ଆଇଏଏସ୍ କ୍ୟାଡର ନିୟମରେ ପରିବର୍ତ୍ତନକୁ ରାଜ୍ୟମାନଙ୍କ ବିରୋଧ, କହିଲେ ସଂଘୀୟ ବ୍ୟବସ୍ଥାକୁ ଦୁର୍ବଳ କରିବ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଇଏଏସ୍ କ୍ୟାଡର ନିୟମ-୧୯୫୪ରେ ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଯଦି ଏହି ନିୟମରେ ପରିବର୍ତ୍ତନ ହୁଏ ତେବେ ଆଇଏଏସ୍ ଅଧିକାରୀଙ୍କ ବଦଳି କ୍ଷମତା କେବଳ କେନ୍ଦ୍ର ପାଖରେ ରହିବ। ତେବେ କେନ୍ଦ୍ରର ଏଭଳି ପଦକ୍ଷେପକୁ ବିଭିନ୍ନ ରାଜ୍ୟ ବିରୋଧ କରିଛନ୍ତି । ଏବେ ତାମିଲନାଡୁ ଏବଂ କେରଳ ସରକାର ମଧ୍ୟ ଆଇଏଏସ୍ କ୍ୟାଡର ନିୟମ ପରିବର୍ତ୍ତନକୁ ବିରୋଧ କରିଛନ୍ତି। ଏ ବାବଦରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଏବଂ କେରଳର ମୁଖ୍ୟମନ୍ତ୍ରୀ ପି ବିଜୟନ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି। ଏହି ପ୍ରସଙ୍ଗ ଉଠାଇ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଥମେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆପତ୍ତି ଜଣାଇଥିଲେ। ଏହା ପରେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ଏବଂ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲ ମଧ୍ୟ ସ୍ୱର ଉଠାଇଥିଲେ। ଆଇଏଏସ୍ ଅଧିକାରୀଙ୍କ ନିଯୁକ୍ତିକୁ ନେଇ ଭାରତୀୟ ପ୍ରଶାସନିକ ସେବାର ନିୟମ ପରିବର୍ତ୍ତନ କରିବାକୁ କେନ୍ଦ୍ର ସରକାର ପ୍ରସ୍ତାବ ଦେଇଛନ୍ତି।

ଷ୍ଟାଲିନ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଲେଖିଥିବା ଚିଠିରେ ଲେଖିଛନ୍ତି ଯେ ଆଇଏଏସ କ୍ୟାଡରର ଏହି ନିୟମ ବଦଳାଇବା ଦେଶର ସଂଘୀୟ ବ୍ୟବସ୍ଥାର ମୂଳଦୁଆ ଏବଂ ରାଜ୍ୟଗୁଡ଼ିକର ସ୍ବାୟତ୍ତତାକୁ ପ୍ରଭାବିତ କରିବ। ବିଜୟନ ମଧ୍ୟ କେନ୍ଦ୍ର ସରକାରଙ୍କୁ ଏହି ପଦକ୍ଷେପକୁ ବିରୋଧ କରିଛନ୍ତି। ବିଜୟନ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ପତ୍ରରେ କହିଛନ୍ତି ଯେ ଆଇଏଏସ୍ ଅଧିକାରୀମାନେ ରାଜ୍ୟ ନୀତିକୁ ଲାଗୁ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି। କିନ୍ତୁ ସରକାରଙ୍କ ଏଭଳି ପଦକ୍ଷେପ ଦ୍ବାରା ଆଇଏଏସ୍ ଅଧିକାରୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିବ ।

ଷ୍ଟାଲିନ୍ ଚିଠିରେ ଲେଖିଛନ୍ତି ଯେ ଆଇଏଏସ୍ କ୍ୟାଡର ନିୟମରେ ପ୍ରସ୍ତାବିତ ପରିବର୍ତ୍ତନ ସଂଘୀୟ ବ୍ୟବସ୍ଥାକୁ ସର୍ବଦା କ୍ଷତି ପହଞ୍ଚାଇବ, ଯାହା କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ କ୍ଷମତା ବଣ୍ଟନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ସେ କହିଛନ୍ତି ଯେ ଯଦି ଏହା କାର୍ଯ୍ୟକାରୀ ହୁଏ ତେବେ ଅଲ ଇଣ୍ଡିଆ ସର୍ଭିସର ଅଧିକାରୀମାନେ ସେମାନଙ୍କର ସମସ୍ତ କାର୍ଯ୍ୟକାଳ କେନ୍ଦ୍ର ସରକାରଙ୍କ ଭୟର ଛାୟାରେ ବିତାଇବେ। ଏହା ଦେଶର ଶକ୍ତିଶାଳୀ ଅମଲାତାନ୍ତ୍ରିକ ଢାଞ୍ଚାକୁ ଦୁର୍ବଳ କରିବ |

ଷ୍ଟାଲିନ କହିଛନ୍ତି, ମୁଁ ଗୋଟିଏ ବଡ଼ କଥା କହିବାକୁ ଚାହେଁ ଯେ ଅନେକ ରାଜ୍ୟ ସରକାର ବରିଷ୍ଠତା ସ୍ତରରେ ଅଧିକାରୀଙ୍କ ଅଭାବର ସମ୍ମୁଖୀନ ହେଉଛନ୍ତି। ମୁଖ୍ୟତଃ କେନ୍ଦ୍ର ସରକାରଙ୍କ କ୍ୟାଡର ପରିଚାଳନାର ଭୁଲ ନୀତି ଯୋଗୁଁ ଏହା ଘଟୁଛି | କେରଳ ସିଏମ୍ ବିଜୟନ କହିଛନ୍ତି ଯେ ବର୍ତ୍ତମାନର ଡେପୁଟେସନ ନିୟମ କେନ୍ଦ୍ର ସରକାରଙ୍କ ସପକ୍ଷରେ ରହିଛି।

ବିଜୟନ କହିଛନ୍ତି ଯେ ପ୍ରସ୍ତାବିତ ସଂଶୋଧନ ନିଶ୍ଚିତ ରୂପେ ପରିବର୍ତ୍ତନର ପରିବେଶ ସୃଷ୍ଟି କରିବ ଏବଂ କେନ୍ଦ୍ରରେ ଶାସକ ଦଳର ରାଜନୈତିକ ବିରୋଧାଭାସ କରୁଥିବା ନୀତି କାର୍ଯ୍ୟକାରୀ କରିବାକୁ ଆଇଏଏସ୍ ଅଧିକାରୀମାନେ କୁଣ୍ଠା ପ୍ରକାଶ କରିବେ ।

Comments are closed.