ଉତ୍ତରପୂର୍ବ ରାଜ୍ୟ ଗୁଡ଼ିକରେ ହିନ୍ଦୀକୁ ବାଧ୍ୟତାମୂଳକ ବିଷୟ କରିବା ନେଇ କେନ୍ଦ୍ରର ନିଷ୍ପତ୍ତିକୁ ଛାତ୍ର ସଂଗଠନର ବିରୋଧ

କୋହିମା: ହିନ୍ଦୀକୁ ବାଧ୍ୟତାମୂଳକ ବିଷୟ କରିବା ନେଇ କେନ୍ଦ୍ରର ନିଷ୍ପତ୍ତିକୁ ଉତ୍ତର ପୂର୍ବ ଭାରତର ଛାତ୍ର ସଂଗଠନ ‘ ଦି ନର୍ଥ ଇଷ୍ଟ ଷ୍ଟୁଡେଣ୍ଟସ୍ ଅର୍ଗନାଇଜେସନ (ଏନ୍ଏସ୍ଓ)’ ସମାଲୋଚନା କରିଛି। କେନ୍ଦ୍ରର ଏହି ନିଷ୍ପତ୍ତି ଉତ୍ତର-ପୂର୍ବର ଆଞ୍ଚଳିକ ଭାଷା ପାଇଁ କ୍ଷତିକାରକ ହେବ ଏବଂ ଏହା ସୌହାର୍ଦ୍ଦ୍ୟକୁ ବିଗାଡିବ ବୋଲି ଏନ୍ଏସ୍ଓ କହିଛି ।

ଏନ୍ଏସ୍ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଏକ ଚିଠି ଲେଖି ଏପରି “ପ୍ରତିକୂଳ ନୀତି”କୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବି କରିଛି ଏବଂ ଉତ୍ତରପୂର୍ବ ରାଜ୍ୟଗୁଡିକରେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ମାତୃଭାଷା ବାଧ୍ୟତାମୂଳକ କରାଯିବା ଉଚିତ ବୋଲି ପରାମର୍ଶ ଦେଇଛନ୍ତି। ହିନ୍ଦୀକୁ କେବଳ ଇଚ୍ଛାଧୀନ କରାଯିବା ଉଚିତ ବୋଲି ଏନ୍ଏସ୍ଓ କହିଛି।

ସୂଚନାଯୋଗ୍ୟ ଯେ ଏପ୍ରିଲ ୭ରେ ନୂଆଦିଲ୍ଲୀରେ ରାଷ୍ଟ୍ରଭାଷା ଉପରେ ସଂସଦୀୟ କମିଟିର ଏକ ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଶାହା କହିଥିଲେ ଯେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଉତ୍ତରପୂର୍ବ ରାଜ୍ୟ ନିଜ ସ୍କୁଲରେ ହିନ୍ଦୀ ବାଧ୍ୟତାମୂଳକ କରିବାକୁ ରାଜି ହୋଇଛନ୍ତି। ଶାହା କହିଥିଲେ, ଆଞ୍ଚଳିକ ଭାଷା ପରିବର୍ତ୍ତେ ହିନ୍ଦୀକୁ ଇଂରାଜୀ ପରେ ଦ୍ବିତୀୟ ଭାଷାର ମାନ୍ୟତା ଦିଆଯିବା ଉଚିତ । ଶାହାଙ୍କ ଏପରି ମନ୍ତବ୍ୟକୁ ଦକ୍ଷିଣ ଭାରତୀୟ ରାଜ୍ୟ ଗୁଡ଼ିକ ସମାଲୋଚନା କରିଥିଲେ।

Comments are closed.