଲି ପୁଣି ନିରାଶ କରି ମାତ୍ର ୨୩ ରନ୍ରେ ଆଉଟ୍ ହୋଇଯାଇଥିଲେ। ସେ ଧନଞ୍ଜୟ ଡି’ସିଲଭାଙ୍କ ବଲ୍ରେ ଏଲ୍ବିଡବ୍ଲ୍ୟୁ ହୋଇଥିଲେ।
ଋଷଭ ପନ୍ଥ ୨୬ଟି ବଲ୍ରୁ ୩୯ ରନ୍ କରି ଲସିଥ ଏମ୍ବୁଲଡେନିୟାଙ୍କ ବଲ୍ରେ ବୋଲ୍ଡ ହୋଇଥିବା ବେଳେ ପ୍ରଥମ ଟେଷ୍ଟରେ ଶତକୀୟ ଇନିଂସ ଖେଳିଥିବା ରବୀନ୍ଦ୍ର ଜାଡେଜା ଆଜି ମାତ୍ର ୪ ରନ୍ରେ ଆଉଟ୍ ହୋଇଯାଇଥିଲେ। ଲସିଥ ଏମ୍ବୁଲଡେନିୟାଙ୍କ ବଲ୍ରେ ଲାହିରୁ ଥିରିମାନେଙ୍କ ଦ୍ୱାରା ସେ କ୍ୟାଚ୍ ଆଉଟ୍ ହୋଇଥିଲେ।

ତେବେ ଶ୍ରେୟସ ଆୟର ଏକ ପ୍ରଶଂସନୀୟ ଇନିଂସ ଖେଳିଥିଲେ। କହିବାକୁ ଗଲେ ସେ ଭାରତର ସମ୍ମାନ ରଖି ଦେଲେ। ସେ ୯୮ଟି ବଲ୍ରୁ ୧୦ଟି ଚୌକା ଓ ୪ଟି ଛକା ସହାୟତାରେ ୯୨ ରନ୍ କରିଥିଲେ। ପ୍ରବୀଣ ଜୟବିକ୍ରମାଙ୍କ ବଲ୍ରେ ନିରୋଶାନ ଡିକ୍ୱେଲ୍ଲାଙ୍କ ହାତରେ ସେ କ୍ୟାଚ୍ ଆଉଟ୍ ହୋଇଯାଇଥିଲେ। ରବିଚନ୍ଦ୍ରନ ଅଶ୍ୱିନ, ଅକ୍ଷର ପଟେଲ ଓ ମହମ୍ମଦ ଶାମି ଯଥାକ୍ରମେ ୧୩, ୯ ଓ ୫ ରନ୍ରେ ଆଉଟ୍ ହୋଇଯାଇଥିଲେ। ଯଶପ୍ରୀତ ବୁମ୍ରା ଖାତା ଖୋଲିପାରି ନଥିଲେ ଓ ନଟ୍ ଆଉଟ୍ ରହିଥିଲେ।

ଶ୍ରୀଲଙ୍କା ପକ୍ଷରୁ ଲସିଥ ଏମ୍ବୁଲଡେନିୟା ଓ ପ୍ରବୀଣ ଜୟବିକ୍ରମା ଯଥାକ୍ରମେ ୩ଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ଧନଞ୍ଜୟ ଡି’ସିଲ୍ଭା ୨ଟି ଓ ସୁରଙ୍ଗା ଲାକମଲ ଗୋଟିଏ ୱିକେଟ୍ ନେଇଥିଲେ।

Comments are closed.