‘କେତେ ଜଣଙ୍କୁ ଗିରଫ କରିଛ’ – ଲକ୍ଷ୍ମୀପୁର ମାମଲାରେ କାଲି ସୁଦ୍ଧା ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ ୟୁପି ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖେରୀ ମାମଲାରେ ଗୁରୁବାର ସୁପ୍ରିମକୋର୍ଟରେ ଶୁଣାଣି କରିଛନ୍ତି। ଏହି ମାମଲାରେ କୋର୍ଟ ଉତ୍ତର ପ୍ରଦେଶ ସରକାରଙ୍କ ଠାରୁ ଷ୍ଟାଟସ୍ ରିପୋର୍ଟ ମାଗିଛନ୍ତି। ଆସନ୍ତାକାଲି ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ କୋର୍ଟ ୟୁପି ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତାକାଲି ପୁଣି ଏହି ମାମଲାର ଶୁଣାଣି ହେବ।

ଶୁଣାଣି ସମୟରେ କୋର୍ଟ ୟୁପି ସରକାରଙ୍କୁ ପଚାରିଛନ୍ତି ଯେ ଏହି ମାମଲାରେ କେତେ ଜଣଙ୍କୁ ଅଭିଯୁକ୍ତ କରାଯାଇଛି, ଏପର୍ଯ୍ୟନ୍ତ କେତେ ଜଣ ଗିରଫ ହୋଇଛନ୍ତି । ଏହି ସମସ୍ତ ତଥ୍ୟ ସହିତ ଆସନ୍ତାକାଲି ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ ଯୋଗୀ ଆଦିତ୍ୟନାଥ ସରକାରକୁ କହିଛନ୍ତି କୋର୍ଟ।
ଶୁଣାଣି ଆରମ୍ଭ ହେବା ପରେ ଏହି ମାମଲାରେ ଚିଠି ଲେଖିଥିବା ଓକିଲ ଶିବକୁମାର ତ୍ରିପାଠୀ କୋର୍ଟରେ କହିଥିଲେ, ‘ଲକ୍ଷ୍ମୀପୁର ଖେରୀ ଘଟଣାରେ ଅନେକ ଚାଷୀଙ୍କ ମୃତ୍ୟୁ ଘଟିଛି। ପ୍ରଶାସନର ଅବହେଳା ପାଇଁ ଏହା ଘଟିଛି। ଏହି ମାମଲାରେ କୋର୍ଟ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍। ମୁଁ ଆଶା କରୁଛି କୋର୍ଟ ଆମ ଚିଠିକୁ ଗମ୍ଭୀରତାର ସହ ଗ୍ରହଣ କରିବେ ଏବଂ ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଏହା ମାନବିକ ଅଧିକାରର ଉଲ୍ଲଂଘନ ମାମଲା |

ଏହା ଉପରେ ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନା ୟୁପି ସରକାରଙ୍କୁ ଜବାବ ମାଗିଥିଲେ। ୟୁପି ସରକାର କୋର୍ଟରେ କହିଥିଲେ ଯେ ‘ଏହି ଘଟଣା ଦୁର୍ଭାଗ୍ୟଜନକ। ତଦନ୍ତ ପାଇଁ ଏସ୍ଆଇଟି ଗଠନ କରାଯାଇଛି | ଅଭିଯୁକ୍ତଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ ହୋଇଛି | ଆମେ ଏନେଇ ରିପୋର୍ଟ ଦାଖଲ କରିବୁ | ଏହା ପରେ ଆସନ୍ତାକାଲି ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ କୋର୍ଟ ୟୁପି ସରକାରଙ୍କୁ କହିଥିଲେ।
ୟୁପି ସରକାର ଜବାବ ରଖିବା ପରେ ପ୍ରଧାନ ବିଚାରପତି କହିଥିଲେ ଯେ ‘କିନ୍ତୁ ଅଭିଯୋଗ ହେଉଛି ଯେ ଆପଣ ସଠିକ୍ ଭାବରେ ଏହି ଘଟଣାର ଅନୁସନ୍ଧାନ କରୁନାହାଁନ୍ତି। ୟୁପି ସରକାର କହିଥିଲେ, ଆମେ ମଧ୍ୟ ଏହି ପ୍ରସଙ୍ଗରେ ଏକ ନ୍ୟାୟିକ କମିଶନ ଗଠନ କରିଛୁ। ଆସନ୍ତାକାଲି ମାମଲାର ଶୁଣାଣି ହେଉ । ଆମେ ସବୁ ପ୍ରଶ୍ନର ଜବାବ ଦାଖଲ କରିବାକୁ ପ୍ରୟାସ କରିବୁ ବୋଲି ୟୁପି ସରକାର କହିଥିଲେ।

