ହାଇକୋର୍ଟରେ ନିଯୁକ୍ତି ପାଇଁ ଏକକାଳୀନ ୬୮ ବିଚାରପତିଙ୍କ ନାମ ସୁପାରିସ କଲା ସୁପ୍ରିମକୋର୍ଟ କଲେଜିୟମ୍

ନୂଆଦିଲ୍ଲୀ: ଏକ ଅପ୍ରତ୍ୟାଶିତ ନିଷ୍ପତ୍ତି କ୍ରମେ ଭାରତର ପ୍ରଧାନ ବିଚାରପତି ଏନ.ଭି ରମନ୍ନାଙ୍କ ନେତୃତ୍ୱରେ ସୁପ୍ରିମକୋର୍ଟ କଲେଜିୟମ ଆହ୍ଲାବାଦ, ରାଜସ୍ଥାନ ଏବଂ କଲିକତା ସମେତ ୧୨ଟି ହାଇକୋର୍ଟରେ ବିଚାରପତି ନିଯୁକ୍ତି ପାଇଁ ଏକସଙ୍ଗେ ୬୮ ନାମ ସୁପାରିସ କରିଛନ୍ତି। ଏହି ତିନି ହାଇକୋର୍ଟରେ ବିଚାରପତିଙ୍କ ଅଭାବ ରହିଛି |

ସୂତ୍ରରୁ ପ୍ରକାଶ ଯେ ଜଷ୍ଟିସ୍ ରମନ୍ନା, ଜଷ୍ଟିସ୍ ୟୁୟୁ ଲଲିତ ଏବଂ ଜଷ୍ଟିସ୍ ଏମ୍ ଖାନୱିଲକରଙ୍କ ତିନି ଜଣିଆ କଲେଜିୟମ୍ ଥରକେ ଏତେ ସଂଖ୍ୟକ ବିଚାରପତିଙ୍କ ନିଯୁକ୍ତି ପାଇଁ ସୁପାରିସ ପୁଣି ଥରେ ଇତିହାସ ସୃଷ୍ଟି କରିଛି। ନିକଟରେ ସୁପ୍ରିମକୋର୍ଟର ୯ ଜଣ ବିଚାରପତି ପ୍ରଥମ ଥର ପାଇଁ ଏକାଥରକେ ଶପଥ ନେଇଥିଲେ ।

ମାର୍ଲି ୱାନକଙ୍ଗ ମିଜୋରାମର ପ୍ରଥମ ନ୍ୟାୟିକ ଅଧିକାରୀ ଭାବରେ ଗୁଆହାଟି ହାଇକୋର୍ଟରେ ବିଚାରପତି ଭାବରେ ମନୋନୀତ ହୋଇଛନ୍ତି। ସେ ଅନୁସୂଚିତ ଜନଜାତିର। ତାଙ୍କ ବ୍ୟତୀତ ଅନ୍ୟ ୯ ଜଣ ମହିଳା ପ୍ରାର୍ଥୀଙ୍କ ନାମ ମଧ୍ୟ ସୁପାରିସ କରାଯାଇଛି।

ଅଗଷ୍ଟ ୨୫ ଏବଂ ସେପ୍ଟେମ୍ବର ୧ରେ ହୋଇଥିବା ବୈଠକରେ କଲେଜିୟମ୍ ବିଭିନ୍ନ ହାଇକୋର୍ଟରେ ବିଚାରପତିଙ୍କ ପଦୋନ୍ନତି ପାଇଁ ୧୧୨ ପ୍ରାର୍ଥୀଙ୍କ ନାମ ବିବେଚନା କରିଥିଲେ। ସେଥିମଧ୍ୟରୁ ୬୮ଟି ନାମ ୧୨ଟି ହାଇକୋର୍ଟ, ୪୪ଟି ବାରରୁ ଏବଂ ୨୪ଟି ନ୍ୟାୟିକ ସେବା ପାଇଁ ଅନୁମୋଦିତ ହୋଇଛି।

Comments are closed.