‘ଦି କେରଳ ଷ୍ଟୋରି’ ବିରୋଧରେ ପିଟିସନ୍ ସୁପ୍ରିମକୋର୍ଟରେ ଖାରଜ

ନୂଆଦିଲ୍ଲୀ: ସିନେମା ହଲ୍ ଏବଂ ଓଟିଟି ପ୍ଲାଟଫର୍ମରେ ଚର୍ଚ୍ଚିତ ଫିଲ୍ମ ‘ଦି କେରଳ ଷ୍ଟୋରି’ର ରିଲିଜ୍ ଉପରେ ରୋକ୍ ଲଗାଇବା ପାଇଁ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ଆବେଦନକାରୀଙ୍କୁ କେରଳ ହାଇକୋର୍ଟକୁ ଯିବାକୁ କହିଛନ୍ତି ସୁପ୍ରିମକୋର୍ଟ।

ଅନ୍ୟପକ୍ଷରେ ‘ଦି କେରଳ ଷ୍ଟୋରି’ର ନିର୍ମାତା ବିପୁଲ ଅମୃତଲାଲ ଶାହା ଏହି ଫିଲ୍ମରେ ବିଜେପିର ପଇସା ଲାଗିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଆମର କୌଣସି ରାଜନୈତିକ ଦଳ ସହ ସମ୍ପର୍କ ନାହିଁ ବୋଲି ସେ କହିଛନ୍ତି ।

ବିପୁଲ ଶାହା କହିଛନ୍ତି ଯେ ଫିଲ୍ମ ନ ଦେଖି ମନ୍ତବ୍ୟ ଦେବା ଠିକ୍ ନୁହେଁ ।

ସୁଦୀପ ସେନଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ଦି କେରଳ ଷ୍ଟୋରି’ ଏହି ଦକ୍ଷିଣ ରାଜ୍ୟରେ ହିନ୍ଦୁ ଯୁବତୀଙ୍କୁ କିପରି ଧର୍ମ ପରିବର୍ତ୍ତନ ଏବଂ ଆତଙ୍କବାଦୀ ସଂଗଠନ ଆଇଏସରେ ସାମିଲ ପାଇଁ ବାଧ୍ୟ କରାଯାଉଛି ସେନେଇ ସତ କାହାଣୀ ଉପରେ ପର୍ଯ୍ୟବେସିତ ବୋଲି ଦାବି କରାଯାଇଛି ।

କେରଳର ବାମପନ୍ଥୀ ସରକାର ଏହି ଚଳଚ୍ଚିତ୍ରକୁ ବିଜେପି ପ୍ରାୟୋଜିତ ଓ କେରଳକୁ ବଦନାମ କରିବା ପାଇଁ ‘ସଂଘ ପରିବାରର ଏଜେଣ୍ଡା’ର ଏକ ଅଂଶ ବୋଲି ଅଭିଯୋଗ କରିଛି ।

ଏହି ଅଭିଯୋଗ ପରେ ଫିଲ୍ମର ପ୍ରଯୋଜକ ବିପୁଲ ଶାହା କହିଛନ୍ତି ଯେ କୌଣସି ରାଜନୈତିକ ଦଳର ଅଭିଯୋଗ ଉପରେ ସେ କୌଣସି ମନ୍ତବ୍ୟ ଦେବେ ନାହିଁ।

ସେ କହିଛନ୍ତି, “ଆମେ ଚଳଚ୍ଚିତ୍ର ନିର୍ମାତା ଏବଂ କୌଣସି ରାଜନୈତିକ ଦଳ ସହିତ ଆମର କୌଣସି ସମ୍ପର୍କ ନାହିଁ। ଆମେ କୌଣସି ରାଜନୈତିକ ଦଳର ମନ୍ତବ୍ୟ ଉପରେ ପ୍ରତିକ୍ରିୟା କରିବୁ ନାହିଁ।”

ବିପୁଲ ଶାହା କହିଛନ୍ତି ଯେ ଫିଲ୍ମ ଦେଖିନଥିବା ଲୋକଙ୍କ ଭ୍ରାନ୍ତ ଧାରଣା ଯୋଗୁଁ ବିବାଦ ସୃଷ୍ଟି ହେଉଛି ।

ଫିଲ୍ମ ‘ଦି କେରଳ ଷ୍ଟୋରି” ର ଟ୍ରେଲର ୟୁଟ୍ୟୁବରେ ମଧ୍ୟ ରିଲିଜ ହୋଇଛି। ତେବେ ବିବାଦ ପରେ ୟୁଟ୍ୟୁବରେ ଫିଲ୍ମର ସମ୍ୟକ୍ ବିବରଣୀରେ ପରିବର୍ତ୍ତନ କରାଯାଇଛି |

ପ୍ରଥମ ଏହି ଫିଲ୍ମର ଟ୍ରେଲର ବିବରଣୀରେ ଏହା କେରଳର ୩୨,୦୦୦ ଯୁବତୀଙ୍କ ହୃଦୟ ବିଦାରକ କାହାଣୀ ବୋଲି ଦାବି କରାଯାଇଥିଲା |

କିନ୍ତୁ ବର୍ତ୍ତମାନ ଏଥିରେ ପରିବର୍ତ୍ତନ କରି କୁହାଯାଇଛି ଯେ ଏହି ଫିଲ୍ମ ହେଉଛି କେରଳର ବିଭିନ୍ନ ପ୍ରାନ୍ତରୁ ତିନି ଯୁବତୀଙ୍କ ପ୍ରକୃତ କାହାଣୀର ସଂକଳନ।

Comments are closed.