ଶୁଣାଣି ଆରମ୍ଭ ହେବା ମାତ୍ରେ ଏହାକୁ ଜନସ୍ୱାର୍ଥ ମାମଲା ଭାବରେ ପଞ୍ଜିକରଣ କରିବାକୁ ସୁପ୍ରିମକୋର୍ଟ ରେଜିଷ୍ଟ୍ରିକୁ କହିଥିଲେ। ପ୍ରଧାନ ବିଚାରପତି କହିଥିଲେ ଯେ ‘ଆମେ ଆଇନଜୀବୀ ଶିବକୁମାର ତ୍ରିପାଠୀ ଏବଂ ସିଏସ୍ ପଣ୍ଡାଙ୍କ ଚିଠି ଆଧାରରେ ଏହି ମାମଲା ରୁଜୁ କରିଛୁ। ଆମେ ଏହାକୁ ଏକ ଜନସ୍ବାର୍ଥ ମାମଲା ଭାବରେ ରୁଜୁ କରିବାକୁ କହିଥିଲୁ କିନ୍ତୁ କିଛି ଦ୍ୱନ୍ଦ୍ୱ ହେତୁ ଆମେ ନିଜ ଆଡ଼ୁ ମାମଲା ରୁଜୁ କରିବାକୁ ନିଷ୍ପତ୍ତି ହୋଇଥିଲା | କୋର୍ଟ ଉଭୟ ଓକିଲଙ୍କୁ ହାଜର ହେବାକୁ କହିଥିଲେ। ପ୍ରଧାନ ବିଚାରପତି (ସିଜେଆଇ) ଏନଭି ରମନାଙ୍କ ବ୍ୟତୀତ ଏହି ମାମଲାର ଶୁଣାଣି କରୁଥିବା ଖଣ୍ଡପୀଠର ଅନ୍ୟ ଦୁଇ ସଦସ୍ୟ ହେଲେ ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ ହିମା କୋହଲି।

ସୂଚନାଯୋଗ୍ୟ, ରବିବାର ଦିନ ଲକ୍ଷ୍ମୀପୁର ଖେରୀରେ ହୋଇଥିବା ହିଂସାରେ ୪ ଚାଷୀଙ୍କ ସମେତ ୮ ଜଣ ପ୍ରାଣ ହରାଇଥିଲେ। ୟୁପିର ଲକ୍ଷ୍ମୀପୁର ଖେରୀ ଜିଲ୍ଲାରେ ହଜାର ହଜାର କୃଷକ ଏକାଠି ହୋଇ କେନ୍ଦ୍ର ମନ୍ତ୍ରୀଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ରବିବାର ଦିନ ଲକ୍ଷ୍ମୀପୁର ଖେରୀର ତିକୁନିଆରେ ଘଟିଥିବା ହିଂସା ପାଇଁ କୃଷକମାନେ କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ର ତେନିଙ୍କ ପୁଅ ଆଶିଷ ମିଶ୍ରଙ୍କ ବିରୋଧରେ ମାମଲା ଦାୟର କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ହିଁ କୃଷକଙ୍କ ଉପରେ ଗାଡ଼ି ଚଢ଼ାଇଥିବା ଅଭିଯୋଗ ହେଉଛି ।

Comments are closed.