ଆସନ୍ତା ମାସରୁ ଆରମ୍ଭ ହେବ ଜାଇଡସ୍ କାଡିଲା ଟିକାର ଯୋଗାଣ

ନୂଆଦିଲ୍ଲୀ: ଜାଇଡସ୍ କାଡିଲାର କରୋନା ଟିକା ଜାଇକୋଭ୍-ଡି’ର ଯୋଗାଣ ଆସନ୍ତା ମାସ ଅର୍ଥାତ୍ ସେପ୍ଟେମ୍ବରରୁ ଆରମ୍ଭ ହେବ । ଜାଇଡସ୍ ଗ୍ରୁପ୍ ର ପରିଚାଳନା ନିର୍ଦ୍ଦେଶକ ଡ଼.ଶାର୍ଭିଲ୍ ପଟେଲ ଏହି ସୂଚନା ଦେଇଛନ୍ତି। ପଟେଲ ଏକ ଭର୍ଚୁଆଲ୍ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଜାଇକୋଭ୍-ଡି ର ଯୋଗାଣ ସେପ୍ଟେମ୍ବର ମଧ୍ୟଭାଗରୁ ଆରମ୍ଭ ହେବ । କମ୍ପାନୀର ନୂଆ ପ୍ଲାଣ୍ଟରେ ଅକ୍ଟୋବରରୁ ଉତ୍ପାଦନ ମାସିକ ୧ କୋଟି ଡୋଜକୁ ବୃଦ୍ଧି କରାଯିବ ବୋଲି ସେ କହିଛନ୍ତି।

ଜାଇକୋଭ୍-ଡି ର ମୂଲ୍ୟ ସମ୍ପର୍କରେ ପଟେଲ କହିଛନ୍ତି ଯେ ଆସନ୍ତା ସପ୍ତାହରେ ଏହା ସ୍ପଷ୍ଟ ହେବ। ସେ କହିଛନ୍ତି ଯେ କରୋନାଭାଇରସ୍ ବିରୋଧରେ ଜାଇଡସ୍ ର କୋଭିଡ୍-୧୯ ଟିକା ୬୬ ପ୍ରତିଶତ ପ୍ରଭାବୀ। ଡେଲଟା ଭାରିଆଣ୍ଟ ବିରୋଧରେ ମଧ୍ୟ ଏହି ଟିକା ୬୬ ପ୍ରତିଶତ ଫଳପ୍ରଦ |

ଜାଇକୋଭ୍-ଡି ହେଉଛି ଏକ ତିନି-ଡୋଜ୍ ଟିକା | ପ୍ରଥମ ଡୋଜର ୨୮ ଦିନ ପରେ ଏହାର ଦ୍ୱିତୀୟ ଡୋଜ ଏବଂ ୫୬ ଦିନ ପରେ ତୃତୀୟ ଡୋଜ ଦିଆଯିବ | ଏହି ଟିକା ୧୨ ବର୍ଷରୁ ଅଧିକ ବୟସ୍କ ଏବଂ କିଶୋରମାନଙ୍କ ପାଇଁ ଅନୁମୋଦିତ | ଜାଇକୋଭ୍-ଡି ୧୮ ବର୍ଷରୁ ଉର୍ଦ୍ଧ୍ବ ଲୋକଙ୍କୁ ବି ଲଗାଯାଇପାରିବ ।

ବାୟୋଟେକ୍ନୋଲୋଜି ବିଭାଗ (ଡିବିଟି) କହିଛି ଯେ ଜାଇକୋଭ୍-ଡି ହେଉଛି ବିଶ୍ୱର ପ୍ରଥମ ଡିଏନ୍ଏ ଆଧାରିତ ଆଣ୍ଟି-କରୋନାଭାଇରସ୍ ଟିକା। ଏହି ଟିକାର ତିନୋଟି ଡୋଜ ଦିଆଗଲେ, ଏହା କରୋନା ଭୂତାଣୁର ସ୍ପାଇକ୍ ପ୍ରୋଟିନ୍ ଉତ୍ପାଦନ କରେ ଯାହା ରୋଗ ଏବଂ ଭୂତାଣୁରୁ ସୁରକ୍ଷା ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

Comments are closed.