ଏଆଇଏଫ୍ଏଫ୍ ସଙ୍କଟ: ବାସନ୍ଦ ହଟାଇବା ଓ ଅଣ୍ଡର-୧୭ ମହିଳା ବିଶ୍ୱକପ ଆୟୋଜନ ସୁନିଶ୍ଚିତ କରିବାକୁ ଭାରତ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ:ଆଜି ସୁପ୍ରିମକୋର୍ଟ ଫିଫା ପକ୍ଷରୁ ଭାରତୀୟ ଫୁଟବଲ ସଂଘ (ଏଆଇଏଫ୍ଏଫ୍)ର ନିଲମ୍ବନ ମାମଲାର ଶୁଣାଣି କରିଛନ୍ତି। ଏଆଇଏଫ୍ଏଫର ନିଲମ୍ବନ ହଟାଇବାକୁ ଏବଂ ଅଣ୍ଡର-୧୭ ମହିଳା ବିଶ୍ୱକପ ଅନୁଷ୍ଠିତ ପାଇଁ ପଦକ୍ଷେପ ନେବାକୁ ସୁପ୍ରିମକୋର୍ଟ ଭାରତ ସରକାରଙ୍କୁ କହିଛନ୍ତି।

ସୁପ୍ରିମକୋର୍ଟ ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଅଗଷ୍ଟ ୨୨କୁ ଦିନ ଧାର୍ଯ୍ୟ କରିଛନ୍ତି । ତୃତୀୟ ପକ୍ଷର ଅଯଥା ହସ୍ତକ୍ଷେପ ଦର୍ଶାଇ ଫିଫା ସୋମବାର ଏଆଇଏଫ୍ଏଫ୍ କୁ ନିଲମ୍ବିତ କରିଥିଲା । ଫଳରେ ଅକ୍ଟୋବର ମାସରେ ଅନୁଷ୍ଠିତ ହେବାକୁ ଥିବା ଅଣ୍ଡର-୧୭ ମହିଳା ବିଶ୍ୱକପ ପାଇଁ ଆୟୋଜନ ଅଧିକାରରୁ ଭାରତ ବଞ୍ଚିତ ହୋଇଛି । ଅକ୍ଟୋବର ୧୧ ରୁ ୩୦ ପର୍ଯ୍ୟନ୍ତ ଭାରତ ଫିଫା ପ୍ରତିଯୋଗିତା ଆୟୋଜନ କରିବାର ଥିଲା।

ଭାରତ ସରକାରଙ୍କ ପକ୍ଷରୁ କୋର୍ଟରେ ହାଜର ହୋଇ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ଯେ ସରକାର ଫିଫା ସହ କଥା ହୋଇଛନ୍ତି। କିଛି ସଫଳତା ମିଳିପାରେ | ଆଲୋଚନାର ସମସ୍ତ ଦିଗ ବର୍ତ୍ତମାନ କହିପାରିବି ନାହିଁ | ମୁଁ ଆପଣଙ୍କୁ ଅନୁରୋଧ କରୁଛି ସୋମବାରକୁ ଏହି ମାମଲା ରଖନ୍ତୁ | ଯଦି କୋର୍ଟ ଏହି ପ୍ରସଙ୍ଗରେ କିଛି ମନ୍ତବ୍ୟ ଦିଅନ୍ତି, ତେବେ ଫିଫା ଆଗରେ ଆମେ ନିଜ ପକ୍ଷ ରଖିବାରେ ଆହୁରି ସୁବିଧା ହେବ ବୋଲି ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ ।

ଉଲ୍ଲେଖଯୋଗ୍ୟ ଯେ ୮୫ ବର୍ଷ ଇତିହାସରେ ପ୍ରଥମ ଥର ପାଇଁ ଫିଫା ଏଆଇଏଫ୍ଏଫ୍ ଉପରେ କଟକଣା ଲଗାଇଛି | ଫିଫା ଏକ ବିବୃତ୍ତିରେ କହିଥିଲା ଯେ ଫିଫା ପରିଷଦର ବ୍ୟୁରୋର ସର୍ବସମ୍ମତି ନିଷ୍ପତ୍ତି କ୍ରମେ ଅଲ ଇଣ୍ଡିଆ ଫୁଟବଲ ଫେଡେରେଶନ (ଏଆଇଏଫ୍ଏଫ୍) କୁ ତତ୍କାଳ ପ୍ରଭାବ ସହିତ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି। ତୃତୀୟ ପକ୍ଷର ହସ୍ତକ୍ଷେପ ହେଉଛି ଫିଫା ନିୟମର ଗୁରୁତର ଉଲ୍ଲଂଘନ | ଏଆଇଏଫ୍ଏଫ୍ ପାଇଁ ପ୍ରଶାସକ କମିଟି ନିଯୁକ୍ତି ନିଷ୍ପତ୍ତି ରଦ୍ଦ କରାଗଲେ ଓ କାର୍ଯ୍ୟନିର୍ବାହୀ କମିଟିକୁ ପୂର୍ଣ୍ଣ ନିୟନ୍ତ୍ରଣ ହସ୍ତାନ୍ତର କରାଗଲେ ହିଁ ଭାରତୀୟ ଫୁଟବଲ ସଂଘ ଉପରୁ ନିଲମ୍ବନ ହଟାଯିବ ବୋଲି ଫିଫା କହିଛି ।

Comments are closed.