ଓମିକ୍ରନ୍ ପାଇଁ ସତର୍କତା, ଆରଟି-ପିସିଆର୍ ଟେଷ୍ଟ ବାଧ୍ୟତାମୂଳକ କଲେ ମହାରାଷ୍ଟ୍ର, ଗୁଜୁରାଟ, କେରଳ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ଚିହ୍ନଟ ହେବା ପରେ ବିଶ୍ଵବ୍ୟାପୀ ଆତଙ୍କ ସୃଷ୍ଟି ହୋଇଛି । ସବୁ ଦେଶ ସତର୍କତା ଅବଲମ୍ବନ ପୂର୍ବକ ଭ୍ରମଣ କଟକଣା ସହ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିଛନ୍ତି । ଭାରତରେ ମଧ୍ୟ ବିଭିନ୍ନ ରାଜ୍ୟ ନୂଆ ଭାରିଆଣ୍ଟକୁ ଦୃଷ୍ଟିରେ ରଖି ସତର୍କତା ମୂଳକ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ମହାରାଷ୍ଟ୍ର, ଗୁଜୁରାଟ ଏବଂ କେରଳର ରାଜ୍ୟ ସରକାର ବାହାରୁ ଆସୁଥିବା ଲୋକଙ୍କ ପାଇଁ ନୂଆ ଗାଇଡ ଲଇନ୍ ଜାରି କରିଛନ୍ତି। ଏହି ସବୁ ରାଜ୍ୟକୁ ଆସୁଥିବା ଲୋକଙ୍କ ପାଇଁ ଆରଟି-ପିସିଆର ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି |

ଏଥି ସହିତ ଦିଲ୍ଲୀ, ମଧ୍ୟପ୍ରଦେଶ, କେରଳ, ଉତ୍ତରପ୍ରଦେଶ ସମେତ ଅନ୍ୟାନ୍ୟ ରାଜ୍ୟ ସେମାନଙ୍କ ପ୍ରଶାସନିକ ଅଧିକାରୀଙ୍କୁ ସତର୍କ କରାଇଛନ୍ତି। ଧରୱାଡ ମେଡିକାଲ କଲେଜରେ ବହୁ ସଂଖ୍ୟକ ଛାତ୍ର ପଜିଟିଭ୍ ହେବା ପରେ କର୍ଣ୍ଣାଟକ ବି ନୂଆ ଗାଇଡ ଲଇନ୍ ଜାରି କରିସାରିଛି।

ମହାରାଷ୍ଟ୍ର ସରକାରଙ୍କ ଗାଇଡ ଲାଇନରେ କୁହାଯାଇଛି ଯେ ଯେକୌଣସି ଦେଶରୁ ରାଜ୍ୟକୁ ଆସୁଥିବା ସମସ୍ତ ଯାତ୍ରୀ ଯେକୌଣସି କ୍ଷେତ୍ରରେ ଭାରତ ସରକାରଙ୍କ ଦ୍ୱାରା ସ୍ଥିର କରାଯାଇଥିବା ନିୟମ ପାଳନ କରିବେ। ଏହା ବ୍ୟତୀତ କେବଳ ସେହି ଘରୋଇ ଯାତ୍ରୀମାନଙ୍କୁ ରାଜ୍ୟରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ, ଯେଉଁମାନେ ଟିକାର ଉଭୟ ଡୋଜ୍ ନେଇଛନ୍ତି କିମ୍ବା ଯେଉଁମାନେ ପାଖରେ ୭୨ ଘଣ୍ଟା ପୂର୍ବରୁ କରାଯାଇଥିବା ବୈଧ ଆରଟି-ପିସିଆର୍ ନେଗେଟିଭ୍ ରିପୋର୍ଟ ଅଛି |

କେନ୍ଦ୍ର ଦ୍ବାରା ଜାରି କରାଯାଇଥିବା ମନିଟରିଂ ତାଲିକାରେ ରହିଥିବା ଦେଶରୁ ଆସୁଥିବା ଯାତ୍ରୀମାନଙ୍କ ଉପରେ ଗୁଜୁରାଟ ସରକାର ମଧ୍ୟ କଡା ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ବିମାନବନ୍ଦରରେ ଆରଟିପିସିଆର ପରୀକ୍ଷା ଦେବାକୁ ଏହି ଦେଶରୁ ଆସୁଥିବା ପର୍ଯ୍ୟଟକ ଏବଂ ଅନ୍ୟ ଯାତ୍ରୀଙ୍କ ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ବାଧ୍ୟତାମୂଳକ କରିଛି।

Comments are closed.